ସ୍ତ୍ରୀ ବାପଘରକୁ ଚାଲିଯିବାରୁ ପୁଅକୁ ନେଇ କୂଅକୁ ଡେଇଁଲା ବାପା : ପୁଅର ମୃତ୍ୟୁ, ଗିରଫ ହେଲା ବାପା
8/01/2019 at 5:59 PM

ରାୟଗଡ଼ ୮/୧: ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ପରେ ସ୍ତ୍ରୀ ବାପଘରକୁ ଚାଲିଯିବାରୁ ଏଥିରେ ରାଗିଯାଇ ସ୍ବାମୀ ୪ବର୍ଷର ପୁଅକୁ ଧରି କୂଅରେ ଡେଇଁପଡ଼ିଥିଲା। ଏଥରେ ନିରୀହ ପୁଅର ମୃତ୍ୟୁ ହୋଇଯାଇଛି। ଧରମଜୟଗଡ଼ ବ୍ଲକର ଭାଲୁପଖନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ପୋଲିସ୍ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।
ଭାଲୁପଖନା ବାସିନ୍ଦା ଶନିରାମ ମାଞ୍ଝୀ ୩୦ବର୍ଷର ପତ୍ନୀ ଅନିତା ମାଞ୍ଝୀଙ୍କ ସହ ସବୁବେଳେ ଝଗଡ଼ା କରୁଥିଲେ। ଏସବୁ ସହି ନପାରି ଅନିତା ତାଙ୍କ ଝିଅକୁ ନେଇ ବାପଘରକୁ ପଳାଇଥିଲେ। ଘରେ ସ୍ବାମୀ ୪ବର୍ଷର ପୁଅ ପଙ୍କଜଙ୍କ ସହ ଏକା ଥିଲା। ଦିନ ଦ୍ବିପ୍ରହରରେ ପାଖରେ ଥିବା କୂଅରେ ପୁଅକୁ ନେଇ ଡେଇଁ ପଡ଼ିଥିଲା ଶନିରାମ । ଏହି ସମୟରେ ପୁଅର ହାତ ଖସିଯାଇଥିଲା। ପୁଅର ହାତ ଖସିଯିବାରୁ ସେ କୂଅରେ ପଡ଼ି ଯାଇଥିଲା ଏବଂ ଅଭିଯୁକ୍ତ ଭୟଭୀତ ହୋଇ ଚାଲି ଆସିଥିଲା। ଏହା ପରେ ଲୋକମାନେ ଶିଶୁର ଶବକୁ ବାହାରକୁ ଆଣିଥିଲେ। ସ୍ଥାନୀୟ ଲୋକମାନେ ଖବର ଦେବାରୁ ପୋଲିସ୍ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା।
ଗାଁଲୋକଙ୍କ କହିବା ଅନୁସାରେ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କୁ ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ପିଟୁଥିଲା। ଏସବୁ କାରଣରୁ ତା ସ୍ତ୍ରୀ ସବୁବେଳେ ଚିନ୍ତିତ ରହୁଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଏଠାରୁ ନେଇଯାଇଥିଲେ। ସ୍ତ୍ରୀ ବାପ ଘରକୁ ଯିବା ପରେ ଅଭିଯୁକ୍ତ ଅଦ୍ଭୁତ ଆଚରଣ କରିବାକୁ ଲାଗିଥିଲା।