‘କାହିଁକି ପୁଣି ଝିଅ ଜନ୍ମ କଲୁ…’ ସଉତୁଣୀକୁ ଧରି ସ୍ବାମୀ ଫେରାର

Published By : Prameya-News7 Bureau | March 14, 2020 IST

ନବରଙ୍ଗପୁର ୧୪/୩: ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ଛାଡ଼ି ଅନ୍ୟ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ସ୍ୱାମୀ ଫେରାର୍‌ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଫୁଣ୍ଡେଲପଡ଼ା ଗାଁରେ।

ପୁଲିସ ସୂତ୍ରରୁ ପ୍ରକାଶ, ଫୁଣ୍ଡେଲପଡ଼ା ଗାଁର ସେମଲାଲ ପଟେଲଙ୍କ ଝିଅ ଲକ୍ଷ୍ମୀ ୪ବର୍ଷ ତଳେ ଫଟକି ପଞ୍ଚାୟତ ଲଧୁଆପଡା ଗାଁର ବାବୁଲାଲ ପଟେଲ (୨୫)ଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଖୁସିରେ ରହୁଥିଲେ । ଇତିମଧ୍ୟରେ ସ୍ତ୍ରୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରଥମ ସନ୍ତାନ ଝିଅ ଜନ୍ମ ହୋଇଥିବାରୁ ପରିବାରର ସମସ୍ତେ ଖୁସି ହୋଇଥିଲେ । ଦୁଇ ବର୍ଷ ପରେ ସ୍ତ୍ରୀଙ୍କ କୋଳକୁ ଆଉ ଏକ କନ୍ୟା ସନ୍ତାନ ଆସିବାରୁ କଳହ ଆରମ୍ଭ ହୋଇଥିଲା । ପୁଅ ଜନ୍ମ ହେଉନି କହି ସ୍ୱାମୀ ବାବୁଲାଲ ସ୍ତ୍ରୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଏପରିକି ଘରୁ ଚାଲି ନଗଲେ ଜୀବନରେ ମାରିଦେବା ପାଇଁ ଧମକ ଦେଉଥିବା ଲକ୍ଷ୍ମୀ ଥାନାରେ ଏତଲା ଦେଇଛନ୍ତି ।

ଦୁଇଟି କନ୍ୟା ସନ୍ତାନଙ୍କ ଭବିଷ୍ୟତକୁ ନେଇ ଲକ୍ଷ୍ମୀ ଚିନ୍ତାରେ ଥିବା ବେଳେ ସ୍ୱାମୀ ବାବୁଲାଲ ଗାଁର ଅନ୍ୟ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ୪ଦିନ ତଳେ ଫେରାର୍‌ ହୋଇ ଯାଇଥିବା ଏତଲାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଲକ୍ଷ୍ମୀଙ୍କ ବାପଘର ଲୋକେ ଫୁଣ୍ଡେଲପଡ଼ା ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.