୩ ମାସ ତଳେ ହୋଇଥିଲା ପ୍ରେମ ବିବାହ : ଏବେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ସ୍ବାମୀ କଲା ଆତ୍ମହତ୍ୟା, ଜାଣନ୍ତୁ କାରଣ
6/08/2019 at 5:25 PM

ପୁରୀ ୬|୮: ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ପୁରୀ ତାଳବଣିଆ ନୂଆସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ ଯୌତୁକ ପାଇଁ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ ।

ତଣ୍ଟିକାଟି ସ୍ତ୍ରୀକୁ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି ସ୍ବାମୀ । ୩ମାସ ତଳେ ପୁରୀ ତାଳବଣିଆ ବାଲିଘାଟ ସୁଭଦ୍ରା ନଗରର ଶୁଭସ୍ମିତା ମହାନ୍ତି ଏବଂ ସ୍ଥାନୀୟ ନବକଳେବର ରୋଡ ନୂଆସାହିରେ ରହୁଥିବା ପାରାଦୀପର ସନ୍ତୋଷ ବେହେରାଙ୍କ ମଧ୍ୟରେ ବିବାହ ହୋଇଥିଲା । ତେବେ କିଛି ଦିନ ହେଲା ସନ୍ତୋଷଙ୍କ ପରିବାର ପକ୍ଷରୁ ଶୁଭସ୍ମିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଯୌତୁକ ଦେବାକୁ ବାରମ୍ବାର ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗିରହିଥିବା ବେଳେ ହଠାତ୍ ଏଭଳି ଘଟଣା ଘଟିଛି ।

ଖବର ପାଇ ସନ୍ତୋଷଙ୍କ ପରିବାର ଲୋକ ପୁରୀରେ ପହଞ୍ଚିଥିଲେ ମଧ୍ୟ ଘରେ ବୋହୂର ମୃତଦେହ ପଡ଼ିଥିବା ଦେଖି ସେଠାରୁ ପଳାଇଥିଲେ । ପୋଲିସ ପହଞ୍ଚିଲା ବେଳକୁ ଶଭସ୍ମିତାଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା । ସେପଟେ ଗଲାକାଲି ସଂଧ୍ୟାରେ ଚାରିନଳା ରେଳଧାରଣା ଉପରୁ ସନ୍ତୋଷଙ୍କ ମୃତଦେହକୁ ଜବତ କରିଥିଲା ଜିଆରପି ।

ଏହି ଗଟଣାରେ ତାଳବଣିଆ ଥାନା ଏବଂ ଜିଆରପି ତରଫରୁ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି । ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଚଳାଇଛି ପୋଲିସ ।