ଏବେ ଲ୍ୟାବ୍‌ରେ ପ୍ରସ୍ତୁତ ହେବ 'ମା’ କ୍ଷୀର', ଜାଣନ୍ତୁ କେବେ ବିକ୍ରି ହେବ ବଜାରରେ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୪।୬: ନବଜାତ ଶିଶୁ ପାଇଁ ମା’ କ୍ଷୀର ସମ୍ପୂର୍ଣ୍ଣ ଖାଦ୍ୟ ବୋଲି ଧରାଯାଏ । ଏହି କାରଣରୁ ଅନେକ ମା’ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ସ୍ତନ୍ୟପାନ କରାନ୍ତି । କିନ୍ତୁ ଅନେକ ସମୟରେ ଉପଯୁକ୍ତ ଖାଦ୍ୟ ଗ୍ରହଣ ନକରିବା କିମ୍ବା ଅନ୍ୟାନ୍ୟ କାରଣରୁ ମା’ କ୍ଷୀର ହୋଇନଥାଏ । ଯେଉଁ କାରଣରୁ ବାପା-ମା’ ଚିନ୍ତାରେ ପଡନ୍ତି । ଏହିପରି ଲୋକଙ୍କ ପାଇଁ ଏବେ ଅଶ୍ବସ୍ତିକର ଖବର ଆସିଛି । ଟେକ୍ନୋଲୋଜି ଏତେ ପରିମାଣରେ ଅଗ୍ରଗତି କରିଛି ଯେ, ମା’ କ୍ଷୀର ବର୍ତ୍ତମାନ ଲାବୋରେଟୋରୀ ଅର୍ଥାତ୍ ସାଇନ୍ସ ଲ୍ୟାବରେ ପ୍ରସ୍ତୁତ କରାଯିବ । ଏହି କ୍ଷୀରରେ ମା’ କ୍ଷୀର ଭଳି ପୁଷ୍ଟିକର ପଦାର୍ଥ ରହିବ ।

ଆମେରିକାର ମହିଳା ବୈଜ୍ଞାନିକମାନେ ବିଶ୍ବରେ ପ୍ରଥମ ଥର ପାଇଁ ପରୀକ୍ଷଣ କରିଛନ୍ତି । ଅର୍ଥାତ ବର୍ତ୍ତମାନ ମା’ କ୍ଷୀର ପରି ପୁଷ୍ଟିକର କ୍ଷୀର ଲ୍ୟାବରେ ପ୍ରସ୍ତୁତ ହୋଇପାରିବ । ବୈଜ୍ଞାନିକମାନେ ଏହାକୁ 'ବାୟୋମିଲ୍କ' ବୋଲି କହିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ, ବାୟୋମିଲ୍କରେ ଥିବା ପୃଷ୍ଟିକର ପଦାର୍ଥ ଲ୍ୟାବରେ ପରୀକ୍ଷା ମଧ୍ୟ କରାଯାଇଛି । ବାୟୋମିଲ୍କରେ ମା’ କ୍ଷୀର ଭଳି ପୋଷକ ତତ୍ତ୍ବ, ପ୍ରୋଟିନ୍, ଫ୍ୟାଟି ଏସିଡ୍ ଏବଂ ଅନ୍ୟାନ୍ୟ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ରହିବା ଉଚିତ । ଏହା ମଧ୍ୟ କୁହାଯାଉଛି ଯେ କ୍ଷୀରରେ ଥିବା ପୋଷକ ତତ୍ତ୍ବ ମା’ କ୍ଷୀରଠାରୁ ଅଧିକ ଅଟେ ।

ବାୟୋମିଲ୍କ ତିଆରି କରୁଥିବା କମ୍ପାନୀର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ବିଜ୍ଞାନ ଅଧିକାରୀ ଲୈଲା ଷ୍ଟ୍ରିକଲ୍ୟାଣ୍ଡ କହିଛନ୍ତି ଯେ, କ୍ଷୀରରେ ଆଣ୍ଟିବଡି ନାହିଁ କିନ୍ତୁ ବାୟୋମିଲ୍କର ପୁଷ୍ଟିକର ଏବଂ ଜୈବ ସକ୍ରିୟ ଉପାଦାନ ଅନ୍ୟ ଉତ୍ପାଦ ଅପେକ୍ଷା ଅଧିକ ଅଛି । ସେ ଆହୁରି କହିଛନ୍ତି ଯେତେବେଳେ ତାଙ୍କ ସନ୍ତାନ ସମୟ ପୂର୍ବରୁ ଜନ୍ମ ହେଲା ସେତେବେଳେ ବାୟୋମିଲ୍କ ପ୍ରସ୍ତୁତ କରିବାର ଭାବନା ତାଙ୍କ ମନକୁ ଆସିଲା । ସେତେବେଳେ ସ୍ତନ୍ୟ କ୍ଷୀର ତାଙ୍କ ଶରୀରରେ ସୃଷ୍ଟି ହେବା ଆରମ୍ଭ କରିନଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ନିଜ ସନ୍ତାନକୁ ଖାଇବାକୁ ଦେବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେ ଏ ନେଇ ଅନେକ ଚେଷ୍ଟା କଲେ, କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ ହେଲା । ଏଥିରେ ଅନୁପ୍ରାଣିତ ହୋଇ ସେ ୨୦୧୩ ମସିହାରେ ଲାବୋରେଟୋରୀ ଭିତରେ ମେମୋରୀ କୋଷ ସୃଷ୍ଟି କରିବା ଆରମ୍ଭ କରିଥିଲେ । ଏହାପରେ ୨୦୧୯ ସେ ଖାଦ୍ୟ ବୈଜ୍ଞାନିକ ମିସେଲ ଇଗେରଙ୍କୁ ମଧ୍ୟ ସାଥିରେ ନେଇ ଏହି ପରୀକ୍ଷଣ କରିଥିଲେ । ବୈଜ୍ଞାନିକମାନେ କହିଛନ୍ତି ଯେ, ତିନି ବର୍ଷ ମଧ୍ୟରେ ଏହି କ୍ଷୀର ବଜାରରେ ଉପଲବ୍ଧ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.