ଭେଣ୍ଟିଲେଟରରେ ଥିଲେ ସ୍ବାମୀ, ୩ ଘଣ୍ଟା ଭେଟିଲେ ପତ୍ନୀ... ତାପରେ ହେଲା ଏମିତି ଚମତ୍କାର

Published By : Prameya-News7 Bureau | April 28, 2020 IST

ଓ୍ବାଶିଂଟନ୍ ୨୮।୪: ଆମେରିକାରେ କରୋନା ଭାଇରସ୍ ରୋଗୀ ଏବଂ ଡାକ୍ତରମାନେ ବହୁ ସଂଘର୍ଷ କରୁଛନ୍ତି । ଚିକିତ୍ସା ସମୟରେ ଡାକ୍ତରମାନଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଉତ୍କୃଷ୍ଟ ଚିକିତ୍ସା ସୁବିଧା ସତ୍ତ୍ବେ ଆମେରିକାରେ ୫୬ ହଜାରରୁ ଅଧିକ ଲୋକଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇସାରିଲାଣି । ଏହି ସମୟ ଏଭଳି ଏକ ଘଟଣା ଘଟିଛି ଯାହା ଖୁବ୍ ହୃଦୟବିଦାରକ ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକାର ମାସାଚୁସେଟ୍ସର ୪୯ ବର୍ଷ ବୟସ୍କ ଜିମ୍ ବେଲୋ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଜିମ୍ ବେଲୋ ପେଶାରେ ଜଣେ ଓକିଲ । ଏହାସହ ସେ ଆଥଲେଟିକ୍ସରେ ମଧ୍ୟ ଭାଗ ନେଉଥିଲେ । ସେ ସୁସ୍ଥ ଥିଲେ ଏବଂ ତାଙ୍କର ପୂର୍ବରୁ କୌଣସି ରୋଗ ନଥିଲା । କିନ୍ତୁ କରୋନାରେ ସଂକ୍ରମିତ ହୋଇ ସେ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରମାନେ ଜିମ୍ ବେଲୋଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କର ବଞ୍ଚିବାର ସମ୍ଭାବନା କମ୍ ଏବଂ ମୃତ୍ୟୁର ସମ୍ଭାବନା ଅଧିକ ।

ଜିମ୍ ବେଲୋ ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାର୍ଚ୍ଚ ମାସ ଆରମ୍ଭରେ ତାଙ୍କୁ ଭୀଷଣ ଜ୍ବର ହୋଇଥିଲା । ତାଙ୍କୁ ୩୨ ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହି ସମୟରେ ତାଙ୍କୁ କୃତ୍ରିମ ହାର୍ଟ-ଫୁସ୍‌ଫୁସ୍ ଯନ୍ତ୍ର ସାହାଯ୍ୟରେ ୯ ଦିନ ଜୀବନ୍ତ ରଖାଯାଇଥିଲା । ଜିମ୍ ବେଲୋଙ୍କ ଫୁସ୍‌ଫୁସ୍ କାମ କରିବା ବନ୍ଦ କରିଦେଲା । ଡାକ୍ତର କହିଥିଲେ ଯେ, ଏପର୍ଯ୍ୟନ୍ତ ତାଙ୍କ ଫୁସ୍‌ଫୁସ୍‌ର ଏକ୍ସ-ରେ ରିପୋର୍ଟ ଯାହା ଥିଲା ଏଥରକର ରିପୋର୍ଟ ସବୁଠାରୁ ଖରାପ ରହିଛି ।

