୮ଜଣଙ୍କ ହତ୍ୟା ଯୋଜନା କରିଥିଲା, ତା' ପୂର୍ବରୁ ସ୍ତ୍ରୀକୁ 'ଆଇ ଲାଭ ୟୁ' କହି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | December 08, 2018 IST

ଦିଲ୍ଲୀ ୮/୧୨ : ଅହଂକାର ମଣିଷର ଏକ ଜନ୍ମଗତ ଅଧିକାର | କିନ୍ତୁ ବେଳେବେଳେ ଅହଂକାର ପାଇଁ ମଣିଷକୁ ଭୟଙ୍କର ପରିସ୍ଥିତି ସାମ୍ନା କରିବାକୁ ପଡିଥାଏ | ଅହଂକାରର ବଶବର୍ତ୍ତୀ ହୋଇ ଦିଲ୍ଲୀର ଜଣେ ସ୍ୱଇମିଙ୍ଗ ଶିକ୍ଷକ ନିଜ ପୂର୍ବତ୍ତନ ପ୍ରେମିକା ସମେତ ୮ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା | କିନ୍ତୁ ପରିସ୍ଥିତି ଓଲଟା ହୋଇଗଲା ଏବଂ ସେ ନିଜ ସ୍ତ୍ରୀର ହତ୍ୟା କରିଥିଲା | ସ୍ତ୍ରୀର ହତ୍ୟା ପରେ ଘଟଣା ସାମ୍ନାକୁ ଆସିଥିଲା |


ଘଟଣା ନଭେମ୍ବର ୨୪ ତାରିଖରେ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଅଂଚଳରେ ଘଟିଥିଲା | ଅଭିଯୁକ୍ତ ନିଜ ସ୍ତ୍ରୀକୁ ପ୍ରେମ ଜାଲରେ ଫସେଇ ହତ୍ୟା କରିଥିଲା | ଅଭିଯୁକ୍ତ ହେଲେ ସ୍ୱଇମିଙ୍ଗ ଶିକ୍ଷକ ରାଜୀବ କୁମାର | ଧରା ପଡିବା ପରେ ଅଭିଯୁକ୍ତ କରିଥିବା ହତ୍ୟା ଯୋଜନା ସମ୍ପର୍କରେ କହିଥିଲା | ରାଜୀବ କହିଥିଲା ଯେ, ନିଜର ଦୁଇ ଜଣ ସମ୍ପର୍କୀୟ, ପୂର୍ବତ୍ତନ ପ୍ରେମିକା ଏବଂ ତାଙ୍କ ସ୍ୱାମୀ, ହୋଟେଲର ମ୍ୟାନେଜର ଏବଂ ଅନ୍ୟ ୩ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା | ତେବେ ରାଜୀବ କହିଛି ଯେ, ଏହି ସମସ୍ତଙ୍କ ଉପରେ ସେ କୌଣସି ନା କୌଣସି କାରଣରୁ ରାଗିଥିଲା |


ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ରାଜୀବ କୁମାର ୮ଜଣଙ୍କୁ ହତ୍ୟା କରିବା ପାଇଁ ଯେଉଁ ଯୋଜନା କରିଥିଲା ସେ ସମ୍ପର୍କରେ ସ୍ତ୍ରୀ ସୋନିଆଙ୍କୁ ମଧ୍ୟ କହିଥିଲା | ତେବେ ସ୍ୱାମୀକୁ ଏଭଳି ନକରିବା ପାଇଁ ସୋନିଆ ବହୁତ ବୁଝେଇଥିଲା | କିନ୍ତୁ ରାଜୀବ ସ୍ତ୍ରୀ କଥା ଶୁଣିନଥିଲା | ତେବେ ସେ ଜାଣିସାରିଥିଲା ଯେ, ୮ଜଣଙ୍କୁ ହତ୍ୟା କରିବା ପରେ ସେ ନିଶ୍ଚୟ ପୋଲିସ ହାତରେ ଧରା ପଡ଼ିବ ଏବଂ ତାକୁ ଜେଲ ଯିବାକୁ ହେବ | ସେ ଜେଲ ଗଲେ ସ୍ତ୍ରୀ ହାଃରଂ ହେବ ବୋଲି ସେ ପ୍ରଥମେ ସେ ନିଜ ସ୍ତ୍ରୀ ସୋନିଆକୁ ହତ୍ୟା କରିଥିଲା ବୋଲି ସେ କହିଛି |


