ସୋଆରେ ବିଶାଳ ରକ୍ତଦାନ ସପ୍ତାହ ଉଦଘାଟିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଏନଏସଏସ ନିର୍ଦ୍ଦେଶିକା

Published By : Prameya-News7 Bureau | September 19, 2021 IST

ଭୂବନେଶ୍ଵର, ୧୯/୯ : ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଏନଏସଏସ ବ୍ୟୁରୋ ଓ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ସପ୍ତାହବ୍ୟାପି ବିଶାଳ ରକ୍ତଦାନ ସପ୍ତାହ ସମ୍ ହସ୍ପିଟାଲରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ରକ୍ତ ଅମ୍ଳଜାନ ଭଳି ମୂଲ୍ୟବାନ ବୋଲି କହିବା ସହିତ ରକ୍ତ ଦେଇ ପ୍ରତ୍ୟେକ ନିଜର ସାମାଜିକ କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି କହିଥିଲେ । ସେ ନିଜ ଡାକ୍ତରି ପାଠପଢ଼ା ସମୟରେ ତାଙ୍କର ଏନଏସଏସ ସ୍ଵେଛାସେବୀ ଭାବେ ୫ ବର୍ଷର ଅନୁଭୂତି କହି ସମସ୍ତଙ୍କୁ ଅନୁପ୍ରାଣୀତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଞ୍ଚଳିକ ଏନଏସଏସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।କରୋନାରେ ପୀଡ଼ିତ ହୋଇ ସମ୍ ଡ଼ାକ୍ତରଖାନାରେ ସେ ଦ୍ଵିତୀୟ ଜୀବନ ପାଇଛନ୍ତି ବୋଲି କହିଥିଲେ । ସମ୍ ଓ ସୋଆ ଏନଏସଏସର କୋଭିଡ଼ ମୁକାବିଲାରେ ଅବଦାନ ବିଷୟ ଆଲୋଚନା କରି ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ ।

ଅନ୍ୟତମ ଆୟୋଜକ ସମ୍ ଡ଼ାକ୍ତରଖାନାର ଅଧୀକ୍ଷକ ପ୍ର. ( ଡ଼ାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଡ଼େଙ୍ଗୁ ସମୟରେ ରକ୍ତର ବର୍ଦ୍ଧିତ ଚାହିଦାକୁ ଦେଖିଲେ ଏନଏସଏସ ଦ୍ଵାରା ଏହି ରକ୍ତଦାନ ସପ୍ତାହର ଆୟୋଜନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଡିନ (ଛାତ୍ର ମଙ୍ଗଳ) ପ୍ର. ଜ୍ୟୋତିରଞ୍ଜନ ଦାସ ରକ୍ତଦାନ ଭଳି ଏକ ମହତ୍ କାମରେ ଭାଗିଦାର ହେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ । ବିଶ୍ଵବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ର. ନଚିକେତା ଶର୍ମା କୋଭିଡ ସମୟରେ କରାଯାଇଥିବା କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ ।

ଏହି ଶିବିର ସେପ୍ଟେମ୍ବର ୨୪ ରେ ଏନଏସଏସ ଦିବସ ପାଳନ ସହିତ ଉଦଯାପିତ ହେବ । ମଙ୍ଗଳବାର ଦିନ ରାଜ୍ୟ ଏନଏସଏସ ସେଲର ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେବା ସ୍ଥିରୀକୃତ ହୋଇଛି । ପ୍ରଥମ ଦିନ ୨୬ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଉତ୍ସବରେ ସମ୍ ବ୍ଳଡବ୍ୟାଙ୍କର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ସମସ୍ତଙ୍କୁ ରକ୍ତଦାନ ବିଷୟରେ କହିଥିଲେ । ଏଥିରେ ସୋଆ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନର ଏନଏସଏସ ପ୍ରୋଗ୍ରାମ ଅଫିସର, ଡାକ୍ତର, ନର୍ସିଙ୍ଗ ଷ୍ଟାଫ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଇଏମଏସର ପ୍ରୋଗ୍ରାମ ଅଫିସର ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.