ଓପିଏସ୍‌ସି (OPSC)ରେ ବ୍ୟାପକ ଜାଲିଆତି ଓ ପ୍ରିୟାପ୍ରିତି ଅଭିଯୋଗ : ହନ୍ତସନ୍ତ ହେଉଛନ୍ତି ଚାକିରୀ ଆଶାୟୀ

Published By : Prameya-News7 Bureau | October 25, 2018 IST

କଟକ ୨୫|୧୦:  ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ ବା  ଓପିଏସ୍‌ସି ବିରୋଧରେ ଜଘନ୍ୟ ଅଭିଯୋଗ । ଚାକିରୀ ଆଶାୟୀଙ୍କୁ ଭୁଆଁ ବୁଲାଇ ଜାଲିଆତି କରି କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚାକିରୀ ଦେବାର ମାଧ୍ୟମ ପାଲଟିଛି ଓପିଏସ୍‌ସି । ଏପରିକି ରାଜ୍ୟ ସରକାର କେତେକ ନିର୍ଦ୍ଧିଷ୍ଟ ଘଟଣାରେ ପ୍ରାର୍ଥୀଙ୍କୁ ସେମାନେ ପରୀକ୍ଷା ସମ୍ପର୍କିତ ମାଗୁଥିବା ତଥ୍ୟକୁ ଦେବା ପାଇଁ ଲିଖିତ ନିର୍ଦ୍ଦେଶ ଦେବା ପରେ ବି ଓପିଏସ୍‌ସି କର୍ତ୍ତୃପକ୍ଷ ଏଭଳି ନିର୍ଦ୍ଦେଶକୁ ଭୃକ୍ଷେପ କରୁନଥିବା ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ପ୍ରାର୍ଥୀଙ୍କ ପରୀକ୍ଷା ଖାତାରେ ଥିବା ମାର୍କ ଓ ଓପିଏସ୍‌ସି ଜାରି କରିଥିବା ମାର୍କ ଭିତରେ ଆକାଶ ପାତାଳ ଫରକ୍ ଦେଖିବାକୁ ମିଳିଛି । ଏଭଳି ଚଞ୍ଚକତାରେ ହତାଶ ହୋଇ ଆମରଣ ଅନଶନ ଆରମ୍ଭ କରିଛନ୍ତି ପ୍ରାର୍ଥୀ । ଓଡିଶା ପବ୍ଲିକ୍ ସର୍ଭିସ୍ କମିସନ୍ ବା ଓପିଏସ୍‌ସି ଜାଲିଆତି କମିଶନ୍ ପାଲଟିଛି । ବହୁ ଆଶା ରଖି ଚାକିରୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମାନେ ସବୁ ଯୋଗ୍ୟତା ଥାଇ ବି ଓପିଏସ୍‌ସିର ଚଞ୍ଚକତାକ ଶିକାର ହେଉଛନ୍ତି । ନିଜର ହକ୍ ପାଇବା ପାଇଁ ଓପିଏସ୍‌ସିକୁ ଦଉଡି ଦଉଡି ହତାଶ ହେଉଛନ୍ତି । ଓପିଏସ୍‌ସି ସରକାରଙ୍କ ମୁଣ୍ଡରେ ଦୋଷ ଲଦି ଦେଇ ବସିପଡୁଛି । ଏପରି ଅଭିଯୋଗ ଆଣିଛନ୍ତି ଅନୁଗୁଳର ସୁଦର୍ଶନ ମହାରଣା । ସବୁ ଆଡେ ଦଉଡି ଦଉଡି ହତାଶ ହେବା ପରେ ସୁଦର୍ଶନ ଓପିଏସ୍‌ସି ଆଗରେ ଆରମ୍ଭ କରିଛନ୍ତି ଆମରଣ ଅନଶନ । ଅଧ୍ୟାପକ ପଦ ପାଇଁ ଓପିଏସ୍‌ସି୨୦୧୦ ମସିହାରେ କରିଥିବା ପରୀକ୍ଷାରେ ଚଞ୍ଚକତାର ଶିକାର ହୋଇଥିବା ସୁଦର୍ଶନ ଅଭିଯୋଗ କରିଛନ୍ତି । ସୁଦର୍ଶନଙ୍କ ଅଭିଯୋଗ ଅନୁସାରେ ସେ ପରୀକ୍ଷାରେ ଜେନେରାଲ ନଲେଜ୍‌ରେ ୫୦ ମାର୍କରୁ ୧୧ ମାର୍କ ରଖିଥିବା ଓପିଏସ୍‌ସି