ଇମ୍ରାନଙ୍କୁ ହଟାଇବାକୁ ବିରାଟ ଷଡଯନ୍ତ୍ର: ଚକ୍ରବ୍ୟୁହ ରଚିଛନ୍ତି ବାଜଓ୍ଵା, ସାଉଦି ଆରବରେ ହୋଇଛି ବ୍ଲୁ ପ୍ରିଣ୍ଟ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮:  ଇମ୍ରାନ ଖାନଙ୍କୁ ଗାଦିରୁ ବିତାଡିତ କରିବାକୁ  ପ୍ରସ୍ତୁତ  ହୋଇଛି  ବ୍ଲୁ ପ୍ରିଣ୍ଟ। ଯେଉଁ ଇମ୍ରାନ ପାକିସ୍ଥାନୀ ଲୋକଙ୍କ କଥା ଛାଡି କାଶ୍ମୀର ପଛରେ ହାତ ଧୋଇ ପଡିଯାଇଛନ୍ତି ତାଙ୍କରି ପଛ ପଟେ ଷଡଯନ୍ତ୍ରର ନକ୍ସା ତିଆରି ସରିଥିବା ସେ ଜାଣନ୍ତିନି। ତାଙ୍କ ପ୍ରଧାନମନ୍ତ୍ରୀ ଚୌକି କାଢି ନେବାକୁ ରଚା ହୋଇଛି ଏକ ବିରାଟ ଷଡଯନ୍ତ୍ର। ସେହି ଷଡଯନ୍ତ୍ରର ଖଳ ନାୟକ  ଆାଉ କେହି ନୁହେଁ ଖୋଦ ପାକିସ୍ଥାନର ଆର୍ମି ଚିଫ  ଜେନେରାଲ କମର  ବାଜଓ୍ବା।

ପାକିସ୍ଥାନ ଆର୍ମି ଚିଫ କମର ଜାଭେଦ  ବାଜଓ୍ଵା ତାଙ୍କ  ଜୁନିୟର ଜେନେରାଲ  ରହିଲ ସରିଫଙ୍କୁ ପାକିସ୍ଥାନର  ରାଷ୍ଟ୍ରପତି ପଦରେ ବସାଇ  ଶାସନ କ୍ଷମତା ହାତେଇବାକୁ ଯୋଜନା  କରିଛନ୍ତି। ଯେହେତୁ ପାକିସ୍ଥାନରେ ଜେନେରାଲ ରହିଲ ସରିଫଙ୍କ  ଗ୍ରହଣୀୟତା ରହିଛି ସେଥିପାଇଁ  ତାଙ୍କ କାନ୍ଧରେ ବନ୍ଧୁକ ରଖି  ଇମ୍ରାନ ସରକାରଙ୍କୁ ବରଖାସ୍ତ କରିବାକୁ ଜାଲବିଛା ଯାଇଛି । ଆଉ ଏହି ବିଦ୍ରୋହର ଚକ୍ରବ୍ୟୁହ ରଚାଯାଇଛି  ସାଉଦି ଆରବରେ। ସାଉଦି ଆାରବ  ନିୟନ୍ତ୍ରଣରେ ଥିବା  ଇସଲାମିକ ରାଷ୍ଟ୍ର ସଂଘରେ ଏକ ଘରକିଆ ହୋଇ ପଡିବା ପରେ  ପାକିସ୍ଥାନ  ସାଉଦ ଆରବକୁ ଚ୍ୟାଲେଞ୍ଚ କରୁଛି ।

