ହିଂସ୍ର ହୋଇଯାଇଛି ଜଙ୍ଗଲୀ ବାଘ, ନେଲାଣି ୨ ଜୀବନ : ଦେଖିବା ମାତ୍ରେ ହତ୍ୟାକରିବାକୁ ଜଙ୍ଗଲ ବିଭାଗର ନିର୍ଦ୍ଦେଶ

Published By : Prameya-News7 Bureau | October 02, 2021 IST

ଚେନ୍ନାଇ ୦୨/୧୦ : ବନ୍ୟଜନ୍ତୁଙ୍କୁ ଶିକାର କରିବା ଦଣ୍ଡନୀୟ ଅପରାଧ । ଏ ନେଇ କଡା ଆଇନ ମଧ୍ୟ ରହିଛି । କିନ୍ତୁ ତାମିଲନାଡୁରେ ଏକ ଜଙ୍ଗଲୀ ବାଘକୁ ହତ୍ୟା କରିବାକ ଖୋଦ୍‌ ଜଙ୍ଗଲ ବିଭାଗ ନିର୍ଦେଶ ଦେଇଛି । ଏହା ପଛର କାରଣ ମଧ୍ୟ ଚକିତ କରିବା ଭଳି । ଉକ୍ତ ବାଘଟି ମୁଦୁମାଲାଇ ଟାଇଗର ରିଜର୍ଭ (MTR) ଅଞ୍ଚଳରେ ୨ ଜଣ ମଣିଷ ଏବଂ ଅନେକ ଗୃହପାଳିତ ପଶୁଙ୍କୁ ମାରିସାରିଲାଣି । ତେବେ ସବୁଠାରୁ ବଡ କଥା ହେଉଛି ବାଘଟି ହିଂସ୍ର ହୋଇଯାଇଥିବା ବେ​‌ଳେ ଜଙ୍ଗଲ ବିଭାଗ ପକ୍ଷରୁ ତାକୁ କାବୁ କରିବା ସମ୍ଭବପର ହେଉନାହିଁ । ଯାହା ଫଳରେ ବାଧ୍ୟହୋଇ ଜଙ୍ଗଲ ବିଭାଗ ପକ୍ଷରୁ ତାକୁ ଶିକାର କରିବାକୁ ନିର୍ଦେଶନାମା ଜାରି ହୋଇଛି ।

ବାଘକୁ କାବୁ କରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଉଦ୍ୟମ ଜାରି ରହିଛି । କିନ୍ତୁ ତଥାପି ବାଘଟି ଧରାଛୁଆଁ ଦେଉନାହିଁ । ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଧାରା ୧୧(୧)(a) ଅନୁଯାୟୀ, ଉକ୍ତ ହିଂସ୍ର ବାଘକୁ ହତ୍ୟା କରିବାକୁ ନିର୍ଦେଶ ଜାରି ହୋଇଛି ।

ତାମିଲନାଡୁ ଜଙ୍ଗଲ ବିଭାଗର କହିବା ଅନୁଯାୟୀ, ମୁଦୁମାଲାଇ ଟାଇଗର ରିଜର୍ଭ ଅଞ୍ଚଳରେ ବାଘଟି ବାରମ୍ବାର ଗୃହପାଳିତ ପଶୁଗୁଡିକୁ ମାରିଖାଇଯାଉଛି ।  ଏଭଳି ଘଟଣାର ଗତ ଜୁଲାଇ ମାସରୁ ହିଁ ଲାଗିରହିଛି । ଗତ ସେପ୍ଟେମ୍ବର ୨୪ ତାରିଖରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲା ସେହି ହିଂସ୍ର ବାଘ । ଏହାପରଠାରୁ ତାକୁ ଟ୍ରାକ୍‌ କରି ଧରିବା ସହ ଟ୍ରାଙ୍କୁଲାଇଜ୍‌ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା ।

ତେବେ ବାଘଟିକୁ ଚିହ୍ନଟ କରାଯାଇଥିଲେ ସୁଦ୍ଧା ଧରିବାକୁ ସକ୍ଷମ ହୋଇପାରୁନାହାନ୍ତି ଜଙ୍ଗଲ ବିଭାଗ ଅଧିକାରୀ । ଗୃହପାଳିତ ପଶୁଗୁଡିକୁ ମଧ୍ୟ ଲଗାତାର ଭାବେ ମାରି ଚାଲିଛି । ଏହାରି ମଧ୍ୟରେ ଗତ ଶୁକ୍ରବାର ଦିନ ଆଉ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି ବାଘ । ଏହା ପରେ ବାଧ୍ୟ ହୋଇ ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ବାଘକୁ ହତ୍ୟା କରିବାକୁ ନିର୍ଦେଶ ଦିଆଯାଇଛି ।

ସ୍ଥାନୀୟ ଲୋକମାନେ ଦାବି କରିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛି ଜଙ୍ଗଲ ବିଭାଗ । ତେବେ ପୂର୍ବରୁ ଏଭଳି ଘଟଣା ଘଟୁନଥିଲା । ଲୋକମାନଙ୍କ ସତର୍କତା ଅଭାବ ଏବଂ ଜଙ୍ଗଲ ବିଭାଗର ବାରମ୍ବାର ଚେତାବନୀ ପରେ ବି ସ୍ଥାନୀୟ ଲୋକମାନେ ଏହାକୁ କର୍ଣ୍ଣପାତ କରୁନଥିଲେ । ଫଳ ସ୍ବରୂପ ଜନଜୀବନ କ୍ଷତି ଘଟୁଛି । ଜଙ୍ଗଲ ବିଭାଗ ଅଧିକାରୀମାନେ କହିଛନ୍ତି, ବାଘକୁ ଧରିବା ଆମର ପ୍ରଥମ ଲକ୍ଷ୍ୟ । ଯଦି ଧରାନଦିଏ ତେବେ ଯାଇ ହତ୍ୟା କରିବାକୁ ଚିନ୍ତା କରାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.