ସ୍ତ୍ରୀର ନିର୍ଯାତନା ସହି ପାରିଲେନି ସ୍ବାମୀ, ୪୦ ଟଙ୍କାରେ ଛେଳି ରକ୍ତ କିଣି ରଚିଲେ ନିଜ ହତ୍ୟାର ନାଟକ
3/01/2021 at 4:14 PM

ପାଟନା ୦୩/୦୧: ପତ୍ନୀ ଅତ୍ୟାଚାରରେ ଅତିଷ୍ଠ ହୋଇ ସ୍ବାମୀ ରଚିଥିବା କାଣ୍ଡ ଏବେ ଚର୍ଚ୍ଚାରେ। ଆର୍ଥିକ ଓ ଅନ୍ୟ କାରଣରୁ ସବୁବେଳେ ସ୍ତ୍ରୀର ଅତ୍ୟାଚାର ସୀମା ପାର କରିସାରିଥିଲା। ଏଥର କିନ୍ତୁ ଆଉ ସହ୍ୟ କରିବାର ଶକ୍ତି ନଥିଲା ସ୍ବାମୀ ପାଖରେ। ସ୍ତ୍ରୀ ଅତ୍ୟାଚାରରୁ ମୁକ୍ତି ପାଇବାକୁ ନିଜର ହତ୍ୟା କାହାଣୀ ରଚିଲା ସ୍ବାମୀ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ପୁଣି ଥରେ ଏଭଳି ପଦକ୍ଷେପ ନନେବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।
ବିହାର କୈମୁର ଜିଲ୍ଲାର ପ୍ରଦୀପ କୁମାର ରାମ ନିଜ ସ୍ତ୍ରୀଙ୍କ ଅତ୍ୟାଚାର ସହି ସହି ଅତିଷ୍ଠ ହୋଇ ପଡ଼ିଥିଲେ। ନିଜର ହତ୍ୟା ହୋଇଛି ଓ ମୃତଦେହ ଅନ୍ୟ ସ୍ଥାନରେ ଫୋପାଡ଼ା ଯାଇଛି ବୋଲି ଏକ ନୂଆ କାହାଣୀ ରଚିଥିଲେ। ପାଖରେ ଥିବା ଏକ ମାଂଶ ଦୋକାନକୁ ଯାଇ ୪୦ ଟଙ୍କାରେ ଛେଳି ରକ୍ତ ଆଣି ପୂର୍ବ ଯୋଜନା ମୁତାବକ ହତ୍ୟାର ନାଟକ ରଚିଥିଲେ ପ୍ରଦୀପ। ପ୍ରଥମେ ରକ୍ତ ନିଜ ବିଛଣାରେ ପକାଇ ଅନ୍ୟ ସ୍ଥାନକୁ ପଳାଇଥିଲେ।
ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ପୋଲିସ ପ୍ରଦୀପଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଉଦ୍ଧାର କରିଛି। ପୋଲିସ ପଚରା ଉଚରା ପରେ ସମସ୍ତ ଘଟଣା ବଖାଣିଥିଲେ ପ୍ରଦୀପ। ୩୭ ବର୍ଷୀୟ ପ୍ରଦୀପ ନିଜ ସ୍ତ୍ରୀର ଅତ୍ୟାଚାରରୁ ବଞ୍ଚିବା ପାଇଁ ଏଭଳି ହତ୍ୟା ନାଟକ ରଚିଥିଲେ ବୋଲି କହିଛନ୍ତି। ପ୍ରଥମେ ବିଛଣା ଉପରେ ଛେଳି ରକ୍ତକୁ ଏଭଳି ଭାବେ ପକାଇଲେ ଯେ, ତାଙ୍କ ସ୍ତ୍ରୀ ଭାବିବେ ପ୍ରଦୀପଙ୍କର ହତ୍ୟା ହୋଇଛି। କିନ୍ତୁ ପ୍ରଦୀପ ଅନ୍ୟ ସ୍ଥାନକୁ ପଳାଇଥିଲେ। ଏହା ଦ୍ବାରା ତାଙ୍କ ସ୍ତ୍ରୀ ଭାବିବେ ହୁଏତ ମୃତଦେହକୁ ଦୁର୍ବୃତ୍ତ କେଉଁ ଆଡ଼େ ଫୋପାଡ଼ି ଦେଇଛନ୍ତି।
ତେବେ ପୋଲିସ ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଦୀପଙ୍କୁ ଚେତାବନୀ ଦେଇ ଘରେ ଛାଡ଼ିଛି। ଏହା ସହ ଏକ ବଣ୍ଡ ପେପରରେ ମଧ୍ୟ ପ୍ରଦୀପ ଦସ୍ତଖତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପ୍ରଦୀପଙ୍କ ସ୍ତ୍ରୀ ଜଣେ ସ୍କୁଲ ଶିକ୍ଷକ।