ବୋହୂକୁ ପୋଡି ମାରିବାକୁ ଉଦ୍ୟମ : ଶ୍ବଶୁର ଅଟକ

Published By : Prameya-News7 Bureau | December 28, 2019 IST

ଉଦଳା ୨୮/୧୨: ସ୍ବାମୀ ଓ ଶ୍ବଶୁର ବୋହୂକୁ ପୋଡି ମାରିବାକୁ ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯିବା ସହିତ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ଖୁଂଟା ଥାନା ସାଇଁକୁଳା ଗ୍ରାମରେ । 

ବିବାହକୁ ଦେଢ ବର୍ଷ ବିତିଲାଣି । ହେଲେ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରତ୍ୟେକ ଦିନ ବୋହୂକୁ ଘରେ ନିର୍ଯାତନା ଦିଆଯାଉଥିଲା । ଶେଷରେ ବୋହୂ ଉପରେ କିରୋସିନି ଢାଳି ହତ୍ୟା କରାଯିବାକୁ ଉଦ୍ୟମ କରାଯାଇଛି ।  ସାଇଁକୁଳା ଗ୍ରାମରେ ରହୁଥିବା ଇନ୍ଦ୍ରଜିତ୍ ଗିରିଙ୍କୁ ରାସଗୋବିନ୍ଦପୁର ଥାନା କରଜପଡା ଗ୍ରାମର ନିବେଦିତା ଦେ ଆଜକୁ ଦେଢ ବର୍ଷ ପୂର୍ବରୁ ବିବାହ କରିଥିଲେ । ହେଲେ ବିବାହ ପରଠାରୁ ଅନେକ ସମୟରେ ତାଙ୍କୁ ଶ୍ବଶୁର ଘରେ ଶ୍ବଶୁର ଏବଂ ସ୍ବାମୀ ନିର୍ଯାତନା ଦେଇ ଆସୁଥିବା ନିବେଦିତା ତାଙ୍କ ପରିବାର ଲୋକଙ୍କୁ କହିଥିଲେ ।

ହେଲେ ଆଜି ସବୁ ସୀମା ଲଂଘିଗଲା ନିର୍ଯାତନା । ବୋହୂକୁ କିରୋସିନି ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ ଶ୍ବଶୁର ଏବଂ ସ୍ବାମୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି ।  ତେବେ ନିବେଦିତାଙ୍କୁ ତାଙ୍କ ସ୍ବାମୀ ଏବଂ ଶ୍ବଶୁର ପୋଡି ମାରିବାକୁ ଉଦ୍ୟମ କରିଥିବା ନିବେଦିତାଙ୍କ ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକେ ନିବେଦିତାଙ୍କ ଶ୍ବଶୁର ପ୍ରହ୍ଲାଦ ଗିରିଙ୍କୁ ଅଟକ ରଖିବା ସହିତ ତାଙ୍କର ହାତ ବାନ୍ଧି ଦେଇଛନ୍ତି । ଖୁଂଟା ପୋଲିସ୍ ଘଟଣାସ୍ଥଳରେ ପହଂଚି ଶ୍ବଶୁରଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ତେବେ ଏହି ଘଟଣାରେ ବୋହୂ ନିବେଦିତା କିନ୍ତୁ କିଛି କହିବାକୁ ନାରାଜ ।

ହେଲେ ଆଜି ସକାଳେ ନିବେଦିତା ନିଜ ଶ୍ବଶୁର ଘରୁ ଲୁଚି ଚିକିତ୍ସା ନିମନ୍ତେ ଘର ସାମ୍ନାରେ ଥିବା ଡାକ୍ତରଖାନାକୁ ଯାଇଥିବାବେଳେ ସେଠାରେ ପୂର୍ବରୁ ମାଡ ଖାଇ ନିବେଦିତାଙ୍କ ଶରୀରରେ ହୋଇଥିବା କ୍ଷତ ବାବଦରେ ଫାର୍ମାସିଷ୍ଟ ଚିକିତ୍ସା କରିଥିଲେ । ତାପରେ ସେ ଫାର୍ମାସିଷ୍ଟଙ୍କ ଫୋନରୁ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ଏହାପରେ ଡାକ୍ତରଖାନା ସମ୍ମୁଖରୁ ନିବେଦିତାଙ୍କ ଚୁଟି ଧରି ତାଙ୍କ ସ୍ବାମୀ ତାଙ୍କ ଘରକୁ ନେଇ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଫାର୍ମାସିଷ୍ଟ କହିଛନ୍ତି । ତେବେ ଜୀବନମରଣ ସହ ସଂଗ୍ରାମ କରୁଥିବା ନିବେଦିତା ଏହି ଘଟଣାରେ କିଛି ନ କହିବା ପଛରେ ଚାପ ରହିଥିବା ସ୍ପଷ୍ଟ ଅନୁମାନ କରାଯାଉଛି । ତେବେ ଏହି ଚାପ ଶ୍ବଶୁର ଘର ଲୋକେ ଦେଇଛନ୍ତି ନା କିଏ ଦେଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.