ଘରୁ ଲୁଚିପଳାଇ ଆସି କରିଥିଲେ ବିବାହ , ହେଲେ ଷ୍ଟେସନରେ ସ୍ତ୍ରୀକୁ ଛାଡ଼ି ସ୍ଵାମୀ ହେଲା ଫେରାର

Published By : Prameya-News7 Bureau | January 28, 2019 IST

ଭଦୋଇ ୨୮/୧- ପ୍ରେମ, ତା ପରେ ବିବାହ । ସାରାଜୀବନ ଏକାଠି ରହିବାକୁ କରିଥିଲେ ଶପଥ । ବଂଚିଲେ ସାଥିରେ- ମରିଲେ ବି ସାଥିରେ ଏହି ପଣ କରି ଘରୁ ଲୁଚି ପଳେଇଆସି ବିବାହ କଲେ । କିନ୍ତୁ ବିବାହ ପରେ ସ୍ଵାମୀ ଷ୍ଟେସନରେ ସ୍ତ୍ରୀକୁ ଛାଡ଼ି ମାରିଲେ ଚମ୍ପଟ । ଅପେକ୍ଷାକରି ଦିନ ଯାଇ ରାତି ହେଲା, ହେଲେ ଫେରିଲେନି ସ୍ଵାମୀ । ଶେଷରେ ଥାନାରେ ଦ୍ଵାରସ୍ଥ ହେଲେ ମହିଳା ।

ଏହି ଘଟଣା ସିନେମା କାହାଣୀ ପରି ଲାଗିଲେ ବି ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋଇ ଜିଲ୍ଲାର ନୁରପୁର ଅଂଚଳରେ । ଜଣେ ନବବିବାହିତା ମହିଳାଙ୍କୁ ଷ୍ଟେସନରେ ଛାଡ଼ି ଫେରାର ହୋଇଗଲା ସ୍ଵାମୀ । ସ୍ଵାମୀଙ୍କୁ ଅନେଇ ଅନେଇ ଆଖିରୁ ପାଣି ମରିଗଲା ସତ କିନ୍ତୁ ସ୍ଵାମୀ ପାଣି ଆଣିବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଅନିଛା ସତ୍ତ୍ଵେ ବିବାହ କରିଥିବା ଯୁବତୀ ନିରୁପାୟ ହୋଇ ଥାନାରେ ହୋଇଛିନ୍ତି ଦ୍ଵାରସ୍ଥ ।

ରାମଦୟାଳୁ ଷ୍ଟେସନରେ ଦୁହେଁ ଅପେକ୍ଷା କରିଥିଲେ ଟ୍ରେନକୁ । ବିବାହ ପରେ ନିଜ କର୍ମସ୍ଥାନକୁ ନେଇଯିବାକୁ କହି ଯୁବକ ନିଜ ନବବିବାହିତା ପତ୍ନୀକୁ ସାଙ୍ଗରେ ଆଣି ଆସିଥିଲେ । ଟିକେଟ କାଟି ଓ୍ଵେଟିଂରୁମରେ ଅପେକ୍ଷା କରିଥିଲେ । ମହିଳାଙ୍କୁ ଛାଡ଼ି ଯୁବକ ପାଣି ଆଣିବାକୁ ଯାଇଥିଲେ, ହେଲେ ଫେରି ନଥିଲେ ।

ଏହି ଘଟଣାରେ ପୋଲିସ ଜାଣିବାକୁ ପାଇଛି ମହିଳାଙ୍କୁ ଫୁସୁଲେଇ ଯୁବକ ପ୍ରେମ କରି ବିବାହ କରିଥିଲେ । ଏହି ବିବାହ ପ୍ରସ୍ତାବରେ ମହିଳାଙ୍କ ପରିବାର ଲୋକ ରାଜି  ନଥିଲେ । ପ୍ରେମ ପାଇଁ ମହିଳା ଯୁବକଙ୍କ ସହ ଘରୁ ଲୁଚି ପଳାଇଆସିଥିଲେ ।

ମହିଳା ଯୁବକଙ୍କ ନାଁରେ ଏତାଲା ଦେବାପରେ ଯୁବକଙ୍କୁ ଗିରଫ କରିଛି ପୋଲିସ । ମହିଳାଙ୍କୁ ସୁଧାରଗୃହକୁ ପଠାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.