ଠକେଇ ଅଭିଯୋଗରେ ଫେରାର ଦମ୍ପତ୍ତି ଗିରଫ, ସ୍ଵଂୟ ସହାୟିକା ଗୋଷ୍ଠୀରୁ ଲୁଟି ନେଇଥିଲେ ୮ ଲକ୍ଷ ଟଙ୍କା
20/12/2020 at 10:53 PM

ପାଟଣା ୨୦।୧୨: ଅର୍ଥ ହଡପ କରିବା ଅଭିଯୋଗରେ ଗିରଫ ହେଲେ ଦମ୍ପତ୍ତି। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବିନିଦା ଗ୍ରାମର ଦମ୍ପତି ୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ତୁରୁମୁଙ୍ଗା ପୋଲିସ ଉଭୟଙ୍କୁ ଗିରଫ କରିଛି। ପରେ ପୋଲିସ ଦମ୍ପତ୍ତିକୁ କୋର୍ଟ ଚାଲାଣ କରିଛି। ଗିରଫ ଦମ୍ପତି ହେଲେ ବିନିଦା ଗ୍ରାମର ନନ୍ଦକିଶୋର ସେଠୀ ଓ ତାଙ୍କ ପତ୍ନୀ ଜାନକୀ ସେଠୀ।
ପୋଲିସର ସୂଚନା ଅନୁଯାୟୀ ୨୦୧୯ ମସିହାରେ ଏହି ଦମ୍ପତି ଗ୍ରାମର ଏକ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଠାରୁ ହଳଦୀ ପେଶା ମେସିନ, ତେଲ ପେଶା ମେସିନ ଓ ଖଲି ଚଉତି ମେସିନ କିଣି ଦେବେ କହି ୮ ଲକ୍ଷ ଟଙ୍କା ନେଇ ଦୁଇ ବର୍ଷ ହେବ ଫେରାର ହୋଇଯାଇଥିଲେ।
୩/୪ ଦିନ ପୂର୍ବେ ନନ୍ଦକିଶୋର ଗାଁକୁ ଫେରିଥିଲେ। ଏହାର ଖବର ପାଇ ତୁରୁମୁଙ୍ଗା ପୋଲିସ ଗାଁରେ ପହଞ୍ଚି ନନ୍ଦକିଶୋରଙ୍କୁ ଧରିଥିଲା। ଜେରା ବେଳେ ମିଳିଥିବା ସୂଚନା ଆଧାରରେ ତାଙ୍କ ସ୍ତ୍ରୀଙ୍କୁ ଠାବ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି। ଭୁବନେଶ୍ୱରରୁ ଜାନକୀ ଧରା ପଡିବା ପରେ ଠକ ଦମ୍ପତ୍ତିଙ୍କୁ ତୁରୁମୁଙ୍ଗା ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି।