ସାପ ଚୋଟରେ ସ୍ତ୍ରୀକୁ ହତ୍ୟା: ଦ୍ଵିତୀୟ ବିବାହ ନିଶାରେ ସ୍ଵାମୀ ପାଲଟିଗଲା ସଇତାନ, ଭୟଙ୍କର ଷଡଯନ୍ତ୍ରର ଲୋମ ଟାଙ୍କୁରା ରହସ୍ୟ

Published By : Prameya-News7 Bureau | May 25, 2020 IST

ତିରୁଅନନ୍ତପୁରମ ୨୫।୦୫: ସ୍ଵାମୀ ସ୍ତ୍ରୀକୁ ମାଡ ମାରି, ଛୁରିରେ ଭୁସି, ଜାଳି, ତଣ୍ଟି ଚିପି ହତ୍ୟା କରିବା ଖବର ଆପଣ ନିତିଦିନ ଶୁଣୁଥିବେ। କିନ୍ତୁ ଏମିତି ଜଣେ ସ୍ଵାମୀ ଯିଏ ଷଡଯନ୍ତ୍ର ରଚି ସ୍ତ୍ରୀକୁ ହତ୍ୟା  କଲା ଏବଂ ଏହାକୁ ଅପମୃତ୍ୟୁ ମାମଲାର ରୂପ ଦେବାକୁ ଚେଷ୍ଟା କରିଥିଲା। ଏଥିପାଇଁ ସ୍ଵାମୀ ଜଣକ ଘରେ ବିଷାକ୍ତ ସାପ ଛାଡି ଦେଇଥିଲା। ବିଷାକ୍ତ ସାପ କାମୁଡାରେ ସ୍ତ୍ରୀ ମୃତ୍ୟୁ ଘଟିଲା। ସ୍ଵାମୀ ଜଣକ ନିଜ ଯୋଜନା ସଫଳ ହୋଇଥିବା ଭାବି ନେଇଥିଲା। କିନ୍ତୁ ଘଟଣାର ଦୁଇ ସପ୍ତାହ ପରେ ଅଭିଯୁକ୍ତ ସ୍ଵାମୀର ଖେଳ ପର୍ଦ୍ଦାଫାଶ  ହୋଇଛି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ହତ୍ୟାର ପ୍ରକୃତ ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି। ଏହି ଘଟଣା କେରଳର କୋଲାମ ଅଞ୍ଚଳରେ ଘଟିଛି।

ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଅଭିଯୁକ୍ତ ପି ସୁରଜ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ପୂର୍ବରୁ ମାର୍ଚ୍ଚ ମାସରେ ଏମିତି ପଦ୍ଧତି ଆପଣେଇଥିଲା। ଘରେ ସାପ ଛାଡି ଥିଲେ ବି ପତ୍ନୀ ଏସ ଉଥରା ପ୍ରଥମ ଥର ବଞ୍ଚି ଯାଇଥିଲେ ବୋଲି କୋଲାମ ଗ୍ରାମାଞ୍ଚଳ ପୋଲିସ ସୁପରିଟେଣ୍ଡେଣ୍ଟ ଏସ ହରିଶଙ୍କର କହିଛନ୍ତି।

ସେ କହିଛନ୍ତି ପ୍ରାଥମରିକ ତଦନ୍ତ ପରେ ଆମେ ଜାଣିବାକୁ ପାଇଲୁ ଯେ, ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଅଭିଯୁକ୍ତ ସ୍ଵାମୀ ପି ସୁରଜ ସ୍ତ୍ରୀକୁ ହତ୍ୟା କରିବାକୁ ପାଞ୍ଚ ମାସ ପୂର୍ବରୁ ଯୋଜନା କରୁଥିଲା। ୩୨ ବର୍ଷୀୟ ସୁରଜ ଅନ୍ୟ ଏକ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିଲା। କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ କରି ଅଡୁରର ସ୍ଥିତ  ବାସଭବନରୁ ସୁରଜକୁ ଗିରଫ କରିଛି। ସୁରଜ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ। ସୁରେଶ ପି ନାମକ ଜଣେ ସାପ ଧରାଳୀ ଏହି ଘଟଣାରେ ପୋଲିସକୁ ଗୁରୁତ୍ଵପୂର୍ଣ୍ଣ ସାହାଯ୍ୟ କରିଥିଲେ।

{"id":275974,"sizeSlug":"large"}

ମହିଳାଙ୍କ ପରିବାର ଲୋକ ମୃତ୍ୟୁର ଏକ ସପ୍ତାହ ପରେ ଥାନାରେ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥଲେ ଯେ, ସ୍ଵାମୀ ସୁରଜ ଏବଂ ତାଙ୍କ ପରିବାର ଲୋକ ଯୌତୁକ ନେଇ ଝିଅ ଉଥରାକୁ ମାନସିକ ଏବଂ ଶାରୀରିକ ଭାବେ ନିର୍ଯ୍ୟାତନା ଦେଇ ଆସୁଥିଲେ। ଦୁଇ ବର୍ଷ ତଳେ ସୁରଜ ଓ ଉଥରାଙ୍କ ବିବାହ ହୋଇଥିଲା। ସେମାନଙ୍କର ଗୋଟିଏ ପୁଅ ମଧ୍ୟ ରହିଛି।

