କରୋନାର ଟ୍ରିପଲ୍‌ ମ୍ୟୁଟାଣ୍ଟ ବ୍ୟାପିବା ସମ୍ଭାବନା : ପଶ୍ଚିମବଙ୍ଗରୁ ଆସୁଛନ୍ତି ଶହ ଶହ ଯାତ୍ରୀ, ହେଉନି ଯାଞ୍ଚ

Published By : Prameya-News7 Bureau | April 24, 2021 IST

ବଡବିଲ ୨୪।୪: ସାରା ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।  ସ୍ଥିତି ସାଂଘାତିକ ଆଡକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ଆଜିଠାରୁ ସମସ୍ତ ସହରାଂଚଳରେ ୨ ଦିନିଆ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରିଛି । ଏଥିସହ ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ ବ୍ଲକିଂକୁ ଜୋରଦାର କରାଯିବା ସହ ଅନ୍ୟ ରାଜ୍ୟରୁ ପ୍ରବେଶ ଉପରେ କଟକଣା ଲଗାଇଛି । ତେବେ ପଶ୍ଚିମବଙ୍ଗରେ ଦେଖାଯାଇଥିବା କରୋନାର ଟ୍ରିପଲ୍‌ ମ୍ୟୁଟାଣ୍ଟ ଅଧିକ ଘାତକ ହୋଇଥିବା ବେଳେ, ଦ୍ରୁତ ଗତିରେ ଏହା ସଂକ୍ରମିତ ହେଉଥିବା ଜଣାପଡ଼ିଛି । ତେବେ ଏହି ଟ୍ରିପଲ୍‌ ମ୍ୟୁଟାଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ବାଲେଶ୍ବରଠାରୁ ବାରିପଦା ଯାଏଁ ପଶ୍ଚିମବଙ୍ଗ ସୀମାକୁ ସିଲ୍‌ କରାଯାଇ କଡ଼ାକଡ଼ି ଚେକିଂ ହେଉଛି ।

ଓଡ଼ିଶାକୁ ପ୍ରବେଶ କରିବାକୁ ହେଲେ ୪୮ ଘଣ୍ଟା ଭିତରେ ହୋଇଥିବା ଆରଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ୨ଟି ଯାକ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏପରି ନକଲେ ୧୪ ଦିନ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି ।  ସେହିପରି ବିଭିନ୍ନ ରେଳ ଷ୍ଟେସନମାନଙ୍କରେ ପଶ୍ଚିମବଙ୍ଗରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯିବା ସହ ଯାଞ୍ଚ କଡ଼ାକଡ଼ି କରାଯାଇଛି ।  ସେପଟେ କେନ୍ଦୁଝର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଉପରେ କୌଣସି କଟକଣା ନଥିବା ଭଳି ଜଣାପଡୁଛି ।  ପ୍ରତିଦିନ ହାଓ୍ବଡାରୁ ବଡ଼ବିଲକୁ ଜନଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ, ଦୈନିକ ଶହଶହ ସଂଖ୍ୟାରେ ଯାତ୍ରୀ ପଶ୍ଚିମବଙ୍ଗରୁ ଅନାୟସରେ ଓଡ଼ିଶାକୁ ପ୍ରବେଶ କରୁଛି । ବଡ଼ବିଲ ଷ୍ଟେସନରେ ଜିଲ୍ଲା ପ୍ରଶାସନ କିମ୍ବା ରେଳବାଇ ପକ୍ଷରୁ ସେମାନଙ୍କର ଯାଞ୍ଚ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।  ଜନଶତାଦ୍ଦୀ ଟ୍ରେନ୍‌ ଯୋଗେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ଆସୁଥିବା ଯାତ୍ରୀ ବଡ଼ବିଲ ପହଞ୍ଚିବା ପରେ ବିନା ରୋକ୍‌ ଠୋକ୍‌ ଚାଲିଯାଉଛି ।  

ବିଶେଷ କରି ଯୋଡ଼ା, ବଡ଼ବିଲ, ବଲାଣି, କୋଇଡ଼ା ଆଦି ଅଂଚଳରେ ଥିବା ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରେ କାମ କରୁଥିବା ଏହି ବଙ୍ଗୀୟ ଲୋକେ ଅବାଧରେ ପ୍ରବେଶ  କରିପାରୁଛି । ଏଭଳି ପରିସ୍ଥିତିରେ କରୋନାର ଟ୍ରିପଲ୍‌ ମ୍ୟୁଟାଣ୍ଟ ବ୍ୟାପିବାର ସମ୍ଭାବନା ଦେଖାଦେଇଛି ।  ସେପଟେ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଚମ୍ପୁଆରେ ଗୋଟିଏ ଚେକ୍‌ ପୋଷ୍ଟ କରାଯାଇଥିବା ବେଳେ, ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ମୁକୁଳା ପଡ଼ିଛି । ଗତବର୍ଷ ବଡ଼ବିଲ ପୌରାଞ୍ଚଳର ସୀମାବର୍ତ୍ତୀ ନାଲଦା ଅଂଚଳକୁ ସିଲ୍‌ କରାଯାଇ ଚେକିଂ କଡ଼ାକଡ଼ି କରାଯାଉଥିଲା । ମାତ୍ର ଏବର୍ଷ ସ୍ଥତି ସଂଗୀନ ଥିବା ବେଳେ, ନା ଚେକିଂ ନା ବ୍ଲକିଂ କିଛି କରାଯାଉନାହିଁ । ଏମିତିରେ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ଜରୁରୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.