ମୋବାଇଲ ଚାର୍ଜରରେ ତଣ୍ଟି ଚିପି ସ୍ଵାମୀଙ୍କୁ ମାରି ଦେଲେ, ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଓକିଲ

Published By : Prameya-News7 Bureau | September 16, 2020 IST

କୋଲକାତା ୧୬।୦୯: ପଶ୍ଚିମବଙ୍ଗର ଉତ୍ତରୀ ୨୪ ପ୍ରଗଣା ଜିଲ୍ଲାର ଏକ ଫାଷ୍ଟ ଟ୍ରାକ ଅଦାଲତ ବୁଧବାର ଓକିଲ ଅନିନ୍ଦିତା ପାଲଙ୍କୁ ମୋବାଇଲ ଚାର୍ଜରରେ ସ୍ଵାମୀଙ୍କ ବେକ ଚିପି ହତ୍ୟା କରିବା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅତିରିକ୍ତ ଜିଲ୍ଲା ଦୌରା ଜଜ ସୁଜିତ କୁମାର ଝା ସୋମବାର ସ୍ଵାମୀଙ୍କୁ  ହତ୍ୟା ମାମଲାରେ ଓକିଲ ଅନିନ୍ଦିତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସଜା ଶୁଣାଇଛନ୍ତି। ଏହା ସହିତ ୧୦ ଟଙ୍କାର ଜୋରିମାନା ଲଗାଇଛନ୍ତି। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଅତିରିକ୍ତ ଏକ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି।

ସ୍ଵତନ୍ତ୍ର ସରକାରୀ ଓକିଲ ବିଭାସ ଚାଟାର୍ଜୀ ଦୋଷୀ ଅନିନ୍ଦିତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ଅନୁରୋଧ କରିଥିଲେ। ସେ କୋର୍ଟରେ କହିଥିଲେ ଯେ, ଏହା ସୁନିୟୋଜିତ ହତ୍ୟାକାଣ୍ଡ। କିନ୍ତୁ କୋର୍ଟ ମହିଳା ଓକିଲଙ୍କ ତିନି ବର୍ଷର ଛୁଆ ଥିବାରୁ ଏବଂ ଘଟଣା ସମୟରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

କୋର୍ଟ ରୁମରୁ ଭ୍ୟାନ୍‌ରେ ଜେଲ୍‌ ନିଆଯିବା ସମୟରେ ଅନିନ୍ଦିତା କହିଛନ୍ତି ଯେ, ତାଙ୍କୁ ଏହି କେସ୍‌ରେ ଫସା ଯାଇଛି ଏବଂ ଦେହରେ ଶେଷ ରକ୍ତ ଥିବା ପର୍ଯ୍ୟନ୍ତ ଲଢିବେ। ମୋକଦ୍ଦମା ସମୟରେ ଅଭିଯୋଜନ ପକ୍ଷଙ୍କ ଓକିଲ କହିଥିଲେ ଯେ, ୨୦୧୮ ନଭେମ୍ବର ୨୪ ରାତିରେ କୋଲକାତା ସ୍ଥିତ ନିଜର ନ୍ୟୁଟାଉନ ଫ୍ଲାଟ୍‌ରେ ମୋବାଇଲ ଫୋନ ଚାର୍ଜର ତାର ସହିତ ସ୍ଵାମୀ ରଜତଙ୍କ ବେକ ଚିପି ହତ୍ୟା କରିଥିଲେ। ରଜତ ମଧ୍ୟ ଜଣେ ଓକିଲ।

ଓକିଲ କହିଛନ୍ତି କିଛି ସମୟ ପୂର୍ବରୁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ରଜତଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଅନିନ୍ଦିତାଙ୍କ ଓକିଲ ପିନାକ ମିଶ୍ର ଦାବି କରିଥିଲେ ଅନିନ୍ଦିତା ଅନ୍ୟ କୋଠରୀରେ ଶୋଇଥିଲେ। ସେ ଯେତେବେଳେ ରଜତଙ୍କ ରୁମକୁ କିଛି ଶବ୍ଦ ଶୁଣିଲେ ତୁରନ୍ତ ସେଠାକୁ ଯାଇଥିଲେ। ହେଲେ  ରଜତଙ୍କୁ ଫାଶିରେ ଝୁଲୁଥିବା ଦେଖିବାକୁ ପାଇଲେ।

ରଜତଙ୍କ ବାପା ପୁଅକୁ ହତ୍ୟା କରିଥିବା ବୋହୂ ଅନିନ୍ଦିତାଙ୍କ ବିରୋଧରେ ଥାନାରେ ଏଫଆଇଆର ଦେଇଥିଲେ। ଏହା ପରେ ନଭେମ୍ବର ୨୯ରେ ପୋଲିସ ଅନିନ୍ଦିତାଙ୍କୁ ଗିରଫ କରିଥିଲା। କୋର୍ଟରେ ମାମଲାର ଶୁଣାଣି ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିଲା। ଉଲ୍ଲେଖନୀୟ ଅନିନ୍ଦିତା ଓ ରଜତ ଉଭୟ କୋଲକାତା ହାଇକୋର୍ଟରେ ପ୍ରାକ୍ଟିସ୍ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.