ସ୍ତ୍ରୀ ସୋନିଆକୁ ହତ୍ୟା କରିବା ପାଇଁ ରାଜୀବ ପ୍ରଥମେ ତାଙ୍କୁ ବିଦ୍ୟୁତ ଆଘାତ ଦେଇଥିଲା | ପୋଲିସ ସୂଚନା ଅନୁଯାୟୀ, ରାଜୀବ ପ୍ରଥମେ ବାହାନା କରି ସ୍ତ୍ରୀର ହାତ ଗୋଡ ବାନ୍ଧି ଦେଇଥିଲା | ଏହାପରେ ପାଣି ଗରମ କରିବା ଇଲେକ୍ଟ୍ରିକ ରଡ଼ରେ ସୋନିଆକୁ ଆଘାତ ଦେଇଥିଲା | କିନ୍ତୁ ଏଥିରେ ସୋନିଆଙ୍କ ମୃତ୍ୟୁ ହୋଇନଥିଲା | ବିଦ୍ୟୁତ ଆଘାତରେ ସୋନିଆ ଚେତାଶୂନ୍ୟ ହୋଇଯାଇଥିଲେ | ଏହାପରେ ରାଜୀବ ସୋନିଆର ତଣ୍ଟି ଚିପି ତାଙ୍କର ହତ୍ୟା କରିଥିଲା |
ଏଠାରେ ମଧ୍ୟ ରାଜୀବର ଶୈତାନି ଚିନ୍ତା କରିଥିଲା | ପୋଲିସଠୁ ନିଜକୁ ରକ୍ଷା କରିବା ପାଇଁ ସେ ସୋନିଆର ମୃତଦେହକୁ ନେଇ ହସ୍ପିଟାଲ ପହଞ୍ଚିଥିଲା | ସେଠାରେ ସେ ପୋଲିସକୁ ଏକ ଗପ ଶୁଣାଇଥିଲା ଯେ, ବିଦ୍ୟୁତ ଆଘାତରେ ସୋନିଆର ମୃତ୍ୟୁ ହୋଇଯାଇଛି | କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପୋଲିସ ଜାଣିବାକୁ ପାଇଲା ଯେ, ସୋନିଆର ମୃତ୍ୟୁ ତଣ୍ଟି ଚିପିବାରୁ ହୋଇଛି | ଏହାପରେ ପୋଲିସ ରାଜୀବକୁ ଗିରଫ କରିଥିଲା |


ସୂଚନାଯୋଗ୍ୟ ଯେ, ରାଜୀବ ଏବଂ ସୋନିଆର ୪ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି | ପୋଲିସ ପଛାଉଛୁର କରିବାବେଳେ ରାଜୀବ କହିଥିଲା ଯେ, ଯେତେବେଳେ ସେ ସୋନିଆକୁ ହତ୍ୟା କରିଥିଲା ସେତେବେଳେ ତାଙ୍କ ପୁଅ ଘରେ ଶୋଇଥିଲା | ତେବେ ସେ ନିଜେ ଜେଲ ଗଲେ ସ୍ତ୍ରୀ ହଇରାଣ ହେବ ବୋଲି ଭାବି ସେ ସ୍ତ୍ରୀକୁ ହତ୍ୟା କରିଦେଲା | ହେଲେ ସ୍ତ୍ରୀକୁ ହତ୍ୟା କରି ସେ ଜେଲ ଗଲାପରେ ତାଙ୍କ ପୁଅର କଣ ହେବ ସେକଥା ସେ ଚିନ୍ତା କରିପାରିଲା ନାହିଁ |


ହତ୍ୟା ପୂର୍ବରୁ ଯେତେବେଳେ ରାଜୀବ ସୋନିଆର ହାତ ଗୋଡ ବାନ୍ଧି ଦେଇଥିଲା, ସେତେବେଳେ ସୋନିଆ ପଚାରିଥିଲେ ଯେ, ସେ ତାର ହାତଗୋଡ କାହିଁକି ବାନ୍ଧୁଛି | ରାଜୀବ କହିଥିଲା ସେ ତାକୁ ଅଲଗା ପ୍ରକାର ପ୍ରେମ କରିବାକୁ ଚାହୁଁଚି ଏବଂ ଏଥିରେ ସେ ବହୁତ ଖୁସି ମଧ୍ୟ ପାଇବ | ଏତିକି ଶୁଣି ସୋନିଆ ରାଜି ହୋଇଯାଇଥିଲା | ଏହାପରେ ରାଜୀବ ସୋନିଆକୁ 'ଆଇ ଲଭ ୟୁ' ମଧ୍ୟ କହିଥିଲା | ଏହାପରେ ତାର ଶୈତାନି ରୂପ ଦେଖାଇଥିଲା | ପୋଲିସ ଯାଞ୍ଚ ବେଳେ ରାଜୀବ ଘରୁ ୩ଟି ପିସ୍ତଲ ସହ ୩୦ଟି ଜୀବନ୍ତ ଗୁଳି ଜବତ କରିଥିଲା |


ସୂଚନାଯୋଗ୍ୟ ଯେ, ରାଜୀବ ହରିୟାଣା ତରଫରୁ ରାଜ୍ୟସ୍ତରୀୟ ସ୍ୱଇମିଙ୍ଗ ପାଇଁ କେତେ ମେଡାଲ ମଧ୍ୟ ପାଇଛି | ଗତ ୮ବର୍ଷ ହେଲା ସେ ହୋଟେଲ ଆଇଟିସି ମୋର୍ୟାରେ ସ୍ୱଇମିଙ୍ଗ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲା | ପୋଲିସ ସୂଚନା ଅନୁଯାୟୀ, ରାଜୀବ ଯେଉଁ ହୋଟେଲରେ ଚାକିରୀ କରୁଥିଲା, କିଛି ଦିନ ପୂର୍ବରୁ ସେଠାରୁ ବିତାଡିତ ହୋଇଥିଲା | ଯେଉଁମାନେ ତାକୁ ଚାକିରୀରୁ ବାହାର କରିଥିଲେ ସେମାନଙ୍କ ଠାରୁ ସେ ବଦଲା ନେବା ପାଇଁ ଚାହୁଁଥିଲା | ଏଥିପାଇଁ ସେ ୮ଜଣଙ୍କୁ ହତ୍ୟା କରିବ ବୋଲି ଯୋଜନା କରିଥିଲା | ଯୋଜନା ମୁତାବକ ସେ ଉତ୍ତରପ୍ରଦେଶରୁ ୩ଟି ପିସ୍ତଲ ଏବଂ ୨୫ଟି ଜୀବନ୍ତ ଗୁଳି ମଗେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.