ବ୍ରିଟେନ୍‌ରେ କମିଗଲା କରୋନା ସଂକ୍ରମଣ: ଏବେ ଆଲିଙ୍ଗନ ଏବଂ ଚୁମ୍ବନକୁ ମିଳିଲା ଅନୁମତି, ବିନା ବାଧାରେ ଯାଇପାରିବେ ପବ୍‌

Published By : Prameya-News7 Bureau | May 10, 2021 IST

ଲଣ୍ଡନ ୧୦/୫: କରୋନା ଭୂତାଣୁ ସାରା ବିଶ୍ବକୁ କବଳିତ କରି ରଖିଛି। କିଛି ଦେଶରେ ସ୍ଥିତି ଆୟତ୍ତକୁ ଆସିଥିବା ବେଳେ କେତେକ ନିୟମରେ ପରିବର୍ତ୍ତନ ଆସୁଛି। ସ୍ପେନ୍ ଏବେ କରୋନା କଟକଣା ମୁକ୍ତ ହୋଇଥିବା ବେଳେ ବ୍ରିଟେନରେ ଲୋକଙ୍କ ପାଇଁ କଟକଣା କୋହଳ କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଏନେଇ ଖୁବଶୀଘ୍ର ବଡ଼ ଘୋଷଣା କରିବେ। କିନ୍ତୁ ତା ପୂର୍ବରୁ ଅନେକ କଟକଣାରୁ ମୁକ୍ତି ମିଳିବ ବୋଲି ଜଣାପଡ଼ିଛି ।

ବିଶେଷ କରି ୧୧ଟି କରୋନା ନିୟମକୁ ସରକାର ପ୍ରତ୍ୟାହାର କରିନେବାକୁ ମନସ୍ଥ କରିଛନ୍ତି।  ଏଣିକି ପରିବାର ଲୋକେ ନିଜର ପ୍ରିୟଜନଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇପାରିବେ। ଘରକୁ ବନ୍ଧୁବର୍ଗ ଆସିପାରିବେ। ନିଜର ଲୋକଙ୍କୁ ଛୁଇଁପାରିବା ନେଇ ଅନୁମତି ମିଳିବାକୁ ଥିବା ବେଳେ ଲୋକେ ବେଶ ଖୁସି ଜାହିର କରିଛନ୍ତି। ନିଜ ନାତି-ନାତୁଣୀଙ୍କୁ ଆଲିଙ୍ଗନ କରିପାରିବେ ଜାଣିବା ପରେ ବୟସ୍କମାନେ ବହୁତ ଖୁସି ହୋଇଛନ୍ତି।  ଅନ୍ତରଙ୍ଗ ସ୍ପର୍ଶ (ଇଣ୍ଟିମେଟ୍‌ କଣ୍ଟାକ୍ଟ) ପାଇଁ କେତେକାଂଶରେ କୋହଳ କରାଯିବ। ଯଦ୍ବାରା ଲୋକେ ନିଜର ପିଲା, ବାପା-ମା, ସାଙ୍ଗ ସାଥିଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ କରିପାରିବେ।

ମେ’ ୧୭ରୁ ଏହି ସବୁ କୋହଳ ମିଳିବାକୁ ଥିବା ବେଳେ ବନ୍ଧୁ ପରିଜନ ପରଷ୍ପର ଘରକୁ ଯାଇ ରାତ୍ରୀଯାପନ କରିପାରିବେ। ପବ୍‌, ବାର ଆଦି ମେ’ ୧୭ରୁ ଖୋଲିବାକୁ ଯାଉଥିବା ବେଳେ ଲୋକେ ସେଠାକୁ ଯାଇ ପୁଣି ଥରେ ମଉଜ କରିପାରିବେ। ହୋଟେଲ, ସିନେମା ହଲ୍‌, ଥିଏଟର ଖୋଲିବାକୁ ଥିବା ବେଳେ ସେଠାରେ ଲୋକେ ଦେଢ଼ ମିଟର ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏହା ସହ ବାହାରେ ଏକତ୍ରିତ ହେବା ଉପରେ କିଛି ମାତ୍ରାରେ କୋହଳ କରାଯାଇପାରେ। ଅନ୍ତିମ ସଂସ୍କାର ବେଳେ କେତେ ଲୋକ ଉପସ୍ଥିତ ରହିପାରିବେ ସେନେଇ ମଧ୍ୟ କିଛି ସୂଚନା ଦେଇପାରନ୍ତି ବୋରିସ୍‌ ଜନସନ୍‌।

ସୂଚନା ଯୋଗ୍ୟ, ବ୍ରିଟେନରେ କରୋନା ସଂକ୍ରମଣ କମିଛି । ଆଜି ଗୋଟିଏ ଦିନରେ ବ୍ରିଟେନରେ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଲୋକଙ୍କ ସହାୟତା ଯୋଗୁ ସରକାର ବିରାଟ ସଫଳତା ପାଇଥିବା ବେଳେ ଏବେ କଟକଣା କୋହଳ କରିବାକୁ ଯୋଜନା ଚାଲିଛି। ଦୀର୍ଘ ଦିନ ପରେ ଲୋକଙ୍କୁ ସ୍ବାଧୀନତା ଫେରାଇବାକୁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ସବୁ ନୂଆ ନିୟମ ମେ’ ୧୭ରୁ ଲାଗୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.