ଘରର ଲକ୍ଷ୍ମଣରେଖା ଡେଇଁଲେ ସ୍ତ୍ରୀ, ପରିବାର ଉପରେ ବିପଦ ଆଶଙ୍କା କରି ଥାନାରେ ଏତଲା ଦେଲେ ସ୍ବାମୀ

Published By : Prameya-News7 Bureau | April 16, 2020 IST

ମେରଠ ୧୬।୪: କରୋନା ଭାଇରସ୍ କୁ ନେଇ ସମସ୍ତଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ । ଏଠାରେ ଲକ୍ ଡାଉନ୍ ଉଲଂଘନ କରିବାକୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ଲିସାଡି ଗେଟ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ବିନା କାରଣରେ ଘରୁ ବାହାରୁଛନ୍ତି । ଯାହା ଫଳରେ ପରିବାରଲୋକ କରୋନାରେ ପୀଡିତ ହେବାର ଆଶଙ୍କା ରହିଛି । ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଲିସାଡି ଗେଟ୍ ଥାନା ଅଞ୍ଚଳର ଖୁସହାଲ କଲୋନୀର ବାସିନ୍ଦା ଅମଜାଦ କହିଛନ୍ତି ଯେ ସେ ଲକ୍ ଡାଉନ୍ ସମୟରେ ଲୋକଙ୍କୁ ସଚେତନ କରାଇବାରେ ନିୟୋଜିତ ଅଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ଘରୁ ବାହାରକୁ ନଯିବାକୁ କହିଛନ୍ତି । କିନ୍ତୁ ସେ ଲକ୍ ଡାଉନ୍ ଉଲଂଘନ କରି ତାଙ୍କ ଘରୁ ବାହାରୁଛନ୍ତି । ଯେଉଁଥିପାଇଁ ସେ ଏବଂ ତାଙ୍କ ପରିବାରଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ସେ ପତ୍ନୀଙ୍କୁ ଅନେକ ଥର ବୁଝାଇଥିଲେ, କିନ୍ତୁ ସେ ବୁଝିଲେନାହିଁ ।

ଅମଜାଦ କହିଛନ୍ତି ଯେ, ସେମାନଙ୍କର ବିବାହକୁ ପ୍ରାୟ ୨୧ ବର୍ଷ ହୋଇସାରିଲାଣି । ସେ ଶ୍ବଶୁରଘରେ ହିଁ ରୁହନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ମତାନ୍ତର ଥାଏ ତେବେ ସେ ତାକୁ ପରେ ସମାଧାନ କରିବେ । କିନ୍ତୁ ବର୍ତ୍ତମାନ କରୋନାରୁ କିଭଳି ବର୍ତ୍ତିବେ ତାହା ଭାବିବା ଆବଶ୍ୟକ । ଅନେକ ଥର କହିବା ପରେ ମଧ୍ୟ ତାଙ୍କ ପତ୍ନୀ ଶୁଣିଲେନାହିଁ । ତେଣୁ ବାଧ୍ୟ ହୋଇ ସେ ତାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.