ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ: ପ୍ରଥମେ ମାରିଲା, ପରେ ମୃତଦେହକୁ କୋଳରେ ଧରି ବସିଲା

Published By : Prameya-News7 Bureau | July 09, 2020 IST

ଫୁଲନଖରା, ୦୯|୦୭: ସ୍ୱାମୀ ଭୁଲି ଗଲା ସମ୍ପର୍କ । ରାଗରେ ଅନ୍ଧ ହୋଇ ସ୍ତ୍ରୀକୁ ଲାଗାତାର ଭାବେ ଛୁରୀ ଭୁସିଲା । ସ୍ତ୍ରୀର ମୁହଁରେ କପଡା ବାନ୍ଧି ଏପରି ଭାବେ କଲା ଆକ୍ରମଣ । ସ୍ୱାମୀ କବଳରୁ ରକ୍ଷା ପାଇବା ପାଇଁ ବାଟ ନଥିଲା । ଶତ ଚେଷ୍ଟା କରି ମଧ୍ୟ ଜୀବନ ହାରିଲେ ସ୍ତ୍ରୀ । ବେଧଡକ ହୋଇ ବସିଥିଲା ରକ୍ତମୁଖା ସ୍ୱାମୀ । ମୃତ ପତ୍ନୀଙ୍କୁ ଚାହିଁ ରହିଥିଲା ।  

ଏହା ହେଉଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ । ଏମିତିକା ଏକ ଲୋମଟାଙ୍କୁରା ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକସଦର ଥାନା ଅନ୍ତର୍ଗତ ମହୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରରେ । ଦିନ ଦିପ୍ରହରେ ସବୁରି ଉପସ୍ଥିତିରେ କେନ୍ଦ୍ରରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ । ହତ୍ୟାକାଣ୍ଡ ଖବର ପାଇ ସ୍ଥାନୀୟ ଲୋକେ ଦୌଡ଼ାଦୌଡ଼ି ହୋଇ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦେଖିବାକୁ ମିଳିଥିଲା ଆଉ ଏକ ଅଭାବନୀୟ ଦୃଶ୍ୟ । ରକ୍ତ ଜୁଡୁବୁଡୁ ପତ୍ନୀଙ୍କ ମୃତଦେହକୁ ନିଜ କୋଳରେ ଧରି, ବାରଣ୍ଡାରେ ସ୍ଥିର ହୋଇ ବସି ରହିଥିଲା ହତ୍ୟାକାରୀ ସ୍ୱାମୀ । ଲୋକଙ୍କୁ ଦେଖି ହତ୍ୟାକାରୀ ପଳାଇଯାଇ ନଥିଲା । ବରଂ ପାଣି ମାଗି ପିଇଥିଲା । ଅଙ୍ଗନବାଡ଼ି ଟିକାଦାନ କେନ୍ଦ୍ର ପରି ଏକ ସର୍ବସାଧାରଣ ସ୍ଥାନରେ ଦିନ ଦି’ପହରେ ଜଣେ ‘କରୋନା ଯୋଦ୍ଧା’ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କରାଯିବା ଘଟଣା କେବଳ କଟକସଦର ଅଞ୍ଚଳ ନୁହେଁ, ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମୃତ ସ୍ୱାସ୍ଥ୍ୟ କର୍ମୀ ହେଲେ ପ୍ରୀତି ପ୍ରଧାନ(୩୩) । ପ୍ରୀତିଙ୍କ ନିଜ ଗାଁ ତିଗିରିଆ ବ୍ଲକର ପାଞ୍ଚଗାଁ । ସେନାବାହିନୀରେ ଚାକିରି କରିଥିବା ଆଠଗଡ଼ ଅଞ୍ଚଳର ଅକ୍ଷୟ ସାହୁଙ୍କୁ ସେ ବିବାହ କରିଥିଲେ । ତାଙ୍କର ୧୩ ବର୍ଷର ଏକ ପୁଅ ମଧ୍ୟ ଅଛି । ମେଧାବୀ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଅକ୍ଷୟ ସେନାବାହିନୀ ଚାକିରିରୁ ଅବସର ନେଇ ସାରିଥିବା ବେଳେ ପ୍ରୀତି ଫୁଲନଖରା ତ୍ରିନାଥବଜାର ନିକଟ ମହୀଧରପଡ଼ା ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ହରିଅନ୍ତା ପଞ୍ଚାୟତର ଖନ୍ଦୋଳ ସବ୍‌ ସେଣ୍ଟର୍‌ରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରତି ମାସର ପ୍ରଥମ ବୁଧବାର ଓ ଶେଷ ଶୁକ୍ରବାର ଦିନ ସ୍ଥାନୀୟ ମହୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କର ଟିକାଦାନ ଡ୍ୟୁଟି ପଡ଼ିଥାଏ । ସେଠାରେ ସେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଟିକାଦାନ କାର୍ଯ୍ୟ କରିଥାନ୍ତି । ଆଜି ମାସର ପ୍ରଥମ ବୁଧବାର ଥିବାରୁ ସେ ଡ୍ୟୁଟି କରିବାକୁ ଆସିଥିଲେ । ଟିକା ମଧ୍ୟ ଦେଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବୁଧବାର ଦିନ ପ୍ରାୟ ସାଢେ ୧୧ଟା ସମୟ ହେବ । କେନ୍ଦ୍ରରେ ପ୍ରୀତିଙ୍କ ସମେତ ଅନ୍ୟ କେତେଜଣ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ । ଏହି ସମୟରେ ପ୍ରୀତିଙ୍କ ସ୍ୱାମୀ ଅକ୍ଷୟ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସେ ଥିବା କୋଠରୀକୁ ଧସେଇ ପଶିଥିଲେ । କିଛି କଥାକୁ ନେଇ ଅକ୍ଷୟ ପ୍ରୀତିଙ୍କୁ ପ୍ରଥମେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରୀତି ଏହାର ପ୍ରତିବାଦ ଓ ବିରୋଧ କରିଥିଲେ । ଉତ୍‌କ୍ଷୀପ୍ତ ଅକ୍ଷୟ ପାଖରେ ଥିବା ଏକ ଛୁରୀ ବାହାର କରି ହଠାତ୍‌ ପ୍ରୀତିଙ୍କ ପେଟକୁ ଦୁଇ/ତିନି ଥର ଭୁସି ଦେଇଥିଲେ । ଛୁରୀ ମାଡ଼ରେ ପ୍ରୀତି ରକ୍ତାକ୍ତ ହୋଇପଡିଥିଲେ । ରକ୍ତରେ ଘର ଚଟାଣ ଭିଜି ଯାଇଥିଲା । ସେ ତଳେ ପଡ଼ି ଜୀବନ ବଞ୍ଚାଇବାକୁ ଚିତ୍କାର କରିବାରୁ ଅକ୍ଷୟ ତାଙ୍କ ଓଢ଼ଣିକୁ ଟାଣିଆଣି ତାହାକୁ ପ୍ରୀତିଙ୍କ ପାଟି-ମୁହଁରେ ଗୁଡ଼ାଇ ଦେଇଥିଲେ । ଯେମିତି ତାଙ୍କ ଚିତ୍କାର ଆଉ ଶୁଭିବନି । ପ୍ରୀତି ତଥାପି ଜୀବନ ବିକଳରେ ବଡ଼ କଷ୍ଟରେ କୋଠରୀ ଭିତରୁ ଘୁଷୁରି ଘୁଷୁରି କେନ୍ଦ୍ରର ବାରଣ୍ଡାକୁ ଚାଲି ଆସିଥିଲେ । ହେଲେ ଆଉ ଯାଇ ପାରିନଥିଲେ । କିଛି ସମୟ ପରେ, ସେଠାରେ ସେ ଆଖି ବୁଜି ଦେଇଥିଲେ । ଛୁରୀମାଡ଼ ସମୟରେ ହିଁ ପ୍ରୀତିଙ୍କ ପାଖରେ ଥିବା ଅନ୍ୟ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଘାବରେଇ ଯାଇ ଭୟରେ ଓ ଜୀବନ ବିକଳରେ ଅନ୍ୟ ଏକ ଘରେ ପଶିଯାଇ କବାଟ କିଳି ଦେଇଥିଲେ । ଭୟରେ ଥରି ଥରି ସେମାନେ କବାଟ ଭିତରୁ ହତ୍ୟାକାଣ୍ଡର ଏସବୁ ଦୃଶ୍ୟ ଦେଖିଥିଲେ । ଫୋନ୍‌ କରି ଗାଁ ଲୋକଙ୍କୁ ଏକଥା ଜଣାଇ ଡାକିଥିଲେ ।