ପୋଲିସ ଅନୁଯାୟୀ ଅଭିଯୁକ୍ତ ସୁରଜ ୧୦  ହଜାର ଟଙ୍କା ଦେଇ ଏକ କେଳାଠୁ ବିଷାକ୍ତ ସାପ କିଣିଥିଲା। ଏହା ସହିତ ସେ କେଳାଠୁ ଉପଯୁକ୍ତ ପ୍ରଶିକ୍ଷଣ ମଧ୍ୟ ନେଇଥିଲା। ମେ ୬ରେ ସୁରଜ ଉକ୍ତ ସାପ ଧରି  ସ୍ତ୍ରୀ ଉଥରାଙ୍କ ଘରକୁ ନେଇ ଆସିଥିଲା। କାରଣ ପ୍ରଥମ ସାପ କାମୁଡା ପରେ ଉଥରା ଅଞ୍ଚଲ ସ୍ଥିତ ନିଜ ବାପ ଘରେ ରହି ଚିକିତ୍ସା କରାଉଥିଲେ।

ସୁରଜ ଓ ଉକ୍ତ କେଳା ପରସ୍ପର ଯୋଗାଯୋଗରେ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୫୦ ଥର ଫୋନରେ କଥାବାର୍ତ୍ତା ହୋଇଛି। ପ୍ରଥମ ପ୍ରୟାସ ବିଫଳ ହେବା ପରେ ସୁରଜ ଆଉ ଏକ ସୁଯୋଗକୁ ଅପେକ୍ଷା କରିଥିଲା ବୋଲି ପୋଲିସ କହିଛି।

ପୋଲିସ୍ କହିଛି, ଉଥରା ରାତିରେ ଶୋଇବା ପରେ ସୁରଜ ବୋତଲ ଖୋଲି ସାପକୁ ସ୍ତ୍ରୀ ଉପରକୁ ଫିଙ୍ଗି ଦେଇଥିଲା। ଏହା ପରେ ଉଥରା ଚମକି ଉଠି ପଡିଥିଲା ଏବଂ ନିଜେ ନିଶ୍ଚିତ ହୋଇଥିଲେ ଯେ ସାପ ତାଙ୍କୁ କାମୁଡି ନାହିଁ। ସକାଳେ ସେ ରୁମ ଛାଡି ବାରଣ୍ଡାରେ ବସି ଖବରକାଗଜ ପଢିଥିଲେ।

ଏହାର କିଛି ସମୟ ପରେ ଉଥରାଙ୍କ ମା ଝିଅ ସନ୍ଦିଗ୍ଧ ଅବସ୍ଥାରେ ତଳେ ପଡି ରହିଥିବା ଦେଖିଲେ। ତୁରନ୍ତ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେତେବେଳେ ଉଥରା ଶୋଇଥିବା ଘରକୁ ଛାନଭିନ୍ କରାଗଲା ପରିବାର ଲୋକ ଏକ ସାପ ଦେଖିବାକୁ ପାଇଲେ।

ସମସ୍ତେ ଆଶ୍ଚର୍ଯ୍ୟ ଚକିତ ଥିଲେ ଯେ, ଦମ୍ପତ୍ତି ଏସି ଲାଗିଥିବା ଘରେ ଶୋଇଥିଲେ, ଯେଉଁଠି କି ସାପ ଆସିବା ବହୁତ ମୁସ୍କିଲ। ପରିବାର ଲୋକେ ମଧ୍ୟ ତାଙ୍କ ଘରେ ପୂର୍ବରୁ କେବେ ସାପ ଦେଖିନଥିବା କହିଥିଲେ। ଏହାପରେ ଉଥରାଙ୍କ ଘର ଲୋକ ଥାନାରେ ଏତଲା ଦେଇଥିଲେ। ପରିବାର ଲୋକ ଝିଅର ଶାଶୁଘର ଯୌତୁକ ଲାଗି ଝିଅକୁ ମାନସିକ ଓ ଶାରୀରିକ ଭାବେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥଲେ।

ହରିଶଙ୍କର କହିଛନ୍ତି, ତଦନ୍ତ ସାଇଣ୍ଟିଫିକ୍ ଭାବେ ଆରମ୍ଭ କରିଥିଲୁ। ଏହା ଏକ ଆଶ୍ଚର୍ଯ୍ୟ କରିବା ଭଳି କେସ୍‌ ଥିଲା। ଆଜି ଦୋଷୀକୁ କୋର୍ଟରେ ହାଜର କରାଯାଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.