ସ୍ତ୍ରୀର ହତ୍ୟା ମାମଲାରେ ଜେଲରେ ଦଣ୍ଡ ଭୋଗୁଛି ସ୍ୱାମୀ; ସେପଟେ ଜେଲକୁ ଯାଇ ସ୍ତ୍ରୀ କହିଲା ମୁଁ ବଂଚିଛି

Published By : Prameya-News7 Bureau | January 04, 2019 IST

ଜୟପୁର ୪/୧ : ବେଳେବେଳେ ଆମ ସାମ୍ନାକୁ ଏମିତି ଘଟଣା ଆସିଥାଏ ଯାହା  ବିଶ୍ୱାସ କରିବା ସମ୍ଭବ ହୋଇନଥାଏ | ବିହାର ସୁପୋଲ ଅଂଚଳରୁ ଆସିଛି ଏକ ଆଶ୍ଚର୍ଯ୍ୟ ଖବର | ଏକ ହତ୍ୟା ମାମଲାରେ ଆସିଥିବା ଟ୍ଵିଷ୍ଟକୁ ନେଇ ପୋଲିସ ନିଜେ ମଧ୍ୟ ଚକିତ ହୋଇଯାଇଛି |

ଘଟଣାଟି ଏଭଳି : ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲରେ ଦଣ୍ଡ ଭୋଗୁଛି | ଅଚାନକ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ଥାନାରେ ପହଂଚି କହିଛନ୍ତି ଯେ, ସେ ବଞ୍ଚିଛନ୍ତି | ତାଙ୍କ ସ୍ୱାମୀମନକୁ କାହିଁକି ଜେଲରେ ବନ୍ଦ କରି ରଖାଯାଇଛି ବୋଲି ମହିଳା ପୋଲିସକୁ ପ୍ରଶ୍ନ କରିଥିଲେ |

ସୂଚନାଯୋଗ୍ୟ ଯେ ମହିଳାଙ୍କ ସ୍ୱାମୀ ଗତ ୫ବର୍ଷ ହେଲା ଜେଲରେ ଅଛନ୍ତି | ମହିଳାଙ୍କ ପ୍ରଶ୍ନର ଜବାବରେ ପୋଲିସ କହିଥିଲା ଯେ, ସୋନିଆ ନାମକ ଜଣେ ବିବାହିତା ମହିଳାଙ୍କ ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ | ମହିଳାଙ୍କ ପରିବାର ଲୋକେ ମହିଳାଙ୍କ ଶାଶୂଘର ଲୋକ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ | ଘଟଣାରେ ପୋଲିସ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ଶ୍ୱଶୁରଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଭର୍ତ୍ତି କରିଦେଇଥିଲା | ପାଖାପାଖି ୫ ମାସ ପୂର୍ବରୁ ସେଠାକାର ଏକ ନଦୀ କୁଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ସେହି ମୃତଦେହ ସୋନିଆଙ୍କ ଭାବି ପୋଲିସ ସୋନିଆଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ଗିରଫ କରିଥିଲା | ତେବେ ପଚରାଉଚୁରା ବେଳେ ସୋନିଆଙ୍କ ସ୍ୱାମୀ ପୋଲିସକୁ କହିଥିଲେ ଯେ, ସେହି ମୃତଦେହ ତାଙ୍କ ସ୍ତ୍ରୀର ନୁହେଁ | ତେବେ ପୋଲିସ ତାଙ୍କ କଥା ବିଶ୍ୱାସ କରିନଥିଲା | ଓଲଟା ସ୍ତ୍ରୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିବ ପାଇଁ ତାଙ୍କୁ ବାଧ୍ୟ କରିଥିଲା | ଏଭଳି ନକଲେ ତାଙ୍କୁ ପୋଲିସ ବହୁତ ମାଡ ମାରିବ ବୋଲି ଧମକ ଦେଇଥିଲା | ସେହି ଭୟରେ ମହିଳାଙ୍କ ସ୍ୱାମୀ ରଂଜିତ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ | ଯାହାଫଳରେ ରଂଜିତକୁ ଜେଲ ହୋଇଯାଇଥିଲା |

ମହିଳା ତାଙ୍କ ସ୍ୱାମୀଙ୍କୁ ନିର୍ଦୋଷରେ ଖଲାସ କରିବ ପାଇଁ ପୋଲିସକୁ ନିବେଦନ କରିଛି | ଅପରପକ୍ଷରେ ପୋଲିସର କାର୍ଯ୍ୟ ଶୈଳୀ ନେଇ ପ୍ରଶ୍ନ ଉଠିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.