ଏକତରଫା ପ୍ରେମର କରୁଣ ପରିଣତି ; ପ୍ରେମିକାର ବାପା ଓ ମାଆକୁ ହତ୍ୟାକଲା ପ୍ରେମିକ
29/08/2018 at 11:10 PM

ଭଦ୍ରକ ୩୦।୮ : ଏକ ତରଫା ପ୍ରେମର କରୁଣ ପରିଣତି । ବିଫଳ ପ୍ରେମିକ ଘଟାଇଛି ଉନ୍ମତକାଣ୍ଡ । ପ୍ରେମ ସମ୍ପର୍କକୁ ନେଇ ଘଟିଯାଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ପ୍ରେମରେ ବିଫଳ ହୋଇ ଅଭିଯୁକ୍ତ ତ୍ରିଲୋଚନ ସେନାପତି ନାମକ ଜଣେ ଯୁବକ ତାର ପ୍ରେମିକାର ବାପା ଓ ମାଆଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଛି । ସେହିପରି ପ୍ରେମିକାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ ।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ ଗାଁର ସୁଧାକର ବିଶ୍ବାଳଙ୍କ ଝିଅକୁ ବର୍ଷେ ତଳେ ପ୍ରେମ କରୁଥିଲା ଅଭିଯୁକ୍ତ ତ୍ରିଲୋଚନ । ତେବେ ସୁଧାକର ଏହାକୁ ବିରୋଧ କରି ତାଙ୍କ ଝିଅକୁ ଅନ୍ୟତ୍ର ବିବାହ କରିଦେଇଥିଲେ । ଫଳରେ ଏହାକୁ ନେଇ ସୁଧାକରଙ୍କ ପରିବାରକୁ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲା ଅଭିଯୁକ୍ତ । ପ୍ରତିଶୋଧ ପରାୟଣ ହୋଇ ତ୍ରିଲୋଚନ ଗତକାଲି ସନ୍ଧ୍ୟାରେ ଆସି ପ୍ରଥମେ ସୁଧାକରଙ୍କ ପତ୍ନୀ ସରସ୍ବତୀ ବିଶ୍ବାଳଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ସରସ୍ବତୀଙ୍କ ମୃତ୍ୟୁ ହୋଇଯାଇଥିଲା ।ପାଟି ଶୁଣି ସୁଧାକର ଘରୁ ବାହାରକୁ ଆସିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଅଭିଯୁକ୍ତ ।ତାଙ୍କୁ ବଞ୍ଚାଇବାକୁ ଆସି ଝିଅ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲା ।ସୁଧାକରଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।