ସ୍ବାମୀଙ୍କୁ ଧୋକା ଦେଇ ଦ୍ବିତୀୟ ବିବାହ କରୁଥିଲେ ସ୍ତ୍ରୀ, ମେହେନ୍ଦୀ ଉତ୍ସବରେ ଧରାପକାଇ ଦେଲେ ସ୍ବାମୀ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ବର ୨୮।୧୧: ସ୍ବାମୀଙ୍କୁ ପ୍ରତାରଣା କଲେ ସ୍ତ୍ରୀ । ସ୍ବାମୀଙ୍କୁ ଧୋକାଦେଇ ଅନ୍ୟ ଆଡେ ବିବାହ ପାଇଁ ଯୋଜନା କରିଥିଲେ ସ୍ତ୍ରୀ । ସ୍ତ୍ରୀର ମଙ୍ଗଳକୃତ୍ୟ ଉତ୍ସବରେ ବିବାହ ପ୍ରମାଣପତ୍ର ସହ ପହଞ୍ଚିଥିଲେ ସ୍ବାମୀ । ଏଭଳି ଏକ ଘଟଣା ଭୁବନେଶ୍ବର ସ୍ଥିତ ନୂଆପଲ୍ଲୀ ଭିଆଇପି କଲୋନୀ ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଅଞ୍ଚଳର ରାକେଶ ବାରିକ୍‌ ଓ ଭିଆଇପି କଲୋନୀରେ ରହୁଥିବା ଜଣେ ଲିପସା (ଛଦ୍ମନାମ) ଆଚାର୍ଯ୍ୟବିହାରରେ ବ୍ୟାଙ୍କିଙ୍ଗ କୋଚିଂ ନେଉଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅଲଗା ଜାତି ଯୋଗୁଁ ଉଭୟଙ୍କ ପରିବାର କିନ୍ତୁ ବିବାହ ପାଇଁ ରାଜି ନଥିଲେ । ଶେଷରେ ବାଧ୍ୟହୋଇ ୨୦୧୩ ମସିହାରେ କୋର୍ଟ ମ୍ୟାରେଜ୍‌ କରିଥିଲେ । ଏହାପରେ ଧୀରେ ଧୀରେ ଉଭୟଙ୍କ ପରିବାର ମଧ୍ୟ ବିବାହକୁ ସ୍ବୀକୃତି ଦେଇଥିଲେ ।

ଏହାପରେ ରାକେଶ ଟାଟା ଷ୍ଟିଲରେ ଚାକିରି କରିବାକୁ ଭୁବନେଶ୍ୱର ଛାଡି଼ ପଳାଇଲେ । ସେପଟେ ଲିପସା ମଧ୍ୟ ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ କୋଲକାତା ଗଲେ । ଗତବର୍ଷ ଲିପସା ଦିଲ୍ଲୀର ନୋଏଡାକୁ ଯାଇ ସେଠାରେ ଅନ୍ୟ ଏକ ସଂସ୍ଥାରେ ଚାକିରି କଲେ । ବିବାହର ୩-୪ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ଥିଲା । ଫୋନ୍‌ରେ ଯୋଗାଯୋଗ ହେଉଥିଲା । ରାକେଶ ମଧ୍ୟ ମେ ମାସରେ ନୋଏଡାରେ ଲିପସାଙ୍କୁ ଭେଟିଥିଲେ । ହେଲେ କିଛି ଦିନ ତଳେ ଲିପସା ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଏକ ଫଟୋକୁ ଦେଖି ରାକେଶଙ୍କ ସନ୍ଦେହ ହୋଇଥିଲା । ଲିପସାଙ୍କ କିଛି ସହକର୍ମୀଙ୍କ ଠାରୁ ଜାଣିବାକୁ ପାଇଲେ, ଲିପସା ବିହାର ପାଟଣାର ଜଣେ ଯୁବକଙ୍କୁ ନଭେମ୍ବର ୨୮ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ଏହା ଜାଣିବା ପରେ ରାକେଶଙ୍କ ପାଦ ତଳୁ ମାଟି ଖସିଗଲା। ସେ ଲିପସାଙ୍କ ପରିବାର ଲୋକଙ୍କୁ ଅନେକଥର ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଶେଷରେ ଗତ ୨୫ ତାରିଖରେ ଅନୁଗୋଳର ଫ୍ୟାମିଲି କୋର୍ଟରେ ଏନେଇ ଏକ ମାମଲା ଦାୟର କରିଥିଲେ। କୋର୍ଟ ମଧ୍ୟ ବିବାହ ପ୍ରମାଣପତ୍ର ଦେଖି ଅନ୍ୟତ୍ର ବିବାହ ନ କରିବା ପାଇଁ ଆଦେଶ ଦେଇଥିଲେ । କୋର୍ଟଙ୍କ ଦ୍ବାରା ପ୍ରେରିତ ନୋଟିସକୁ କିନ୍ତୁ ଲିପସାଙ୍କ ପରିବାର ଲୋକ ଅବଜ୍ଞା କରି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ ଚଳାଇଥିଲେ। ଭିଆଇପି କଲୋନୀ ସ୍ଥିତ ଲିପସାଙ୍କ ଘରେ ଏନେଇ ‘ମେହେନ୍ଦୀ ଉତ୍ସବ’ ଚାଲିଥିଲା । ଏତିକିବେଳେ ରାକେଶ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ । ଶେଷରେ ନୂଆପଲ୍ଲୀ ଥାନା ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଲିପସାଙ୍କ ବିବାହ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.