ମୟୁରଭଞ୍ଜରେ ପରକୀୟା ପ୍ରୀତି ଯୋଗୁଁ ବଳି ପଡିଲା ସ୍ତ୍ରୀର ପ୍ରେମିକ
20/11/2018 at 4:03 PM

ବାରିପଦା ୨୦|୧୧: ପରକୀୟା ପ୍ରୀତିର କରୁଣ ପରିଣତି। ସ୍ବାମୀର ଟାଙ୍ଗିଆ ମାଡରେ ସ୍ତ୍ରୀର ପ୍ରେମିକଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗାଁରେ। ପ୍ରାଥମିକ ତଦନ୍ତରୁ ମୃତକ ଭଦ୍ରକ ଜିଲ୍ଲା ଶଙ୍କରପୁର ଗ୍ରାମର ରାଜେଶ ଶର୍ମ। ବୋଲି ଜଣାପଡିଛି। ନିଜ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଗାଁର ଠାକୁରା ମାରଣ୍ଡି ଟାଙ୍ଗିଆରେ ହାଣି ହତ୍ୟା କରିଛି।
ସୂଚନା ଅନୁସାରେ, ରାଜେଶ ଗାଁ ଗାଁ ବୁଲି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ କାମ କରନ୍ତି। ସେହି କାରଣରୁ ଠାକୁରାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଠାକୁରା ମାରଣ୍ଡି ଘରେ ନଥିବାବେଳେ ବିଭିନ୍ନ ସମୟରେ ରାଜେଶ ତାଙ୍କ ଘରକୁ ଆସୁଥିଲା। ଗତକାଲି ମଧ୍ୟ ଠାକୁରା ଘରେ ନଥିବାର ସୁଯୋଗ ନେଇ ରାଜେଶ ଘରକୁ ଆସିଥିଲା। ଗ୍ରାମବାସୀମାନେ ଠାକୁରାକୁ ଫୋନ୍ ଯୋଗେ ଏହା ଜଣାଇଥିଲେ । ଠାକୁରା ଘରକୁ ଆସି ରାଜେଶଙ୍କୁ ଘରୁ ତଡିଦେଇଥିଲା । ହେଲେ ରାତିରେ ପୁଣି ରାଜେଶ ତାଙ୍କ ଘରକୁ ଆସିଥିଲା । ସେହି ସମୟରେ ଠାକୁରା ଘରକୁ ଆସି ଯାଇଥିଲା। ସେ ରାଜେଶକୁ ଦେଥି ଉତ୍ତ୍ୟକ୍ତ ହୋଇ ଉଠିଥିଲା । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ର ରୂପ ନେବାରୁ ଠାକୁରା ରାଜେଶକୁ ଗୋଡାଇ ଗୋଡାଇ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଦେଇଥିଲା । ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ପରେ ଠାକୁରା ଥାନାରେ ଆତ୍ମସମର୍ପଣ କରିଛି ।