ସ୍ୱାମୀ ଯୌତୁକ ନେବାକୁ ମନା କରିଦେବାରୁ ରାଗିଗଲେ ସ୍ତ୍ରୀ: ଯାଉନାହାନ୍ତି ଶାଶୁଘର, ଗୋଟିଏ ଜିଦ୍ 'ଜିନିଷ ନେଲେ ଯିବି'

Published By : Prameya-News7 Bureau | December 05, 2021 IST

ଭୋପାଲ ୦୫/୧୨ : ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ସ୍ୱାମୀ-ସ୍ତ୍ରୀ ଝଗଡାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପତ୍ନୀ ଏଇଥିପାଇଁ ରାଗିଛନ୍ତି ଯେ ତାଙ୍କ ଘରୁ ମିଳିଥିବା କାର ଓ ଅନ୍ୟାନ୍ୟ ଆସବାବପତ୍ର ନେବାକୁ ସ୍ୱାମୀ ମନା କରୁଛନ୍ତି। ମାମଲାରେ ବିବାଦ ଏତେ ବଢିଯାଇଛି ଯେ ପତ୍ନୀ ଶାଶୁଘରକୁ ଯିବାକୁ ରାଜି ହେଉନାହାନ୍ତି। ପତ୍ନୀ ଜିଦ ପାଇଁ ମାମଲା ବର୍ତ୍ତମାନ କୋର୍ଟରେ। ସ୍ୱାମୀ ସ୍ତ୍ରୀଙ୍କୁ ଘରକୁ ଆଣିବାକୁ ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୯ ଅନୁଯାୟୀ ପରିବାଦ ଦାଏର କରିଛନ୍ତି। ମାମଲାରେ କୋର୍ଟରେ ବିଚାର ଚାଲିଛି।

ମାମଲା ଭୋପାଲର ପଶ ଅରେରା କଲୋନୀର। ମାମଲା ସମ୍ପର୍କରେ ପୁରୁଷଙ୍କ ପାଇଁ କାମ କରୁଥିବା ସଂସ୍ଥା ଭାଇ ୱେଲଫେୟାର ସୋସାଇଟିକୁ ଯୁବକ ସମସ୍ତ ସୂଚନା ଦେଇଛନ୍ତି।  ସଂସ୍ଥାକୁ ଯୁବକ ଜଣକ କହିଛନ୍ତି ଯେ ତାଙ୍କ ବିବାହ ଚଳିତ ବର୍ଷ ଫେବୃଆରୀ ୧୪ ରେ ହୋଇଥିଲା। ବିବାହର ସବୁ ରୀତିନୀତି ପାଇଁ ସେ ଶ୍ୱଶୁରଘରୁ ଟଙ୍କାଟିଏ ନେଇଥିଲେ। ତାପରେ ମଧ୍ୟ ଶ୍ୱଶୁରଘର ଲୋକ ତାଙ୍କ ପାଇଁ କାର ଓ ଆସବାବପତ୍ର କିଣିଥିଲେ। କିନ୍ତୁ ସେ ଏସବୁ ନେବାକୁ ମନା କରିଦେଲେ। ଏହାକୁ ନେଇ ପତ୍ନୀ ରାଗିଗଲେ ଓ ନିଜ ଘରକୁ ଫେରିଗଲେ। ୩ ମାସ ହେଲାଣି ସେ ନିଜ ସ୍ୱାମୀ ପାଖକୁ ଆସୁନାହାନ୍ତି। ସେ ଜିଦ ଧରି ବସିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ପିତାମାତା ନେଇଥିବା ଉପହାର ନ ନେବେ ସେ ଶାଶୁଘରକୁ ଫେରିବେନି।  

ଜିଲ୍ଲା କୋର୍ଟରେ କାଉନସିଲିଂ କରାଯାଉଛି। କାଉନସିଲର ଯୁବକଙ୍କୁ ବୁଝାଇଛନ୍ତି ଯେ ପତ୍ନୀଙ୍କ ମା'ଘରୁ ମିଳିଥିବା ଜିନିଷକୁ ସେ ଯୌତୁକ ଭାବନ୍ତୁନି ଉପହାର ଭାବି ଗ୍ରହଣ କରନ୍ତୁ। କାରଣ ସେ ନିଜେ କିଛି ଦାବି କରିନାହାନ୍ତି। ବାପା-ମା' ଯାହା ଦେଇଛନ୍ତି ନିଜ ଝିଅକୁ ଦେଇଛନ୍ତି। ସେଥିରୁ ତାଙ୍କୁ ବଂଚିତ ନ କରନ୍ତୁ। ତେବେ ଯୁବକ କାଉନସିଲର କଥା ମାନି ଉପହାର ଗ୍ରହଣ କରି ସ୍ତ୍ରୀକୁ ଆଣିବେ ନା କଣ କରିବେ ଆଗକୁ ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.