ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଲା, ନିଜେ ଗଛରେ ଦଉଡି ଲଗାଇ ଝୁଲିଗଲା: ଘର କଳିର କରୁଣ ଇତି

Published By : Prameya-News7 Bureau | April 27, 2021 IST

ନବରଙ୍ଗପୁର ୨୭।୦୪:  ସ୍ତ୍ରୀ କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଧିନସ୍ଥ ଭଣ୍ଡିମାଲ ଗାଁରେ। ପୋଲିସ ମାମଲାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଉମରକୋଟ ବ୍ଲକ କେରାଗାଁ ଗ୍ରାମର ନୀଳଧର ଯାନୀ ଏବଂ ପାର୍ବତୀ ଜାନୀ ୬ ମାସର ଶିଶୁ ପୁତ୍ରକୁ ଧରି ଦୁହେଁ ମିଶି ଭଣ୍ଡିମାଲ ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଭଉଣୀଙ୍କ ଘରକୁ ଗତ କାଲି ଆସିଥିଲେ। କାଲି ରାତି ଭଜନ ଖାଇ ସାରିବା ପରେ ସ୍ୱାମୀ ଶୌଚ କରିବାକୁ ଯିବା କହି ସ୍ତ୍ରୀକୁ ବିଳମ୍ବିତ ରାତିରେ ଘରୁ ବାହାରକୁ ନେଇ ଯାଇଥିଲେ। ଏହା ପରେ ଆଉ ଘରକୁ ଫେରି ନଥିଲେ।

ସକାଳୁ ଗ୍ରାମର କିଛି ଯୁବକ ଗ୍ରାମ ନିକଟସ୍ଥ ଏକ ପୋଖରୀ ହିଡ଼ରେ ବେକ କଟା ଅବସ୍ଥାରେ ସ୍ତ୍ରୀର ମୃତ ଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ। ସେହି ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ଗଛରେ ସ୍ୱାମୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଗ୍ରାମବାସୀ ସଙ୍ଗେ ସଙ୍ଗେ କୋଡ଼ିଗାଁ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ କାରଣରୁ  ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କୋଡ଼ିଙ୍ଗା ପୋଲିସ ସାଇଣ୍ଟିଫିକ ଟିମର ସହାୟତା ଲଢ଼ିଛି,ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ଆସି ପହଞ୍ଚିବେ,କୋଡ଼ିଙ୍ଗା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.