ବିଚ୍ଛେଦ ମାମଲା ଶୁଣାଣି ପରେ ରାସ୍ତାରେ ହାତାହାତି ସ୍ୱାମୀ-ସ୍ତ୍ରୀ : ଜିଲ୍ଲାପାଳଙ୍କ ଅଫିସ ପରିସରରେ ମାରପିଟର ହାଇଡ୍ରାମା, କ୍ଷୁବ୍ଧ ଯୁବକ ମଧ୍ୟସ୍ତ ମହିଳାଙ୍କୁ ବି ମାଡ ମାରିଲା

Published By : Prameya-News7 Bureau | September 07, 2021 IST

ବାଲେଶ୍ୱର ୦୭/୦୯: ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିବେଶ ସ୍ୱାଭାବିକ ଥିଲା । ସୋମବାର ଥିବାରୁ ଅଭିଯୋଗ ନେଇ ଲୋକେ ଦଳ ଦଳ ହୋଇ କାର୍ଯ୍ୟାଳୟକୁ ଆସୁଥିଲେ । ଏତିକିବେଳେ କାର୍ଯ୍ୟାଳୟ ପରିସରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଲା । ଜଣେ ମହିଳା ଓ ପୁରୁଷ କଥା କଟାକଟି ହୋଇ ଆସୁଥିଲେ । ଡିସିପିଓ କାର୍ଯ୍ୟାଳୟ ସମ୍ମୁଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଉଗ୍ରରୂପ ଧାରଣ କଲା । କେହି କିଛି ବୁଝିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହେଲା । ଏହାପରେ ମହିଳା ଜଣକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟ ବାରଣ୍ଡାକୁ ଉଠିଗଲେ । ପୁରୁଷ ଜଣକ ସେଠାକୁ ଯାଇ ମହିଳାଙ୍କୁ ନିସ୍ତୁକ ପିଟିଲେ । ମହିଳାଙ୍କ ଚିତ୍କାର ଶୁଣି କାର୍ଯ୍ୟରତ କର୍ମଚାରୀଙ୍କ ସମେତ ବହୁ ଲୋକ ସେଠାରେ ରୁଣ୍ଡ ହେଲେ । ଶାନ୍ତ ହେବାକୁ କହିଲେ । ମାତ୍ର ପୁରୁଷ ଜଣକ ଶୁଣିବା ଅବସ୍ଥାରେ ନ ଥିଲେ । ସେ ମହିଳା ଜଣଙ୍କୁ ମାରୁଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଗୌରୀ ଦାସ ପ୍ରତିବାଦ କରିଥିଲେ । ପୁରୁଷ ଜଣକ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ । ବିଧା, ଚାପଡ଼ା ଗୌରୀଙ୍କ ଉପରେ ବସିଥିଲା । ଏହାପରେ ପୁରୁଷ ଜଣଙ୍କୁ ଲୋକେ କାବୁ କରିଥିଲେ । ପରିସ୍ଥିତି ଶାନ୍ତ ପଡ଼ିବା ପରେ ତୁମୁଳକାଣ୍ଡର ଗୁମର ଫିଟିଥିଲା । ସଂପୃକ୍ତ ମହିଳା-ପୁରୁଷ ହେଉଛନ୍ତି ସ୍ୱାମୀ-ସ୍ତ୍ରୀ । ବିବାହ ବିଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଥିଲା ।

