ନୂଆଦିଲ୍ଲୀ ୧୭/୧୧: ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ୍ ଏବେ ସାରା ବିଶ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କରୋନା ମହାମାରୀ ଯୋଗୁ ଲାଗିଥିବା ଲକ୍ଡାଉନ୍ ପାଇଁ ବହୁ ଦେଶ ଆର୍ଥିକ କ୍ଷତି ସହୁଛନ୍ତି। ବିଶ୍ବର ପ୍ରାୟ ସବୁ ଦେଶ କ୍ଷତି ସହୁଥିବା ବେଳେ ଚୀନ କିନ୍ତୁ ନିଜର କ୍ଷତି ସମ୍ପର୍କଷର କିଛି ସୂଚନା ଦେବାକୁ ନାରାଜ। କିନ୍ତୁ ନିଜର କ୍ଷତି ସମ୍ପର୍କରେ ତଥ୍ୟ ଲୁଚାଉଥିବା ଚୀନର ମିଛ ଧରାପଡ଼ିଛି।
ଚୀନର ବଡ଼ ଟେଲିକମ୍ କମ୍ପାନୀ ଏବେ ଘାଟାରେ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଚୀନର ବଡ଼ ଟେଲିକମ୍ କମ୍ପାନୀ Huawei ନିଜର ମୋବାଇଲ୍ ବ୍ରାଣ୍ଡ Honor ବିକ୍ରି କରିଦେଇଛି। ତେବେ ହୁଓ୍ବାଇ ଅନର୍ ବ୍ରାଣ୍ଡକୁ ୧୫ ବିଲିୟନ୍ ଡଲାରରେ ଶେଞ୍ଜେନ୍ କମ୍ପାନୀକୁ ବିକ୍ରି କରିଥିବା ଜଣାପଡ଼ିଛି। ଏହା ସାହଯ୍ୟରେ କମ୍ପାନୀ କ୍ଷତିରୁ ବଞ୍ଚିବାକୁ ଚେଷ୍ଟା କରୁଛି।
ଆମେରିକାରେ ଅନର୍ ମୋବାଇଲ୍ ଉପରେ ପ୍ରତିବନ୍ଧ ଲାଗିବାକୁ ଯାଉଥିବା ବେଳେ କୌଣସି ଆମେରିକୀୟ କମ୍ପାନୀ ଏହି ବ୍ରାଣ୍ଡକୁ ନେଇ ବାଣିଜ୍ୟ କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ। କମ୍ପାନୀ ପକ୍ଷରୁ ଏନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଥରେ ଅନର୍ ବ୍ରାଣ୍ଡ ବିକ୍ରି କରିବା ପରେ ହୁଓ୍ବାଇର ଏହା ଉପରେ କିଛି ବି ଅଧିକାର ରହିବ ନାହିଁ। ଏପରିକି ବ୍ୟବସାୟ ସମ୍ବନ୍ଧୀୟ ବ୍ୟାପାର ଉପରେ କମ୍ପାନୀ ମୁଣ୍ଡ ପୂରାଇବ ନାହିଁ। ଏହା ସହ ଅନରକୁ ନେଇ କମ୍ପାନୀ କୌଣସି ପ୍ରକାର ନିର୍ଣ୍ଣୟ ନେବାର ଅଧିକାର ବି ହରାଇବ।’ ତେବେ କମ୍ପାନୀର ଅସ୍ତିତ୍ବ ବଞ୍ଚାଇବା ପାଇଁ ଅନର୍ର ଇଣ୍ଡଷ୍ଟ୍ରି ଚେନ୍ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।