Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ଫ୍ୟାସନ ଶୋ’ରେ ରାମ୍ପ ଓ୍ବାକ୍ କରୁଥିଲେ ଶିକ୍ଷୟତ୍ରୀ, ରାଗି ଯାଇ ସମସ୍ତଙ୍କ ଆଗରେ ଗୁଳି ମାରିଲା ସ୍ବାମୀ

1/05/2019 at 12:47 PM

ନୂଆଦିଲ୍ଲୀ ୧/୫: ଜଣେ ମହିଳା ଫ୍ୟାସନ ଶୋ’ରେ ଅଂଶଗ୍ରହଣ କରି ରାମ୍ପ ୱାକ୍‌ କରୁଥିବାବେଳେ ତାଙ୍କ ସ୍ବାମୀ ରାଗିଯାଇ ତାଙ୍କୁ ଗୁଳି କରିଛି। ଏହି ଘଟଣା ଘଟିଛି ଗୁଡ଼ଗାଓଁର ଏକ ସ୍କୁଲରେ। ଏହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ସ୍କୁଲ ଦ୍ବାରା ଆୟୋଜିତ ଏକ ଫ୍ୟାସନ ଶୋ’ରେ ଭାଗ ନେଇଥିଲେ। ସ୍ବାମୀ ତାଙ୍କୁ ଘରକୁ ନେବାକୁ ଆସିବାରୁ ସେ ଯିବାକୁ ମନା କରିଦେଇଥିଲେ। ସେଠାରେ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାମ୍ପ ଶୋ’  ଚାଲିଥିବାବେଳେ ସ୍ବାମୀ ବନ୍ଧୁକ ବାହାର କରି ପ୍ରଥମେ ଲାଇଭ ଟେଳିକାଷ୍ଟ କରୁଥିବା ସ୍କ୍ରିନକୁ ଗୁଳି ମାରିଥିଲେ। ଏହାପରେ ନିଜ ସ୍ତ୍ରୀଙ୍କ ଆଣ୍ଠୁରକୁ ଗୁଳି ମାରିଥିଲେ।

ସୂଚନାଯୋଗ୍ୟ ୩୨ବର୍ଷ ବୟସ୍କ ଆଶାରାଣୀ ଏକ ଘରୋଇ ସ୍କୁଲରେ କିଛି ଦିନ ହେବ ପଢ଼ାଉଥିଲେ। ପାଖାପାଖି ୧୦ବର୍ଷ ପୂର୍ବରୁ ସେ ଇନ୍ଦ୍ରଜିତଙ୍କୁ ବିବାହ କରିଥିଲେ। ଗତ ରବିବାର ସୋହନା ରୋଡସ୍ଥିତ ଏକ କ୍ଲବରେ ସ୍କୁଲ ତରଫରୁ ପାର୍ଟି ଚାଲିଥିଲା। ଏଥିରେ ଫ୍ୟାସନ ଶୋ’ ମଧ୍ୟ ଥିଲା। ଆଶା ଫ୍ୟାସନ ଶୋ’ରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ। କିନ୍ତୁ ସ୍ବାମୀ ଏଥିରେ ରାଜି ନଥିଲା। କିନ୍ତୁ ସେ ପାର୍ଟିରେ ସାମିଲ ହେବାକୁ ଅନୁମତି ଦେଇଥିଲା।

