ସ୍ତ୍ରୀ ହନ୍ତା ସ୍ୱାମୀ : ସ୍ତ୍ରୀକୁ ହତ୍ୟା କରି ଥାନାକୁ ଯାଇ କହିଲା ମତେ ଫାଶୀ ଦେଇଦିଅନ୍ତୁ

Published By : Prameya-News7 Bureau | February 03, 2019 IST

କାନପୁର ୩/୨ : ସ୍ତ୍ରୀ ଅବୈଧ ସମ୍ପର୍କ ରଖିଥିବା ନେଇ ସ୍ତ୍ରୀକୁ ବାପା ଘରେ ହିଁ ହତ୍ୟା କରିଛି ସ୍ୱାମୀ | ଘଟଣା ଶୁକ୍ରବାର ଦିନ ଘଟିଥିଲା | ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିବା ପରେ ସ୍ୱାମୀ ଥାନାକୁ ଯାଇ ନିଜ ଦୋଷ ସ୍ୱୀକାର କରି କହିଥିଲା ଯେ, "ମୋତେ ଫାଶୀ ଦଣ୍ଡରେ ଦଣ୍ଡିତ କରିଦିଅନ୍ତୁ |" ଗୋବିନ୍ଦ ନଗର ଥାନା ସିଓ ଆର.କେ.ଚତୁର୍ବେଦୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ | ଫରେନସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ପ୍ରମାଣ ଯୋଗାଡ କରିଥିଲା | ମୃତକ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ କରୁଛି |


ଉତ୍ତର ପ୍ରଦେଶ କାନପୁର ଅନ୍ତର୍ଗତ ହଂସପୁର ଅଂଚଳର ସମସାଦ ବେଗମଙ୍କ ୨୬ ବର୍ଷ ବୟସ୍କା ଝିଅ ଋକସାରଙ୍କ ବିବାହ ୯ ବର୍ଷ ପୂର୍ବରୁ ଅବୁ ଫଜଲଙ୍କ ସହିତ ହୋଇଥିଲା | ଉଭୟଙ୍କ ଏକ ୭ ବର୍ଷର ପୁଅ ଅଛି | କାଠମାଣ୍ଡୁର ଏକ ଫ୍ରୁଟ ବିୟର କାରଖାନାରେ ଅବୁ କାମ କରେ | ପାଖାପାଖି ସପ୍ତାହେ ପୂର୍ବରୁ ଅବୁ ଘରକୁ ଫେରିଥିଲା | ସ୍ତ୍ରୀର ପର ପୁରୁଷ ସହ ସମ୍ପର୍କ ଥିବା ଅବୁ ସବୁବେଳେ ସନ୍ଦେହ କରିଥାଏ | ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ମଧ୍ୟ ହେଉଥିଲା | ୪ଦିନ ପୂର୍ବରୁ ସ୍ୱାମୀ ସହ ଝଗଡା ହେବାରୁ ରୁକସାର ପୁଅକୁ ନେଇ ନିଜ ବାପା ଘରକୁ ଚାଲି ଯାଇଥିଲେ | ସ୍ତ୍ରୀ ନିଜ ବାପା ଘରକୁ ଚାଲିଯିବା ପରେ ଅବୁ ମଧ୍ୟ ସନ୍ଧ୍ୟାରେ ତାଙ୍କ ଘରେ ପହଂଚି ଯାଇଥିଲା | ପୁଅକୁ ବାହାନା କରି ଘରୁ ବାହାରକୁ ପଠାଇ ଦେଇଥିଲା |

ପୁଅ ଗଲାପରେ ରୁକସାରକୁ ନିଜ ସହ ଘରକୁ ଫେରିଯିବାକୁ କହିଥିଲା ଅବୁ | କିନ୍ତୁ ରୁକସାର ରାଜି ହୋଇନଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଅବୁ ରୁକସାରଙ୍କୁ ମାଡ ମାରିଥିଲା | ରୁକସାର ବିରୋଧ କରିବାରୁ ଘର ଭିତରେ ଥିବା ଏକ ପଥରରେ ରୁକସାରଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା ଅବୁ | ଘଟଣାସ୍ଥଳରେ ହିଁ ରୁକସାରଙ୍କ ମୃତ୍ୟୁ ହୋଇଯାଇଥିଲା | ରୁକସାରଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ଅବୁ ସଂଗେ ସଂଗେ ଥାନାକୁ ଯାଇଥିଲା | ଅବୁର ହାତ ଏବଂ ଡ୍ରେସ ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖି ପୋଲିସକର୍ମୀ ଡରି ଯାଇଥିଲେ |

ଅବୁ ଆସି କହିଥିଲା ଯେ, ସେ ନିଜ ସ୍ତ୍ରୀକୁ ହତ୍ୟା କରିଦେଇଛି | ବହୁତ ବୁଝାଇବା ସତ୍ୱେ ସେ ବୁଝିଲାନାହିଁ | ସେଥିପାଇଁ ସେ ରାଗିଯାଇ ସ୍ତ୍ରୀକୁ ହତ୍ୟା କରିଦେଇଛି ଏବଂ ନିଜକୁ ଫାଶୀ ଦଣ୍ଡ ଦେବା ପାଇଁ କହିଥିଲା ଅବୁ | ଫରେନସିକ ଟିମ ପ୍ରଥମେ ରୁକସାରଙ୍କ ବାପା ଘରକୁ ଯାଇ ପ୍ରମାଣ ଯୋଗାଡ କରିଥିଲେ ଏବଂ ପରେ ଥାନାରେ ପହଂଚି ଅବୁର ହାତ ଏବଂ ଡ୍ରେସରେ ଲାଗିଥିବା ରକ୍ତ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.