ଗାଁ ଲୋକେ ଦୌଡ଼ାଦୌଡ଼ି ହୋଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ତେବେ ଆଖି ଆଗରେ ପତ୍ନୀ ଟଳି ପଡିବା ପରେ ଅକ୍ଷୟ ସେଠାରୁ ଚାଲିନଯାଇ ତାଙ୍କୁ କୋଳରେ ଧରି ବସି ରହିଥିଲା । ଲୋକେ ପହଞ୍ଚି ଦେଖିଥିଲେ, ଅକ୍ଷୟ ପତ୍ନୀଙ୍କ ମୁହଁକୁ ଚାହିଁ ନିର୍ବାକ ହୋଇ ବସି ରହିଥିଲା । ଲୋକଙ୍କୁ ପିଇବା ପାଇଁ ପାଣି ମଧ୍ୟ ମାଗିଥିଲା। ଏ ଖବର ପାଇ ସଦର ଥାନା ଆଇଆଇସି ସୁଧାଂଶୁ ଜେନାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଅକ୍ଷୟକୁ ଗିରଫ କରିଥିଲେ ।

ଘଟଣାସ୍ଥଳରୁ ସ୍ୱାସ୍ଥ୍ୟକର୍ମୀ ପ୍ରୀତିଙ୍କ ମୋବାଇଲ୍‌, ଭ୍ୟାନିଟି ବ୍ୟାଗ୍‌ ଜବତ ହୋଇଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତ ରଂଜନ ପଟ୍ଟନାୟକ ସଦର ଥାନାରେ ଏତଲା ଦେବା ପରେ ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି ।  ସୂଚନାଯୋଗ୍ୟ, ଆଗରୁ ମଧ୍ୟ ମହୀଧରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଅକ୍ଷୟ କେନ୍ଦ୍ର ପରିସରରେ ଏକ ବୋତଲ ଭାଙ୍ଗି ପ୍ରୀତିଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲା । ଏହି ଘଟଣାରେ ପୁଲିସ ତାକୁ ଗିରଫ କରିଥିଲା । ହେଲେ ନୋଟିସ୍‌ ଦେଇ ଜାମିନ୍‌ରେ ଛାଡ଼ିଦେଇଥିଲା । ସେମାନଙ୍କ ଛାଡ଼ପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବା ଜଣାଯାଇଛି । ପତ୍ନୀ ପ୍ରତି ତୀବ୍ର ଘୃଣା ଓ ପ୍ରତିଶୋଧ ପରାୟଣ ମନୋଭାବରୁ ଅକ୍ଷୟ ଯୋଜନାବଦ୍ଧ ଭାବେ ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି । ପ୍ରୀତି ଏହା ପୂର୍ବରୁ ସୁରକ୍ଷା ମାଗି ବାରମ୍ବାର ଲକ୍ଷ୍ମୀସାଗର ଥାନା, ମଞ୍ଚେଶ୍ୱର ଥାନା ଓ ସଦର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ, ତାଙ୍କୁ ସୁରକ୍ଷା ମିଳି ନ ପାରିବା ଓ ଶେଷରେ ସେ ହତ୍ୟାର ଶିକାର ହେବା ଘଟଣା ପୁଲିସର ଭୂମିକାକୁ ନେଇ ମଧ୍ୟ ନାନା ପ୍ରଶ୍ନ ଛିଡ଼ା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.