Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୈତରଣୀ ନଦୀରେ ୫୦ ଫୁଟର ଘାଇ, ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

22/08/2020 at 10:22 AM

ଯାଜପୁର ୨୨।୮: ବୈତରଣୀ ନଦୀରେ ୫୦ ଫୁଟର ଘାଇ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଦୁଦୁରଅନ୍ତା ପଞ୍ଚାୟତ କଣ୍ଟପଡାଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ଜଳ ମାଡି ଯାଇଛି । ଲଗାତାର ଭାବେ ଏଠାରେ ୬ଷ୍ଠ ଥର ପାଇଁ ଘାଇ ହୋଇଛି । ତେବେ ଦୁର୍ବଳ ନଦୀ ବନ୍ଧରେ ବାଲି ବସ୍ତା ନେଇ ଆସୁଥିବା ଟ୍ରକ୍ ମଧ୍ୟ ଫଶି ଯାଇଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ବନ୍ୟା ବୈତରଣୀ ଏହି ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିବାରୁ ଅଞ୍ଚଳବାସୀ ସ୍ଥାୟୀ ସମାଧାନ ପାଇଁ ଦାବି କରି ଆସୁଛନ୍ତି ।

ସେପଟେ ଆଗକୁ ଆସୁଛି ବଡ ବର୍ଷା ଆସୁଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଓଡିଶାରେ ଲଗାଣ ବର୍ଷା ହେବ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୨ରୁ କ୍ରମଶଃ ବର୍ଷା ବଢ଼ିବ । ୨୪ରୁ ୨୬ ତାରିଖ ମଧ୍ୟରେ ବେଶୀ ବର୍ଷା ହେବ ।

ସମଗ୍ର ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ସମ୍ବଲପୁର, ମାଲକାନଗିରି , କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୨୫ ଓ ୨୬ରେ ବର୍ଷା ଲାଗି ରହିବ । ୨୪ରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ବର୍ଷା ନେଇ ସତର୍କ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

   Related Posts