ଡାକ୍ତରମାନେ ଜିମ୍ ବେଲୋଙ୍କୁ ଅନେକ ପରୀକ୍ଷାମୂଳକ ଔଷଧ ସହିତ ଚିକିତ୍ସା କରିଥିଲେ । କିନ୍ତୁ ଯେତେବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲା ଦିନେ ଡାକ୍ତର ତାଙ୍କ ପତ୍ନୀ କିମ୍ ବେଲୋଙ୍କୁ ଭେଟିବାକୁ ଡାକିଥିଲେ । ସେ ଦ୍ବିତୀୟ ଥର ତାଙ୍କ ଅସୁସ୍ଥ ସ୍ବାମୀଙ୍କୁ ଭେଟିବାକୁ ଆସିଥିଲେ । ପତ୍ନୀ କିମ୍ ବେଲୋ କହିଛନ୍ତି ଯେ, ସ୍ବାମୀଙ୍କୁ ଭେଟିବା ସମୟରେ ସେ ଅନୁଭବ କରିଥିଲେ ଯେ ଯଦି ସ୍ବାମୀଙ୍କ ସହ ଘଣ୍ଟା ଘଣ୍ଟା କଥା ହୁଅନ୍ତି, ତାହେଲେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇପାରିବ । ଭେଟିବା ସମୟରେ ପରିବାରକୁ ତାଙ୍କର କେତେ ଆବଶ୍ୟକତା ରହିଛି ଜିମ୍ ବେଲୋଙ୍କୁ ସେ କହିଥିଲେ । ତାଙ୍କୁ ଲଢିବାକୁ ପଡିବ । ସେ ତାଙ୍କୁ ଛାଡି ଯାଇପାରିବେ ନାହିଁ ।

ଡାକ୍ତରମାନେ ପ୍ରଥମେ କିମ୍‌ଙ୍କୁ ଭେଟିବାକୁ ମାତ୍ର ୧୫ମିନିଟ୍ ଦେଇଥିଲେ । କିନ୍ତୁ ପରେ ଡାକ୍ତରମାନେ ତାଙ୍କୁ ୩ଘଣ୍ଟା ପାଇଁ ଅନୁମତି ଦେଇଥିଲେ । କିମ୍ ବେଲୋ ଏହି ସମୟରେ ତାଙ୍କ ସ୍ବାମୀଙ୍କୁ କହିଥଲେ ‘ମୁଁ ତୁମ ହାତ ଧରିଛି । ମୁଁ ତୁମ ମୁଣ୍ଡକୁ ଆଉଁସୁଛି ।’

ଏହାପରେ ଧିରେ ଧିରେ ଜିମ୍ ବେଲୋ ସୁସ୍ଥ ହେବାକୁ ଲାଗିଲେ । ଡାକ୍ତରମାନେ ଜାଣିପାରିଲେ ନାହିଁ ଯେ, ସେ କିପରି ବଞ୍ଚିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପଲ୍ କ୍ୟୁରିଅର୍ କହିଛନ୍ତି- ‘ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ ଯଦି ପତ୍ନୀଙ୍କ ସହ ସାକ୍ଷାତ ତାଙ୍କୁ ବଞ୍ଚିବାରେ ସାହାଯ୍ୟ କରିଥାଏ । ପତ୍ନୀ ତାଙ୍କ ବେଡ୍ ନିକଟରେ ୩ ଘଣ୍ଟା ବସିଥିଲେ । ଏହା ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଥିଲା । ଏହିପରି ଜିନିଷଗୁଡିକ କେତେ ଜରୁରୀ ତାହା ଅଣଦେଖା କରିପାରିବାନାହିଁ ।'

ପତ୍ନୀଙ୍କୁ ଭେଟିବାର ମାତ୍ର ତିନି ଦିନ ପରେ ଡାକ୍ତରମାନେ ଏକ୍ସ-ରେ ରିପୋର୍ଟରେ କିଛି ନୂଆ ଆଶା ଦେଖିଲେ । ଏହାପରେ ଜିମ୍ ବେଲୋଙ୍କ ଅବସ୍ଥା ସୁଧାରିବାକୁ ଲାଗିଲା । ଶେଷରେ ଅପ୍ରେଲ ୧୪ରେ ଜିମ୍ ବେଲୋଙ୍କୁ ଭେଣ୍ଟିଲେଟରରୁ ବାହାର କରାଗଲା । ସେ ନିଜେ ନିଶ୍ବାସ ନେବାକୁ ଲାଗିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.