ସ୍ତ୍ରୀକୁ ୬ ଖଣ୍ଡ କରି ବ୍ୟାଗରେ ଭର୍ତ୍ତି କରି ରାଜରାସ୍ତାରେ ଫୋପାଡ଼ି ଦେଇଥିଲା ନୃଶଂସ ସ୍ୱାମୀ: ବିଜୁଳି ବିଲରୁ ହେଲା ହତ୍ୟାର ପର୍ଦାଫାଶ

Published By : Prameya-News7 Bureau | August 17, 2020 IST

ବାରାବାଙ୍କି ୧୭/୦୮ : ଉତ୍ତର ପ୍ରଦେଶ ବାରାବାଙ୍କିରେ ଏକ ଟ୍ରଲି ବ୍ୟାଗରୁ ମହିଳାଙ୍କ ଶବ ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ଶବ ଜବତ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ପାଖରେ ପହଞ୍ଚିଛି | ଅଭିଯୁକ୍ତ ଆଉ କେହି ନୁହେଁ, ନିଜେ ମହିଳାଙ୍କ ସ୍ୱାମୀ | ଅଭିଯୁକ୍ତ ସ୍ୱାମୀ ପୋଲିସ ହାତରୁ ଖସି ଯିବାକୁ ନେପାଳ ପଳାୟନ କରିବାକୁ ପ୍ରସ୍ତୁତି କରିଥିଲା | କିନ୍ତୁ ଠିକ ସମୟରେ ପୋଲିସ ହାତରେ ଧରା ପଡିବାରୁ ତାର ସବୁ ଚାଲ ଧରା ପଡିଯାଇଥିଲା | ଏସପି ମାମଲାର ଖୁଲାସା କରିଥିବା ଟିମକୁ ୨୫ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି | 

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ଲଖନଉ ଅଯୋଧ୍ୟା ରାଜପଥ ସଫେଦବାଦ ସ୍ଥିତ କେବାଡି ଟର୍ଣ୍ଣିଙ୍ଗ ନିକଟରେ ଏକ ଟ୍ରଲି ବ୍ୟାଗରେ ଓ ବ୍ୟାଗରୁ ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା | ୬ ଖଣ୍ଡରେ ମହିଳାଙ୍କ ଶବ ଜବତ ହୋଇଥିଲା | ମୃତ ମହିଳା ଜଣକ ହେଲେ ମୁମ୍ବାଇ ଆମ୍ବେଦକର ନଗର  ଭାରତ ମାର୍ଗରେ ରହୁଥିବା ଆୟେସା | ଆୟେସାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ୬ ଖଣ୍ଡ କରିଦେଇଥିଲା | ହତ୍ୟାକାରୀକୁ ସର୍ଭିଲେନ୍ସ ଜରିଆରେ ଟ୍ରେସ କରି ଲଖନଉ ଇନ୍ଦିରାନଗର ଥାନା ମୁନ୍ସୀ ପୋଲିସ ଗିରଫ କରିଥିଲା |

{"id":316151,"sizeSlug":"large"}

ସୂଚନା ଅନୁଯାୟୀ, ଆୟେସାଙ୍କ ହତ୍ୟା ଜୁଲାଇ ୫ ତାରିଖରେ ହୋଇଥିଲା | ଆପୋଷ ବିବାଦ ପରେ ଲଖନଉ ଇନ୍ଦିରାନଗର ସେକ୍ଟର-୧୪ ରେ ରହୁଥିବା ସମୀର ଖାନ ଲୁହା ରଡ଼ରେ ଆୟେସାଙ୍କୁ ହତ୍ୟା କରିଥିଲା | ସମୀରର ଘର ମହାରାଜଗଞ୍ଜ ଥାନା ଅନ୍ତର୍ଗତ ଗୁଲରିହା ଅଞ୍ଚଳରେ | ସେ ମୁମ୍ବାଇର ଏକ ଚିକେନ ଦୋକାନରେ କାମ କରୁଥିଲା | କିନ୍ତୁ ଲକଡାଉନ ସମୟରେ ମାର୍ଚ୍ଚ ମାସରେ ଲଖନଉ ଫେରି ଆସିଥିଲା | ଆୟେସାଙ୍କୁ ହତ୍ୟା କରିବା ପରେ ସମୀର ବଜାରକୁ ଯାଇ କତୁରୀ ଓ ଶବକୁ ପ୍ୟାକ କରିବା ପାଇଁ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲା | ଏହାପରେ ଶବକୁ ୬ ଖଣ୍ଡରେ କାଟି ବ୍ୟାଗରେ ଭର୍ତ୍ତି କରି କାରରେ ନେଇ ରାଜପଥରେ ଫୋପାଡ଼ି ଦେଇଥିଲା | ଏସପି ଡ.ଅରବିନ୍ଦ ଚତୁର୍ବେଦୀ କହିଛନ୍ତି, ଯେଉଁ ବ୍ୟାଗରୁ ଆୟେସାଙ୍କ ଶବ ଜବତ ହୋଇଥିଲା ସେଥୁରୁ ପୋଲିସକୁ ଦୁଇଟି ପ୍ରମାଣ ମିଳିଥିଲା | ପ୍ରଥମଟି ହେଲା ଅଭିଯୁକ୍ତର ଜିନ୍ସ ଏବଂ ଦ୍ୱିତୀୟଟି ହେଲା ବ୍ୟାଗରେ ଥିଲା ବିଜୁଳି ବିଲ | ବିଲ ଏତେ ପୁରୁଣା ଥିଲା ଯେ ସେଥିରେ କିଛି ସ୍ପଷ୍ଟ ଦେଖା ଯାଉନଥିଲା, କିଛି ନମ୍ବର ହିଁ ଦେଖାଯାଉଥିଲା | ପୋଲିସ ଏହି ଦୁଇ ପ୍ରମାଣ ଆଧାରରେ ତଦନ୍ତ ଆରମ୍ଭ କରିଥିଲା | 

ବିଜୁଳି ବିଲ ଜଣେ ମହିଳାଙ୍କ ନାଁରେ ଥିଲା | ପୋଲିସ ସେହି ମହିଳାଙ୍କ ନିକଟରେ ପହଞ୍ଚିବା ପରେ ମହିଳା ଜଣକ କହିଥିଲେ ଯେ ସେ ଘର ସମୀରକୁ ବିକ୍ରି କରିଥିଲେ | ସେଠାରୁ ପୋଲିସକୁ ସମୀରର ନମ୍ବର ମିଳିଥିଲା | ଏହାପରେ ପୋଲିସ ସମୀରର ମୋବାଇଲ ଡିଟେଲ ବାହାର କରି ତାର ଲୋକେସନ ଟ୍ରେସ କରିଥିଲା | ସମୀର ସେହି ମୋବାଇଲକୁ ବନ୍ଦ କରିଦେଇଥିଲା | ତଥାପି ସର୍ଭିଲେନ୍ସ ସେଲ ସାହାଯ୍ୟରେ ପୋଲିସ ଅଭିଯୁକ୍ତର ନୂଆ ନମ୍ବର ହାସଲ କରିଥିଲା ଓ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା | ହତ୍ୟାକାରୀ ସମୀର ନେପାଳ ଚାଲିଯିବା ପାଇଁ ଯୋଜନା କରିଥିଲା କିନ୍ତୁ ତା ପୂର୍ବରୁ ପୋଲିସ ତାକୁ ଗିରଫ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.