ସ୍ବାମୀ ଦେଇଥିବା ୭ଶହ ଟଙ୍କା ଖର୍ଚ୍ଚ କରିଦେଲା ସ୍ତ୍ରୀ, ମାଡ ମାରିବା ସହ ସ୍ବାମୀ ଦେଲା ତିନି ତଲାକ୍
1/11/2019 at 3:12 PM

ଭଦ୍ରକ ୧|୧୧: ବଦଳୁଛି ନିୟମ କିନ୍ତୁ ବଦଳୁନାହିଁ ଲୋକଙ୍କ ମାନସିକତା । ୭ ଶହ ଟଙ୍କା ପାଇଁ ମହିଳାଙ୍କୁ ତିନି ତାଲାକ ଦେଲେ ସ୍ବାମୀ । ତଲାକ୍ ଦେବା ସହ ମାଡ ମଧ୍ୟ ମାରିଲେ । ମାଡ ଖାଇ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ମୁଲ୍ଲାସାହି ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ମୁଲାସାହିର ସେକ୍ ହକିକ ୭ ଶହ ଟଙ୍କା ପାଇଁ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ତିନି ତଲାକ ଦେଇଥିବା ଅଭିଯୋଗ ହୋଇଛି । ହକିକ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ସ୍ତ୍ରୀଙ୍କୁ ୭ ଶହ ଟଙ୍କା ରଖିବା ପାଇଁ ଦେଇଥିଲେ ।

ଘରକୁ ବନ୍ଧୁବାନ୍ଧବ ଆସିବାରୁ ସେମାନଙ୍କ ଚର୍ଚ୍ଚା ଓ ଘର ପାଇଁ ୭ ଶହ ଟଙ୍କା ଖର୍ଚ୍ଚ କରିଦେଇଥିଲେ ସ୍ତ୍ରୀ । ସକାଳୁ ହକିକ ସ୍ତ୍ରୀଙ୍କୁ ସାତଶହ ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ଖର୍ଚ୍ଚ କରିଦେଇଥିବା କହିବା ପରେ ହକିକ ତାଙ୍କୁ ନିସ୍ତୁକ ମାଡ ମାରିଥିବା କଥା କହିଛନ୍ତି ପୀଡ଼ିତା ମହିଳା । ମାଡ ମାରିବା ସହ ତାଙ୍କୁ ତିନି ତଲାକ କହିଥିଲେ । ପରେ ତାଙ୍କ ଭଉଣୀମାନଙ୍କୁ ଫୋନ୍ ଯୋଗେ ତଲାକ ଦେଇଥିବା କଥା କହିଥିଲେ ।

ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମହିଳା ଜଣଙ୍କ ସୁସ୍ଥ ହେଲେ ପୁରୁଣାବଜାର ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି ।