ଋଷରେ ପୁଟିନ୍‌ଙ୍କ ବିରୋଧରେ ଗର୍ଜିଲେ ହଜାର ହଜାର ଲୋକ, ୩ ହଜାରରୁ ଉର୍ଦ୍ଧ୍ବ ପ୍ରଦର୍ଶନକାରୀ ଗିରଫ

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧: ଋଷ ଜେଲ୍‌ରେ ବନ୍ଦ ଥିବା ବିରୋଧୀ ନେତା ଆଲେକ୍ସେଇ ନାଭାଲିନିଙ୍କ ମୁକ୍ତି ଦାବିରେ ହଜାର ହଜାର ଲୋକ ପୁଣି ରବିବାର ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଦର୍ଶନ ସମୟରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ଙ୍କ ବିରୋଧରେ ଜୋରଦାର ନାରାବାଜି ହୋଇଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଜେଲରେ ପୂରାଇଛି ପୋଲିସ। ନାଭାଲିନିଙ୍କ ପତ୍ନୀ ୟୁଲିଆଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ପ୍ରଦର୍ଶନକାରୀଙ୍କ ସଂଖ୍ୟା ଏତେ ଅଧିକ ଯେ ପୋଲିସ ଏବଂ ପ୍ରଶାସନ ନାକେଦମ ହୋଇଗଲେଣି।

ସପ୍ତାହେ ମଧ୍ୟରେ  ନାଭାଲିନିଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଭାଇ ଓଲେଗ, ଶୀର୍ଷ ସହଯୋଗୀ ଏବଂ ୩ ଜଣ ଅନ୍ୟ ସହଯୋଗୀଙ୍କୁ ପ୍ରଦର୍ଶନ ବେଳେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ହାଉସ୍‌ ଆରେଷ୍ଟ କରାଯାଇଛି। ବିରୋଧ ପ୍ରଦର୍ଶନରେ ସାମିଲ ନହେବାକୁ ଲୋକଙ୍କୁ ଅପିଲ୍‌ କରିଛି ମନ୍ତ୍ରାଳୟ। ଏମିତି କଲେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ପୋଲିସ ଚେତାବନୀ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିରୋଧୀ ନେତା ନାଭାଲିନିଙ୍କୁ ଗିରଫ କରାଯିବା ପରେ ଋଷର ପାଖାପାଖି ୧୦୦ ସହରରେ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ୩୦୦୦ ଲୋକଙ୍କୁ ଗିରଫ କରାଯାଇଛି। ନାଭାଲିନିଙ୍କ ଗିରଫ ପରେ ତାଙ୍କ ସମର୍ଥକ  ୟୁଟ୍ୟୁବ୍‌ରେ ଏକ ଭିଡିଓରେ ଜାରି କରିଥିଲେ। ଯାହା ୧୦୦ ମିଲିୟନରୁ ଅଧିକ ଭିଉ ହୋଇସାରିଛି।

ଗୋଟିଏ ସପ୍ତାହ ହେଲା ପ୍ରଦର୍ଶନ ଜାରି ରହିଥିବା ବେଳେ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଋଷରେ ହୋଇଥିବା ପ୍ରଦର୍ଶନ ମଧ୍ୟରେ ଏହା ସବୁଠୁ ବଡ଼ ପ୍ରଦର୍ଶନ ବୋଲି କୁହାଯାଉଛି। ସଡ଼କ ଉପରେ ହଜାର ହଜାର ଲୋକ ପୁଟିନଙ୍କ ବିରୋଧରେ ଗର୍ଜୁଛନ୍ତି। ଲୋକମାନେ ପୁଟିନ୍‌ ଇସ୍ତଫା ଦିଅ ନାରା ଦେଉଛନ୍ତି। ତାଙ୍କର ଗୋଟିଏ ଜିଦ ଜେଲରେ ବନ୍ଦ ଆଲେକ୍ସେଇ ନାଭାଲିନିଙ୍କୁ ବାହାର କରାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.