ପ୍ରବଳ ବର୍ଷା ସତ୍ୱେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | July 21, 2018 IST

ଆଜି ହେଉଛି ପବିତ୍ର ସଂନ୍ଧ୍ୟା ଦର୍ଶନ। ଆଡ଼ପ ମଣ୍ତପରେ ଶ୍ରୀଜୀଉଙ୍କର ଶେଷ ଦର୍ଶନ ଥିବାରୁ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତଙ୍କ ଶ୍ରୀକ୍ଷେତ୍ରରେ ସମାଗମ ହୋଇଛି। ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ଅବସରରେ ଭକ୍ତଗଣ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ମଧ୍ୟ ସେବନ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଡ଼ପ ମଣ୍ତପରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଉଥିବା ଚତୁର୍ଦ୍ଦାବିଗ୍ରହଙ୍କ ଆଜି ହେଉଛି ଅନ୍ତିମ ଦର୍ଶନ। ଗତକାଲି ରାତିରୁ ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ଜାରି ରହିଥିଲେ ମଧ୍ୟ ଭକ୍ତମାନେ ଆଜି ବର୍ଷାରେ ଭିଜି କାଳିଆ ସାଆନ୍ତଙ୍କ ଦର୍ଶନ ଲାଭ କରିଛନ୍ତି। ଆସନ୍ତା କାଲି ଶ୍ରୀଜୀଉ ମାନେ ବାହୁଡ଼ା ଯାତ୍ରାରେ ବାହାରୁ ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶେଷ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ। ଆଡ଼ପ ମଣ୍ତପରେ ସଂନ୍ଧ୍ୟା ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ସେହିପରି ଆଡ଼ପ ମଣ୍ତପରେ ଗୋଟିଏ ଦିନ ଦର୍ଶନ ଶ୍ରୀମନ୍ଦିରର ଏକ ବର୍ଷର ଦର୍ଶନର ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସ ଭିତରେ ଶ୍ରୀକ୍ଷେତ୍ରକୁ ଛୁଟିଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। ସଂନ୍ଧ୍ୟା ଦର୍ଶନ ପାଇଁ ଆଜି ଭୋରୁ ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଦର୍ଶନ। ଏହି ଦର୍ଶନ ଦିନ ତମାମ୍ ଚାଲି ସଂନ୍ଧ୍ୟା ୭ ଟାରେ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଦର୍ଶନ ବନ୍ଦ ପରେ ନୀତିକାନ୍ତିକୁ ଖୁବ୍ ଶୀଘ୍ର ସଂପନ୍ନ କରି ଠାକୁରଙ୍କୁ ଶୀଘ୍ର ପହୁଡ଼ କରାଯିବ। ଆଜିର ଏହି ସମସ୍ତ ବ୍ୟବସ୍ଥାବଳୀକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.