ପାରିବାରିକ କଳହର କରୁଣ ପରିଣତି ; ସ୍ତ୍ରୀର ଗଳା କାଟି ସ୍ବାମୀର ଆତ୍ମହତ୍ୟା
17/12/2018 at 11:44 AM

ଦିଗପହଣ୍ଡି ୧୭|୧୨: ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଥାନା ବାଗଡା ଗାଁରେ । ପାରିବାରିକ କଳହକୁ କେନ୍ଦ୍ରକରି ଏମିତି ଅଘଟଣ ଘଟିଥିବା ଜଣାପଡିଛି । ମୃତକ ବାଗଡା ଗାଁର ବାଙ୍କିଆ ସେଠୀ ଓ ତାଙ୍କ ପତ୍ନୀ ନୟନି ସେଠୀ । ରବିବାର ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତ୍ତ୍ୟକ୍ତ ହୋଇ ବାଙ୍କିଆ ତାଙ୍କ ସ୍ତ୍ରୀ ନୟନିଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ନୟନିଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ବ୍ରହ୍ମପୁର ରେଫର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ମୃତ୍ୟୁ ପରେ ସ୍ବାମୀ ବାଙ୍କିଆ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସ୍ବାମୀ-ସ୍ତ୍ରୀ ଘର ଭଡା ନେଇ ୭/୮ ମାସ ହେଲା ବାଗଡ଼ା ଗାଁରେ ରହୁଥିଲେ । ବାଙ୍କିଆଙ୍କ ଘର ବଡବିମ୍ବଳା । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।