ସାଉଦି  ଆରବ ବଦଳରେ ଇସଲାମିକ  ରାଷ୍ଟ୍ରର ନେତୃତ୍ଵ ଦାୟିତ୍ଵ ତୁର୍କି ହାତରେ  ରଖିବାକୁ  ଯୋଜନା  କରୁଛି ପାକିସ୍ଥାନ।  ଯେଉଁଥିରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବଡ ଭୁମିକା ନେଉଛନ୍ତି । ବିଶେଷ କରି  ସାଉଦି ଆରବକୁ  ବାଦ ଦେଇ  ତୁର୍କି , ଇରାନ, କାତ୍ତାର, ପାକିସ୍ଥାନ ଓ ମାଲେସିଆ ଭଳି  ଦେଶ  ଇସଲାମିକ ଦେଶ ଗୁଡିକର ନେତୃତ୍ଵ  ସାଉଦି ଆରବ ଠାରୁ ଛଡାଇନେବାକୁ ଚାହୁଁଛନ୍ତି।  ଯେଉଁଥିରେ ରାଗି ପାଚି ଲାଲ ପଡି ଯାଇଛି ସାଉଦି ଆରବ। ସେଥିପାଇଁ ପାକିସ୍ଥାନକୁ ତୈଳ ଯୋଗାଣ ବନ୍ଦ କରିଦେବା ସହ ପାକିସ୍ଥାନ କୁ ଦେଇଥିବା ସହାୟତା ଅର୍ଥ ଫେରାଇବାକୁ ଦାବି କରିଛି ସାଇଦି ଆରବ । ଦୁଇ ଦେଶ ମଧ୍ୟରେ  ତିକ୍ତତା ବଢୁଥିବାରୁ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କୁ ଖୁସ କରିବାକୁ ଚେଷ୍ଟା କରି  ବିଫଳ ହୋଇଛନ୍ତି ପାକ ଆର୍ମି ଚିଫ ଜେନେରାଲ କମର ବାଜଓ୍ବା। ଖୋଦ ଜେନେରାଲ ବାଜଓ୍ବା ଓ ଆଇଏସଆଇ ମୁଖ୍ୟ ଫଇଜ ହମିଦ ସାଉଦି ଆରବର  କିଙ୍ଗ ମହମ୍ମଦ ବିନ  ସଲମନଙ୍କୁ ଭେଟିବାକୂ ଯାଇଥିଲେ ମଧ୍ୟ  ନିରାଶ ହୋଇ ଇସଲାମବାଦ ଫେରିଛନ୍ତି।

ସେପଟେ ଦେଶରୁ ଇମ୍ରାନ ଶାସନ ଖୁବ ଶୀଘ୍ର ହଟୁଛି ବୋଲି ପାକିସ୍ଥାନୀ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେହେତୁ  ପାକିସ୍ଥାନ ସରକାରଙ୍କୁ ଗାଦିଚ୍ୟୁତ କରିବାରେ ପାକ ଆର୍ମିର ରେକର୍ଡ ରହି ଆସିଛି  ସେଥିପାଇଁ ଇମ୍ରାନ ସରକାର  କ୍ଷମତା ଚ୍ୟୁତ ହେବା ବଡ କଥା ନୁହେଁ ବୋଲି ଆଲୋଚନା ହେଉଛି ।  ସାଉଦି ଆରବରୁ  ଠୋକର  ଖାଇବା ପରେ ଏବେ  ଚୀନ ଶରଣରେ ପଶିଛନ୍ତି ଇମ୍ରାନ ଖାଁ। ଇମ୍ରାନ ତାଙ୍କ ବୈଦେଶିକ ମନ୍ତ୍ରୀ  ଶାହା ମହମ୍ମଦ କ୍ୟୁରେସିଙ୍କୁ ଚାଇନା ଗସ୍ତରେ ପଠାଇଛନ୍ତି। ଚାଇନା ଠାରୁ ଆର୍ଥିକ, ସାମରିକ ସହଯୋଗ ଆଶାରେ କ୍ୟୁରେସି ଚାଇନା ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତି ହୋଇଛି । ପାକିସ୍ଥାନରେ ଆର୍ମି ଓ ଇମ୍ରାନଙ୍କ ମଧ୍ୟରେ ବଢୁଥିବା ଦୂରତା ଇସଲାମବାଦରେ ସତ୍ତା ପରିବର୍ତ୍ତନ ଏକ ସଂକେତ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.