ରେଜଲ୍ଟରେ ଦର୍ଶାଇଥିଲା । ମାତ୍ର ସୂଚନା ଅଧିକାର ବଳରେ ପରୀକ୍ଷା ଖାତାର ନକଲ ମଗାଇବାପରେ ସେ ୫୦ ମାର୍କରୁ ୨୨ ମାର୍କ ରଖିଥିବା ଜଣାପଡିଲା । ଏହା ପରେ ବି ଓପିଏସ୍‌ସି କର୍ତ୍ତୃପକ୍ଷ ନିଜର ତ୍ରୁଟି ସୁଧାରି ସୁଦର୍ଶନଙ୍କୁ ଚାକିରୀର ସୁଯୋଗ ଦେଇ ନାହାଁନ୍ତି । ସେହିପରି ଓପିଏସ୍‌ସି ଅନିୟମିତତାର ଶିକାର ହୋଇଥିବା ଆଉ ଜଣେ ଯୁବକ ହେଉଛନ୍ତି ବୁର୍ଲାର ଡାକ୍ତର ଚଉବର୍ଗ ନାୟକ । ବୁର୍ଲା ମେଡିକାଲ କଲେଜ୍‌ରେ ଦାନ୍ତ ଡାକ୍ତର ଭାବେ କାର୍ଯ୍ୟରତ ଚଉବର୍ଗ ନାୟକ ୨୦୧୬ ମସିହାରେ ଓପିଏସ୍‌ସି ଦ୍ବାରା ବୁର୍ଲା ମେଡିକାଲ କଲେଜ୍ ପାଇଁ ଡେଣ୍ଟାଲ ବିଭାଗରେ ଆସିସଷ୍ଟାଣ୍ଟ ପ୍ରଫେସର ପଦବୀ ଲାଗି ପରୀକ୍ଷା ଦେଇଥିଲେ । ମାତ୍ର ଏହି ପରୀକ୍ଷାରେ ଚଉବର୍ଗ ନାୟକଙ୍କ ଠାରୁ କମ୍ ମାର୍କ ରଖି ପରିକ୍ଷାର୍ଥୀ ତାଙ୍କଠାରୁ ଉପର ରାଙ୍କ ରଖିଥିବା ଚଉବର୍ଗ ଅଭିଯୋଗ କରିଛନ୍ତି । ଚଉବର୍ଗ ବିଡିଏସ୍‌ରେ ୩୪୦୦ ରୁ ୨୧୦୭ ନମ୍ବର ରଖିଛନ୍ତି । ମାତ୍ର ତାଙ୍କଠାରୁ ଉପର ରାଙ୍କ ପାଇଥିବା ଡାକ୍ତର ଜଣକ ୩୪୦୦ ମାର୍କରୁ ରଖିଛନ୍ତି ୮୫୮ ମାର୍କ । ସେହିପରି ଉପର ରାଙ୍କ ପାଇଥିବା ଡାକ୍ତର ଜଣକ ତାଙ୍କ ଆବେଦନପତ୍ରରେ ପ୍ଲସ୍ ଟୁ ରେ ୮ଶହ ମାର୍କରୁ ୫୩୨ ମାର୍କ ରଖିଥିବା ଦର୍ଶାଇଥିବା ବେଳେ ଡାକ୍ତର ଚଉବର୍ଗଙ୍କ ଅଭିଯୋଗ ହେଲା ଆଜି ପର୍ଯ୍ୟନ୍ତ ପ୍ଲସ୍ ଟୁ ରେ କେବେ ୮ଶହ ମାର୍କର ପରୀକ୍ଷା ହିଁ ହୋଇନାହିଁ ।ତେଣୁ ଏହି ଆଧାରରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଆବେଦନପତ୍ର ନାକଚ ହୋଇଯିବା କଥା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେ ହିଁ ଟପର ହୋଇଛନ୍ତି । ଏପରି ଜାଲିଆତିରେ ଓପିଏସ୍‌ସି କର୍ତ୍ତୃପକ୍ଷ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ମାତ୍ର ଓପିଏସ୍‌ସି କର୍ତ୍ତୃପକ୍ଷ ସବୁ ଜାଣି ନଜାଣିଲା ଭଳି ଉତ୍ତର ଦେଉଛନ୍ତ । ଓପିଏସ୍‌ସି ବିରୋଧରେ ଏଭଳି ଅଭିଯୋଗର ତାଲିକା ବେଶ୍ ଲମ୍ବା । ମାତ୍ର ଅଧିକାଂଶ କ୍ଷେତ୍ରରେ ଓପିଏସ୍‌ସି କର୍ତ୍ତୃପକ୍ଷ ନିଜକୁ ଉତ୍ତରଦାୟୀ ବୋଲି ମଣିନଥାଆନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.