ସାଲିଆସାହିର ଠକ ଦମ୍ପତ୍ତି : ୨୨ଲକ୍ଷ ଋଣ ନେଇ ଛୁ ମାରିଥିଲେ, ମାଡିବସି ଥାନାରେ ଦେଲେ ମହିଳା ଗୋଷ୍ଠୀ

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର ୦୧।୦୬: ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଠକେଇ କରି ଫେରାର୍‌ ଥିବା ଦମ୍ପତିିଙ୍କୁ ଧରି ମହିଳାମାନେ ରବିବାର ସନ୍ଧ୍ୟାରେ ନୂଆପଲ୍ଲୀ ଥାନା ପୁଲିସ ଜିମା ଦେଇଛନ୍ତି । ଧରାପଡ଼ିଥିବା ଦମ୍ପତ୍ତି ହେଲେ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ପ୍ରଧାନ(୫୦) ଓ ତାଙ୍କ ପତ୍ନୀ ଅଞ୍ଜନା(୪୩) । ସେମାନେ ସାଲିଆସାହିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଏହି ଦମ୍ପତି ସାଲିଆସାହିରେ ଏକ ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଋଣ ନେଇଥିଲେ । କିନ୍ତୁ ପରେ ସେମାନେ ଆଉ ଟଙ୍କା ସୁଝି ନଥିଲେ । ଗୋଷ୍ଠୀର ସଦସ୍ୟମାନେ ବାରମ୍ବାର ଟଙ୍କା ମାଗିବାରୁ ସେମାନେ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ଦମ୍ପତି ଆଉ ଧରାଛୁଆଁ ଦେଇ ନଥିଲେ । ଏନେଇ ମହିଳା ଗୋଷ୍ଠୀର ସଦସ୍ୟ ରହମା ନାୟକ ଓ ଅନ୍ୟ ସଦସ୍ୟମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି ପ୍ରଶାନ୍ତ ଓ ପତ୍ନୀ ଅଞ୍ଜନାଙ୍କୁ ଗିରଫ କରି ଜେଲ ପଠାଇଥିଲା ।

ପ୍ରଶାନ୍ତ ଓ ଅଞ୍ଜନା ଜାମିନରେ ଆସିବା ପରେ ଏହି ଦମ୍ପତି ମେ’ ୫ ତାରିଖରେ ଋଣ ଟଙ୍କା ସୁଝିଦେବେ ବୋଲି କହି ଏକ ଚେକ୍‌ ଦେଇଥିଲେ । କିନ୍ତୁ ୫ ତାରିଖରେ ଚେକ୍‌ ବାଉନ୍ସ ହୋଇଥିଲା । ପ୍ରଶାନ୍ତ ଓ ଅଞ୍ଜନାଙ୍କୁ ମହିଳାମାନେ ଖୋଜିବା ବେଳକୁ ସେମାନେ ସାଲିଆସାହି ଛାଡ଼ି ପଳାଇଥିଲେ । ତେବେ ଆଜି ପ୍ରଶାନ୍ତ ଓ ଅଞ୍ଜନା ମହିଳା ଗୋଷ୍ଠୀ ସଦସ୍ୟଙ୍କ ହାବୁଡ଼ରେ ପଡ଼ିଥିଲେ । ସନ୍ଧ୍ୟାରେ ସେମାନେ ଦମ୍ପତିଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଜିମା ଦେଇଥିଲେ । ତେବେ ଏହି ଦମ୍ପତି ଟଙ୍କା ସୁଝିବାକୁ ମହିଳା ଗୋଷ୍ଠୀଙ୍କୁ ଆଉ ଏକମାସ ସମୟ ମାଗିଥିଲେ । ଶେଷରେ ଥାନାରେ ଉଭୟପକ୍ଷଙ୍କ ଲେଖାପଢ଼ା ପରେ ବିଳମ୍ବିତ ରାତିରେ ଦମ୍ପତିଙ୍କୁ ଛାଡ଼ି ଦିଆ ଯାଇଥିବା ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.