କରୋନା ଟୀକା ତିଆରି କରିଛି ବ୍ରିଟେନ୍, ୧୫ରେ ୩୦୦ ଲୋକଙ୍କ ଦେହରେ ହେବ ପରୀକ୍ଷା, ୨୦୨୧ ଆରମ୍ଭରେ ବଜାରକୁ ଆସିଯିବ

Published By : Prameya-News7 Bureau | June 08, 2020 IST

ଲଣ୍ଡନ ୦୮।୦୬: ମହାମାରୀ କରୋନା ଉପଚାର ଲାଗି ସମଗ୍ର ବିଶ୍ଵରେ ଗବେଷଣା ଜୋରଦାର ଚାଲିଛି। ଏହି କ୍ଷେତ୍ରରେ ୟୁକେ ଆଗରେ ରହିଛି। ଅକ୍ସଫୋର୍ଡ ପରେ ଏମ୍ପରିଆଲ କଲେଜ୍‌  ଲଣ୍ଡନର ଏକ ଟିମ୍ କରୋନା ଭ୍ୟାକସିନ୍‌ ପ୍ରସ୍ତୁତିରେ ଜୁଟିଛନ୍ତି। ପ୍ରଫେସର ରବିନ ସାଟକଙ୍କ ନେତୃତ୍ଵାଧୀନ ଏହି ଟିମ୍‌ ଆରଏନଏ ଭ୍ୟାକସିନ୍‌ ପ୍ରସ୍ତୁତି କରୁଛନ୍ତି। ଯାହା କରୋନାଭାଇରସ୍ ପୃଷ୍ଠରେ “ସ୍ପାଇକ୍” ପ୍ରୋଟିନ୍ ତିଆରି କରିବା ପାଇଁ ମାଂସପେଶୀ କୋଷକୁ ଜେନେଟିକ୍ ନିର୍ଦ୍ଦେଶ ପ୍ରଦାନ କରିଥାଏ।

ଏହି ପ୍ରୋଟିନ୍‌ର ଉପସ୍ଥିତି ରୋଗ ପ୍ରତିରୋଧକ ଶକ୍ତିକୁ  ବୃଦ୍ଧି କରିଥାଏ ଯାହା, କୋଭିଡ୍-୧୯ ବିରୋଧରେ ଶରୀରକୁ ସୁରକ୍ଷା ପ୍ରଦାନ କରେ। ଜୁନ ୧୫ରେ ଏହି ଟୀକାକୁ ପ୍ରଥମ ପର୍ଯ୍ୟାୟରେ ୩୦୦ ଜଣଙ୍କ ଠାରେ ପରୀକ୍ଷଣ କରାଯିବ ଏବଂ ଏହା ପରେ ଦ୍ଵିତୀୟ  ପର୍ଯ୍ୟାୟ ଆରମ୍ଭ ହେବ।

ଅକ୍ଟୋବର ମାସରେ ୬୦୦୦ ଲୋକଙ୍କୁ ନେଇ ଆଉ ଏକ ମାନବୀୟ ପରୀକ୍ଷଣ କରିବାକୁ ଯୋଜନା କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ଆଶା କରାଯାଉଛି ଯେ, ଏହି ଟୀକା ଆଗାମୀ ବର୍ଷ ପ୍ରାରମ୍ଭରେ ବ୍ରିଟେନ୍‌ ଓ  ବିଦେଶରେ ବିତରଣ ଆରମ୍ଭ  ହୋଇପାରେ।

ଅନ୍ୟପଟେ ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ଭ୍ୟାକସିନ୍‌ ଏବେ ମାନବ ପରୀକ୍ଷଣ ଦେଇ ଗତି କରୁଛି। ଏମ୍ପରିଆଲ କଲେଜ୍‌  ଲଣ୍ଡନ ନିଜର ଭ୍ୟାକସିନ୍‌ ବିକଶିତ କରିବା ପାଇଁ ଏକ ନୂତନ ସାମାଜିକ ଉଦ୍ୟୋଗ ମଧ୍ୟ ନିର୍ମାଣ କରିଛି ଯାହାର ନାମ ଭ୍ୟାକ୍‌ଟ୍ୟୁ ଗ୍ଲୋବାଲ ହେଲ୍‌ଥ(ଭିଜିଏଚ୍‌) ଦିଆଯାଇଛି।

ଏମ୍ପରିୟାଲ ଓ ଭିଜିଏଚ ୟୁକେ ଏବଂ କମ୍‌ ଆୟକାରୀ ଦେଶଗୁଡିକରେ ଟିକସ୍‌ ଛାଡ କରି ଭ୍ୟାକସିନ୍‌ ଯୋଗାଇ ଦେବାକୁ ପ୍ରୟାସ ଚଳାଇଛନ୍ତି। ସାମାଜିକ ଉଦ୍ୟୋଗ ମିଶନ ଏସଏଆରଏସ-ସିଓଭି-୨(କୋଭିଡ୍-୧୯) ସଂକ୍ରମଣକୁ ରୋକିବା ପାଇଁ ଟୀକା ବିକଶିତ ଦିଗରେ ପ୍ରୟାସ ଚଳାଇଛି। ୟୁକେ ଓ ବିଦେଶରେ ବ୍ୟାପକ ଭାବେ ଟୀକାର ବିତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି କମ୍‌ ଆୟକାରୀ ଦେଶଗୁଡିକରେ ଏହି ଟୀକା ଉପଲବ୍ଧ କରାଇବାକୁ ଯୋଜନା କରାଯାଇଛି।

ପ୍ରଫେସର ସଟାକ କହିଛନ୍ତି, ଆମେ ନିଜ ଭ୍ୟାକସିନ୍‌ର କ୍ଲିନିକାଲ ଫାଷ୍ଟ ଟ୍ରାକ ବା ପରୀକ୍ଷଣ କରିବା ପାଇଁ ଛଅ ମାସ ଯାଏ ଗଭୀର ଗବେଷଣା କରିଛୁ। ଏବେ ଆମେ ନିଦାନ ପରୀକ୍ଷଣ ମାଧ୍ୟମରେ ଭାଇରାସ୍‌ର ମୁକାବିଲା କରିବାକୁ ପ୍ରସ୍ତୁତ। ଆମେ ଭ୍ୟାକସିନ୍‌ ପ୍ରସ୍ତୁତିରେ ସାହାଯ୍ୟ କରୁଥିବା ହଜାର ସଂଖ୍ୟକ ଲୋକଙ୍କ ପ୍ରତି କୃତଜ୍ଞ। ଆମର ନିଦାନ ବା ପରୀକ୍ଷାମୂଳକ ଭାବେ ହେବାକୁ ଥିବା ପରୀକ୍ଷଣ ପାଇଁ ଦାତା, ନିବେଶକ ଏବଂ ସରକାରୀ କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଉଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.