ସମଲିଙ୍ଗୀ ସମ୍ପର୍କ ହେଲା କାଳ: ପୁରୁଷ ବନ୍ଧୁଙ୍କ ସହ ରହିବା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | December 05, 2018 IST

ଲଣ୍ଡନ ୫/୧୨ : ଉତ୍ତର ଇଂଲଣ୍ଡର ମିଡ଼ଲବରୋରେ ରହୁଥିବା ଭାରତୀୟ ମିତେଶ ପଟେଲଙ୍କୁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସଯ ଶୁଣେଇଛନ୍ତି | ମୃତ ମହିଳା ହେଲେ ୩୪ ବର୍ଷ ବୟସ୍କ ଜେସିକା | ଗତ ମେ ମାସରେ ଜେସିକାଙ୍କ ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଥିଲା | ପୋଲିସ ଜେସିକାଙ୍କ ସ୍ୱାମୀ ମିତେଶକୁ ଗିରଫ କରି ତଦନ୍ତ ଚଳାଇଥିଲା | ଗତ ମାସରୁ ଶୁଣାଣି ଆରମ୍ଭ ହୋଇଥିଲା | ଗତକାଲି କୋର୍ଟ ନିଜର ଫଇସଲା ଶୁଣାଇଥିଲେ | ମିତେଶକୁ ହରଟା ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | ମିତେଶ ନିଜ ପୁରୁଷ ବନ୍ଧୁଙ୍କ ସହ ରହିବାକୁ ଚାହୁଁଥିଲା | ସେଥିପାଇଁ ସେ ସ୍ତ୍ରୀକୁ ନିଜ ରାସ୍ତାରୁ ହଟାଇବା ପାଇଁ ତାଙ୍କର ହତ୍ୟା କରିଥିଲା | ଜେସିକା ପେଶାରେ ଜଣେ ଫାର୍ମାସିଷ୍ଟ ଥିଲେ | ଯେତେବେଳେ ପୋଲିସ ଜେସିକାଙ୍କ ମୃତଦେହ ଉଦ୍ଧାର କରିଥିଲା ଜେସିକାଙ୍କ ଶରୀରରେ ଅନେକ ଆଘାତ ଥିଲା | ପୋଲିସ ହତ୍ୟା ଆଶଙ୍କା କରି ମିତେଶକୁ ଗିରଫ କରିଥିଲା | କିନ୍ତୁ ମିତେଶ ହତ୍ୟା କରିଥିବା ସ୍ୱୀକାର କରିନଥିଲା | କୋର୍ଟ ଦର୍ଶାଇଥିଲେ ଯେ, ମିତେଶ ନିଜ ସ୍ତ୍ରୀ ଜେସିକାଙ୍କ ସହ ଵିଶ୍ଵାସଘାତ କରିଛନ୍ତି | ସମଲିଙ୍ଗୀ ସମ୍ପର୍କ ପାଇଁ ସେ ନିଜେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି | ଗ୍ରାଇଣ୍ଡର ଆପ ନାମକ ଏକ ଡେଟିଂ ଆପ ଜରିଆରେ ମିତେଶ ଜଣେ ସମଲିଙ୍ଗୀ ପୁରୁଷଙ୍କୁ ସାକ୍ଷାତ କରିଥିଲା | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇଯାଇଥିଲା | ମିତେଶ ସେହି ସମଲିଙ୍ଗୀ ପୁରୁଷ ବନ୍ଧୁ ଡ.ଅମିତ ପଟେଲଙ୍କ ସହ ରହିବ ପାଇଁ ଚାହୁଁଥିଲା | ଅମିତ ପଟେଲ ଅଷ୍ଟ୍ରେଲିଆରେ ରହୁଥିଲେ | ଇଣ୍ଟରନେଟରେ ଖୋଜାଖୋଜି ପରେ ମିତେଶଙ୍କ ସମସ୍ତ ତଥ୍ୟ ପୋଲିସ ହାତରେ ଧରା ପଡିଥିଲା | ପତ୍ନୀ ଜେସିକାଙ୍କୁ ହତ୍ୟା କରିବା ପାଇଁ ମିତେଶ ଅନେକ ଯୋଜନା କରିଥିଲା | ଇଣ୍ଟରନେଟରେ ମିତେଶ ଅମିତ ପଟେଲଙ୍କୁ ଲେଖିଥିଲା ଯେ, ସେ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଚାହୁଁଚି ଏବଂ ଏଥିପାଇଁ ଇନସୁଲିନର ଡୋଜ ବଢ଼େଇ ଦିଆଯାଇପାରିବ କି ? ଜଣଙ୍କୁ ହତ୍ୟା କରିବାକୁ ହେଲେ କେତେ ପରିମାଣର ମିଥାଡୋନ ଆବଶ୍ୟକ ବୋଲି ସେ ପଚାରିଥିଲେ | ୨୦୧୫ ମସିହା ଜୁଲାଇ ମାସରେ ମିତେଶ ଡ.ଅମିତଙ୍କୁ ଲେଖିଥିଲେ ଯେ, ସ୍ତ୍ରୀ ଆଉ କିଛି ଦିନର ଅତିଥି | ପୋଲିସ ମିତେଶକୁ ଗିରଫ କରିବା ପରେ ମିତେଶ କହିଥିଲା ଯେ, ଯେତେବେଳେ ଜେସିକାର ହତ୍ୟା ହୋଇଥିଲା ସେତେବେଳେ ସେ ଘରେ ନଥିଲା | ଯେତେବେଳେ ସେ ଘରକୁ ଫେରିଲା ସେ ଦେଖିଥିଲା ଯେ, ଘରର ଜିନିଷ ପତ୍ର ଏପଟେ ସେପଟେ ଖେଳେଇ ହେଇ ପଡିଛି | ଜେସିକାଙ୍କ ହାତ ବନ୍ଧା ହୋଇଛି | କୋର୍ଟରେ ମାମଲା ଚାଲିଥିଲାବେଳେ ପୋଲିସ ତଦନ୍ତରୁ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା | ସରକାରୀ ଓକିଲ କହିଥିଲେ ଯେ, ଇନସୁଲିନ ଇଞ୍ଜେକ୍ସନ ଦେବା ପରେ ମିତେଶ ନିଜେ ଜେସିକାଙ୍କୁ ବାନ୍ଧି ଦେଇଥିଲା | ଏହାପରେ ଜେସିକାଙ୍କୁ ଏକ ବ୍ୟାଗରେ ଭର୍ତ୍ତି କରିଦେଇଥିଲା | ଯେଉଁଥିପାଇଁ ଜେସିକା ନିଶ୍ୱାସପ୍ରଶ୍ଵାସ ନେଇପାରିନଥିଲେ | ଅଣନିଶ୍ୱାସୀ ହୋଇ ଜେସିକାଙ୍କ ମୃତ୍ୟୁ ହୋଇଥିଲା | କୋର୍ଟରେ ପ୍ରମାଣ ହୋଇଥିଲା ଯେ, ମିତେଶ ପ୍ରତିଦିନ ନିଜ ପୁରୁଷ ବନ୍ଧୁ ଅମିତଙ୍କ ସହ ଗ୍ରାଇଣ୍ଡର ଆପରେ ଚାଟିଙ୍ଗ କରୁଥିଲା | ଅଷ୍ଟ୍ରେଲିଆରେ ରହୁଥିବା ଡ.ଅମିତଙ୍କୁ ମିତେଶ ପ୍ରେମ ବୋଲି ସମ୍ବୋଧନ କରୁଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.