ବାଇକ୍ ଆଶାରେ ଭାଙ୍ଗି ଗଲା ପ୍ରେମର ନିଶା: ବାହାଘରକୁ ବର୍ଷେ ହୋଇନି ସ୍ତ୍ରୀକୁ ମାରି ଆତ୍ମହତ୍ୟା କଲା ସ୍ବାମୀ
25/11/2020 at 8:47 PM

ସୁପୌଲ୍ ୨୫/୧୧: ବଢ଼ିଚାଲିଛି ଯୌତୁକ ନିର୍ଯାତନା। ଯୌତୁକ ପାଇଁ କେତେ ଯେ ନିରୀହ ଜୀବନ ବଳି ପଡ଼ୁଛି ତାର ହିସାବ ନାହିଁ। ଦେଶର ପ୍ରତି ରାଜ୍ୟରେ ଏଭଳି ଘଟଣା ଘଟୁଥିଲେ ହେଁ କିଛି ଘଟଣା ସାମ୍ନାକୁ ଆସୁଛି। ସେହି ଭଳି ଏକ ଘଟଣା ବିହାରର ସୁପୌଲରୁ ଆସିଛି। ଶ୍ବଶୁର ଘର ଲୋକେ ବାଇକ୍ ଦେଲେନି ବୋଲି ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା କରି ଫେରାର ଥିବା ସ୍ବାମୀର ମୃତ ଦେହ ସେହି ପଞ୍ଚାୟତର କେନାଲ୍ କଡ଼ରୁ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ରାଘୋପୁର ଥାନା ଅନ୍ତର୍ଗତ ହୁଲାସ ପଞ୍ଚାୟତର ଓ୍ବାର୍ଡ ନମ୍ବର ୭ରେ ଏଭଳି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନାର ଭୋଲାହି ବାସିନ୍ଦା ଚନ୍ଦନ ଓ ହୁଲାସା ପଞ୍ଚାୟତ ନିବାସୀ ମୋହନ କାମତଙ୍କ ଝିଅ ସୋନୀ ବର୍ଷକ ତଳେ ପ୍ରେମ ବିବାହ କରିଥିଲେ। ମୃତକଙ୍କ ମା’ଙ୍କ କହିବା କଥା ହେଲା ବିବାହର କିଛି ଦିନ ପରେ ଚନ୍ଦନ ଯୌତୁକରେ ଏକ ବାଇକ୍ ଦାବି କରିଥିଲା। କିନ୍ତୁ ସୋନୀଙ୍କ ପରିବାର ବାଇକ୍ ଦେବାରେ ଅସମର୍ଥ ହେବାରୁ ଚନ୍ଦନ, ସୋନୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲା।
ଏଭଳି ଅତ୍ୟାଚାର ବଢ଼ିବା ପରେ ସୋନୀଙ୍କୁ ପରିବାର ଲୋକେ ନେଇଯାଇଥିଲେ। ବେଳେ ବେଳେ ଚନ୍ଦନ ବି ଶ୍ବଶୁର ଘରକୁ ଯାଏ। ପରେ କିନ୍ତୁ ରୋଜଗାର କରିବାକୁ ଚନ୍ଦନ ବାହାରକୁ ଚାଲିଯାଇଥିଲା। ମଝିରେ ଶ୍ବଶୁର ଘରକୁ ଆସି ବାଇକ୍ ମଧ୍ୟ ଦାବି କରୁଥିଲା ବୋଲି ତା ଶାଶୁ କହିଛନ୍ତି। ସେହି ଭଳି ରବିବାର ଚନ୍ଦନ ମାଛ ଓ ପକୋଡ଼ି ନେଇ ଶ୍ବଶୁର ଘରକୁ ଆସିଥିଲା।
କିନ୍ତୁ ସେତେବେଳେ ସୋନୀ ଓ ତାଙ୍କ ମା’ ପଡ଼ୋଶୀଙ୍କ ଘରକୁ ଯାଇଥିଲେ। ଚନ୍ଦନ ସେଠାରେ ପହଞ୍ଚି ସୋନୀଙ୍କୁ ଘରକୁ ଆଣି ବାଇକ୍ କଥାକୁ ନେଇ ଝଗଡ଼ା କରିଥିଲା। ପରେ ପକେଟରୁ ପିସ୍ତଲ ବାହାର କରି ସୋନୀଙ୍କ କର୍ଣ୍ଣମୂଳକୁ ଗୁଳି କରିଥିଲ ଚନ୍ଦନ। ଘଟଣାସ୍ଥଳରେ ହିଁ ସୋନୀ ଟଳିପଡ଼ିଥିଲେ ବୋଲି ତାଙ୍କ ମା ପୋଲିସ୍କୁ କହିଛନ୍ତି। ଏହା ପରେ ଚନ୍ଦନ ଖସି ପଳାଇଥିଲା।
ଘଟଣା ପରେ ପୋଲିସ ଓ ଶ୍ବଶୁର ଘର ଲୋକେ ଚନ୍ଦନକୁ ଖୋଜୁଥିଲେ କିନ୍ତୁ ସେହି ଦିନ ଦ୍ବିପ୍ରହର ପାଖାପାଖି ଦୁଇଟା ବେଳେ ତାର ମୃତଦେହ ମିଳିଥିଲା। ତାର କର୍ଣ୍ଣମୂଳରେ ବି ଗୁଳି ବାଜିଥିବା ପୋଲିସ କହିଛି। ସେତେବେଳେ ତା ପାଖରେ ପିସ୍ତଲଟି ମଧ୍ୟ ଥିଲା। ତେବେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଥିବା ଏସ୍ଡିପିଓ ରାମାନନ୍ଦ କୌଶଳ କହିଛନ୍ତି।