ବିଲ ମଝିରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ହତ୍ୟାକାରୀ ସ୍ୱାମୀ ଗିରଫ
4/01/2021 at 3:16 PM

ସୋର ୪।୧: ବିଲ ମଝିରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୋଲିସ । ବାଲେଶ୍ବର ଜିଲ୍ଲା ସୋର ଥାନା ଦହିପୁର ଅଞ୍ଚଳରେ ଗତ ଡିସେମ୍ବର ମାସ ୨୯ ତାରିଖ ଦିନ ସକାଳେ ଦହିପୁରର ଏକ ନିଛାଟିଆ ବିଲ ମଝିରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ କୁଟା ଘୋଡା ହୋଇ ପଡିଥିଲା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । କିଛି ସମୟ ପରେ ବାଲେଶ୍ବର ସଦର ଥାନାରେ ଜଣେ ମହିଳା ନିଖୋଜ ଥିବା ଅଭିଯୋଗ ହୋଇଥିବା ଖବର ମିଳିଥିଲା । ଅଭିଯୋଗ କରିଥିବା ମହିଳା ସଦର ଥାନା ଭାଣ୍ଡେଶ୍ଵର ଅଞ୍ଚଳର ସୁମତି ସିଂଙ୍କୁ ବିଲ ମଝିରେ ପଡିଥିବା ମହିଳଙ୍କ ମୃତଦେହ ଦେଖାଇବା ପରେ ମୃତକ ମହିଳା ଜଣଙ୍କ ତାଙ୍କ ନଣନ୍ଦ ସବିତା ସିଂ ବୋଲି ଜଣାପଡିଥିଲା ।ପ୍ରାଥମିକ ତଦନ୍ତରେ ପୋଲିସ ମୃତ ସବିତାର ସ୍ବମୀ ବାଗୁଡି ଆମ୍ବଗଡିଆ ଅଞ୍ଚଳର ବିସୁ ସିଂକୁ ଥାନାକୁ ଆଣି ପଚରା ଉଚରା କରିଥିଲା । ବିସୁ ବିଷ ପିଆଇ ହତ୍ୟା କରିଥିବା ପୋଲସ ପାଖରେ ସ୍ବୀକାର କରିଥିଲା ।
ସବିତା ପ୍ରଥମେ ବିସୁର ବଡ ବାପା ପୁଅ ମଧୁ ସିଂଙ୍କୁ ବିବାହ କରିଥିଲା । ମଧୁଙ୍କ ମୃତ୍ୟୁ ପରେ ବିସୁ, ସବିତାଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛି ବର୍ଷ ପରେ ସବିତା, ବିସୁଙ୍କ ଘର ଛାଡି ବାପ ଘରେ ରହୁଥିଲେ । ବିସୁ ବାଧ୍ୟ ହୋଇ ଗତ ବର୍ଷ ଜୁନ୍ ମାସରେ ଦ୍ବିତୀୟ ବିବାହ କରିଥିଲା । ବିସୁ ଦ୍ବିତୀୟ ବିବାହ କରିବା ଖବର ପାଇ ସବିତା ବିସୁକୁ ମୋତେ ଛାଡପତ୍ର ନଦେଇ ଦ୍ବିତୀୟ ବିବାହ କେମିତି କଲ ବୋଲି ପ୍ରଶ୍ନ କରିବା ସହ ବିଭିନ୍ନ ଧମକ ଦେଇଥିଲେ । ବିସୁ ଏହି ଧମକରେ ଉତ୍କ୍ଷିପ୍ତ ହୋଇ ସବିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ।
ଗତ ଡିସେମ୍ବର ମାସ ୨୭ ତାରିଖରେ ଯୋଜନା ମୁତାବକ ବିସୁ ସବିତାକୁ ଫୋନ୍ କରି ସମାଧାନ ପାଇଁ ଡାକିଥିଲା । ସୋରରେ ସବିତା ପହଞ୍ଚିବା ପରେ ବିସୁ ପୂର୍ବ ଯୋଜନା ଅନୁସାରେ ମଦ ଓ ବିଷ ବୋତଲ କିଣିଥିଲା । ଉଭୟ ଚାଲି ଚାଲି ଯାଇ ଦହିପୁରର ଏକ ନିଛାଟିଆ ବିଲ ମଝିରେ ପହଞ୍ଚିଥିଲେ । ପୂର୍ବ ଯୋଜନା ଅନୁସାରେ ବିସୁ ଆଣିଥିବା ମଦ ଉଭୟ ସେହି ବିଲ ମଝିରେ ବସି ପିଇଥିଲେ । ମଦ ନିଶା ହେବା ପରେ ବିସୁ ଅଣିଥିବା ବିଷକୁ ମଦ ସହ ସବିତାକୁ ପିଇବାକୁ ଦେଇଥିଲା । ସବିତା ବିଷ ପିଇ ଶୋଇଯାଇଥିଲା । କିଛି ସମୟ ପରେ ସବିତା ମରିଯାଇଥିବା ଜାଣିବା ପରେ ତାକୁ ଟାଣି ଟାଣି ପାଖରେ ଥିବା ଏକ କୁଟା ବୁଦା ପାଖରେ । ତା ଉପରେ କୁଟା ଘୋଡାଇ ସେଠାରୁ ପଳାଇଯାଇଥିଲା ।