ନୂଆଦିଲ୍ଲୀ ୦୬/୦୯: କୁହାଯାଏ ସ୍ବାମୀ ଓ ସ୍ତ୍ରୀ ସମ୍ପର୍କ ସାତ ଜନ୍ମ ପାଇଁ । ସ୍ବାମୀ ପାଇଁ ସ୍ତ୍ରୀ ଆଉ ସ୍ତ୍ରୀ ପାଇଁ ସ୍ବାମୀ । ସତ୍ୟବାନଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ । ଏକଥା ପୁରାଣରେ ବର୍ଣ୍ଣିତ ଆଉ ଏଥିପାଇଁ ସାବିତ୍ରୀ ବ୍ରତ ମଧ୍ୟ ପାଳନ ହେଉଛି । କିନ୍ତୁ ଏବେ ଏମିତି ଜଣେ ସ୍ବାମୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛୁ ଯିଏ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସ୍କୁଟିରେ ୧୨୦୦ କି.ମି ଯାତ୍ରା କରିଛନ୍ତି ।
ଝାଡ଼ଖଣ୍ଡର ଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ଗଣ୍ଟାଟୋଲା ଗାଁର ବାସିନ୍ଦା ଧନଞ୍ଜୟ କୁମାର(୨୭) ନିଜ ୬ ମାସର ଗର୍ଭବତୀ ସ୍ତ୍ରୀ ସୋନି(୨୨)ଙ୍କୁ ସ୍କୁଟରରେ ବସାଇ ଡିଏଡ୍ ପରୀକ୍ଷା ଦେବାକୁ ଗ୍ବାଲିୟର ନେଇଯାଇଥିଲେ। କରୋନା କାଳରେ ଗାଡ଼ି ବନ୍ଦ ଥିବା ବେଳେ ସ୍ତ୍ରୀ ସୋନି ବି ଗର୍ଭବତୀ, ତେଣୁ ସ୍କୁଟରକୁ ବାଛିଲେ ବୋଲି କହିଛନ୍ତି ଧନଞ୍ଜୟ।
ସେପଟେ ଟ୍ୟାକ୍ସିରେ ଗ୍ବାଲିୟର ଯାଇଥିଲେ ଅତିକମରେ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସେଥିପାଇଁ ସ୍କୁଟରରେ ଯିବାକୁ ସ୍ଥିର କଲୁ । ପ୍ରଥମେ ସୋନି ରାଜି ହୋଇନଥିଲେ । ପରେ ଗହଣା ବନ୍ଧା ପକାଇ ୧୦ ହଜାର ଯୋଗଡ଼ କରି ଗ୍ବାଲିୟର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲୁ । ରାସ୍ତାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି । ବିଶେଷ କରି ବିହାରରେ ବନ୍ୟା ଯୋଗୁଁ ରାସ୍ତା ଘାଟ ଖାଲ ଖମାରେ ପୂର୍ଣ୍ଣ । ସେଠାରେ ସ୍କୁଟର ଚଳାଇବା ବେଳେ ସୋନିଙ୍କୁ କଷ୍ଟ ହୋଇଥିଲା ବୋଲି କହିଛନ୍ତି ଧନଞ୍ଜୟ ।
ପରେ ମୁଜାଫରପୁର, ଲକ୍ଷ୍ନୌରେ ରାତ୍ରୀଯାପନ କରିବା ସହ ଦୁଇ ଦିନ ଯାତ୍ରା କରି ୩୦ ଅଗଷ୍ଟରେ ଗ୍ବାଲିୟର ପହଞ୍ଚିଥିଲେ ସ୍ବାମୀ-ସ୍ତ୍ରୀ । ତେବେ ସେଠାରୁ ଫେରିବାକୁ ସରକାର କିଛି ନକଲେ ସେମାନେ ପୁଣି ସ୍କୁଟର ଯୋଗେ ଫେରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଧନଞ୍ଜୟ କୁମାର ।