ସୂଚନା ମୁତାବକ, ୨୦୧୮ ଜୁଲାଇ ୬ ତାରିଖରେ ଆକତପୁର ଅଞ୍ଚଳର ସିଦ୍ଧାର୍ଥ ନାୟକ ବାହାନଗା ବ୍ଲକ ଅନ୍ତର୍ଗତ ଆରୁହା ଅଞ୍ଚଳର ସୁବାସିନୀ ମହାନ୍ତିଙ୍କୁ ବିବାହ କରିଥିଲେ । ସିଦ୍ଧାର୍ଥ ଭୁବନେଶ୍ୱରର ସିଭିଲ ସପ୍ଲାଇ କାର୍ଯ୍ୟାଳୟରେ ଉଚ୍ଚ ଦରମାପ୍ରାପ୍ତ କର୍ମଚାରୀ । ସେମାନଙ୍କର ଅଢ଼େଇ ବର୍ଷର ପୁଅଟିଏ ମଧ୍ୟ ଅଛି । ତେବେ ବିବାହ ପରେ ସିଦ୍ଧାର୍ଥ ମାଆ, ଭଉଣୀ କଥାରେ ପଡ଼ି ସ୍ତ୍ରୀ ସୁବାସିନୀଙ୍କୁ ଉଭୟ ମାନସିକ, ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଗତବର୍ଷ ଗଣେଶ ପୂଜା ଦିନ ସ୍ୱାମୀ, ଶାଶୂ, ନଣନ୍ଦ ମିଶି ତାଙ୍କୁ ଘରୁ ବାହାର କରି ଦେଇଥିବା ସୁବାସିନୀ ଅଭିଯୋଗ କରିଛନ୍ତି । ଏନେଇ ସୁବାସିନୀ ଏସ୍‌ପି କାର୍ଯ୍ୟାଳୟର ମହିଳା ସେଲ୍‌ରେ ଅଭିଯୋଗ କରିଥିଲେ । ମାତ୍ର ଏସ୍‌ପି କାର୍ଯ୍ୟାଳୟ ପକ୍ଷରୁ ଟାଳଟୁଳ ନୀତି ଆପଣାଇବାରୁ ସିଦ୍ଧାର୍ଥ ଏହି ସମୟରେ ବିବାହ ବିଚ୍ଛେଦ ପାଇଁ ନୋଟିସ ପଠାଇଥିଲେ । ମାତ୍ର ସୁବାସିନୀ ଏଥିରେ ରାଜି ହୋଇ ନଥିଲେ । ଫଳରେ ଅଙ୍ଗନବାଡ଼ି କର୍ମୀ ଗୌରୀ ଦାସଙ୍କ ସହାୟତାରେ ସୁବାସିନୀ ମହିଳା ପ୍ରୋଟେକସନ ବିଭାଗକୁ ଯାଇଥିଲେ । ମାତ୍ର ସେଠାରେ କିଛି ସୁଫଳ ମିଳି ନଥିଲା ।

ସୋମବାର ପରିବାର ଅଦାଲତର ପ୍ରଥମ ତାରିଖ ଥିଲା । ଉଭୟ ସ୍ୱାମୀ, ସ୍ତ୍ରୀ ସେଠାରେ ହାଜର ହୋଇଥିଲେ । ବିଚାରପତିଙ୍କ ନିକଟରେ ସିଦ୍ଧାର୍ଥ ବିବାହ ବିଚ୍ଛେଦ କରିବାକୁ କହିଥିବା ବେଳେ ସୁବାସିନୀ ରାଜି ହୋଇ ନଥିଲେ । ଏହାକୁ ନେଇ ବିଚାରପତିଙ୍କ ସମ୍ମୁଖରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଫଳରେ ବିଚାର ପାଇଁ ଆଉ ଗୋଟେ ତାରିଖ ଧାର୍ଯ୍ୟ ହୋଇଥିଲା । ସେଠାରୁ ଫେରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଝଗଡ଼ା ତୀବ୍ର ରୂପ ନେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଦ୍ଧାର୍ଥ ସୁବାସିନୀଙ୍କୁ ମାଡ଼ ମାରିଥିଲେ । ସ୍ତ୍ରୀ ସୁବାସିନୀ ମଧ୍ୟ ତାଙ୍କୁ ଛାଡ଼ି ନ ଥିଲେ । ସର୍ବ ସମ୍ମୁଖ ଆଗରେ ତାଙ୍କୁ ବାଡ଼େଇବାକୁ ପଛାଇ ନ ଥିଲେ । ତେବେ ନିଜ ଉପରେ ଆକ୍ରମଣକୁ ବିରୋଧ କରି ଅଙ୍ଗନବାଡ଼ି କର୍ମୀ ଗୌରୀ ଦାସ ସହଦେବଖୁଣ୍ଟା ଥାନାରେ ସିଦ୍ଧାର୍ଥଙ୍କ ନାଁରେ ଏତଲା ଦେଇଛନ୍ତି । ଅପରପକ୍ଷରେ ସିଦ୍ଧାର୍ଥଙ୍କ ବିରୋଧରେ ମହିଳା କମିସନଙ୍କୁ ଭେଟିବେ ବୋଲି ସୁବାସିନୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.