ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି

Published By : Prameya-News7 Bureau | March 02, 2021 IST

ବାଲେଶ୍ବର ୨।୩: ସୋସିଆଲ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ ସ୍ବାମୀ କରିଛି ଅପଲୋଡ୍ । ସ୍ବାମୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ସ୍ତ୍ରୀ । ବାଲେଶ୍ବର ଜିଲ୍ଲା ସିଙ୍ଗ୍ଲା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଉଲ୍ଲେଖଯୋଗ୍ୟ ଯେ, ସିଙ୍ଗ୍ଲା ଥାନା ଅଞ୍ଚଳର ରାକେଶ (ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ୨୦୧୯ ମସିହାରେ ବୈଦିକ ରୀତିନୀତିରେ ସୁନୀତି (ଛଦ୍ମନାମ) ନାମକ ମହିଳାଙ୍କୁ ବିବାହ କରିଥିଲେ ।  ରାକେଶ ଚେନ୍ନାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଆଉ ସୁନୀତି ଶାଶୁଘରେ ରହୁଥିଲେ । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା ।  ଏହାପରେ ସୁନୀତି ଶାଶୁଘର ଛାଡି ବାପାଘରକୁ ପଳାଇଲେ । ସେହି ସମୟରେ ସୁନୀତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଉଲଗ୍ନ ଫଟୋ କେହି ଅପଲୋଡ୍ କରିଖଥିବା ସେ ଜାଣିବାକୁ ପାଇଥିଲେ । ଗୋଟିଏ କି ଦୁଇଟି ନୁହେଁ ଏକାସହ ୧୫ଟି ଫଟୋ ଅପଲୋଡ୍ ହୋଇଥିବା ସେ ତାଙ୍କ ଆକାଉଣ୍ଟ ଖୋଲିବା ପରେ ଜାଣିପାରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ପୋଷାକ ବଦଳାଇବାର ଫଟୋ, ଆଉ ଶୋଇବା ବେଳର ଫଟୋ ସବୁ ଅପଲୋଡ୍ ହେବା ପରେ ଅନେକ ଲାଇକ୍ ଓ କମେଣ୍ଟ ମିଳିବା ସହ ସେହି ଫଟୋ ସବୁ ଏବେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ।

ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ତାଙ୍କର ଏସହୁ ଫଟୋକୁ ଅନ୍ୟ କେହି ନୁହେଁ ବରଂ ତାଙ୍କ ସ୍ବାମୀ ରାକେଶ ହିଁ ଅପଲୋଡ୍ କରିଥିବା ସୁନୀତି ଥାନାରେ ଅଭିଯୋଗ କରିଛନ୍ତି ।  ସ୍ବାମୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଆଇଡି ଓ ପାସୱାର୍ଡ ଜାଣିଥିବା ସୁନୀତି ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପୋଲିସ ଅଭିଯୁକ୍ତ ରାକେଶ ବିରୋଧରେ ଆଇଟି ଆକ୍ଟ ୬୬ (ଇ), ୬୭, ୬୭ଏ ସହ ୪୯୮ଏ, ୨୯୪, ୩୨୩, ୫୦୬, ୩୭୯, ୩୪ ଧାରାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଅନ୍ୟପଟେ ଏସବୁ ଫଟୋ ରାକେଶ ଅପଲୋଡ୍ କରିନଥିବା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.