ରବିବାର ରାତି ୮ଟାବେଳେ ଆଶା ସ୍ବାମୀଙ୍କୁ ଫୋନ୍ କରି କହିଥିଲେ ଯେ ସେ ପାର୍ଟିକୁ ଯିବା ପାଇଁ ଘରୁ ବାହାରୁଛନ୍ତି। ରାତି ୧୧.୩୦ଟା ବେଳେ ଇନ୍ଦ୍ରଜିତ ତା ବନ୍ଧୁ ଜିତୁ ସହ ସେକ୍ଟର ୨୫ରେ ଥିବା ସ୍କୁଲକୁ ଯାଇ ଦେଖିଲା ସେଠାରେ ତାଲା ପଡ଼ିଛି। ସ୍ବାମୀ ସ୍ତ୍ରୀ ଆଶାକୁ ଫୋନ୍ କରି ସେ ତାକୁ ମିଛ କଥା କହିଥିବା ଅଭିଯୋଗ କରିଥିଲା। ସ୍ତ୍ରୀ ସ୍ବାମୀକୁ ହ୍ବାଟସଆପରେ ଲୋକେସନ ପଠାଇ ସେ ପାର୍ଟିରେ ଥିବାର ପ୍ରମାଣ ଦେଇଥିଲା। ଏହାପରେ ଇନ୍ଦ୍ରଜିତ କ୍ଲବରେ ପହଞ୍ଚିଥିଲା ଏବଂ ସ୍ତ୍ରୀଙ୍କୁ ଫୋନ୍ କରି ସାଙ୍ଗରେ ଘରକୁ ଯିବାକୁ କହିଥିଲା। କିନ୍ତୁ ଆଶା ଯିବାକୁ ମନା କରି ଦେଇଥିଲେ। ସେହି ସମୟରେ ଆଶା ରାମ୍ପ କରୁଥିବା ବଡ ସ୍କ୍ରିନରେ ଲାଇଭ ଦେଖାଯାଉଥିଲା। ତେଣୁ ଏଥିରେ ସ୍ବାମୀ ରାଗିଯାଇ ବନ୍ଧୁକ ବାହାର କରି ଗୁଳି ମାରିଥିଲେ।

ଗୁଳି ଫୁଟିବାରୁ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ସମସ୍ତେ ଯିଏ ଯେଉଁଠାରେ ଲୁଚିବାକୁ ସ୍ଥାନ ଖୋଜିଲେ। ଏଥିରେ ବ୍ୟସ୍ତ ହୋଇ ଆଶା ଇନ୍ଦ୍ରଜିତଙ୍କୁ ଶାନ୍ତ କରିବା ପାଇଁ ଇନ୍ଦ୍ରଜିତଙ୍କ ପାଖକୁ ଯାଇଥିଲେ। ଠିକ୍ ସେତିକିବେଳେ ଇନ୍ଦ୍ରଜିତ ତାଙ୍କ ଆଣ୍ଠୁରେ ଗୁଳି ମାରିଥିଲେ। ପୋଲିସଙ୍କ କହିବାନୁସାରେ ଆଶା ରକ୍ତାକ୍ତ ହୋଇ ତଳେ ପଡ଼ିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବା ଲାଗି କେହି ସ୍କୁଲ କର୍ମଚାରୀ ଆଗକୁ ଆସିନଥିଲେ।

ପରେ ସ୍କୁଲ କର୍ମଚାରୀଙ୍କ ବୟାନକୁ ଆଧାର କରି ଇନ୍ଦ୍ରଜିତ ଏବଂ ଜିତୁ ବିରୁଦ୍ଧରେ ପୋଲିସ୍ ଆଇପିସିର ଧାରା ୩୦୭ ଏବଂ ଆର୍ମସ ଆକ୍ଟ ଅନୁସାରେ ମୋକଦ୍ଦମା ରୁଜୁ କରିଥିଲା। ପୋଲିସ୍ ଘଟଣାସ୍ଥଳର ସିସିଟିଭି ଫୁଟେଜ ମଧ୍ୟ ମଗାଇଛନ୍ତି। ପୂର୍ବରୁ ମଧ୍ୟ ଇନ୍ଦ୍ରଜିତ ବିରୋଧରେ ଦିଲ୍ଲୀରେ ହତ୍ୟା,ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟ ଅନୁସାରେ ୩ଟି ମାମଲା ରହିଛି। ଏବେ ଇନ୍ଦ୍ରଜିତ ଓ ଜିତୁ ଫେରାର ଅଛନ୍ତି ।   

   Related Posts