କେମିତି ଜିତିବା କରୋନା ଲଢେଇ ? ଏବେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି ୫୦ ପ୍ରତିଶତ ଲୋକ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦।୦୫: ଦେଶରେ କରୋନା ଭାଇରସ୍‌ ବିପଦଜ୍ଜନକ ରୂପ ନେବା ପରେ ମଧ୍ୟ ଲୋକେ ମାସ୍କ ପିନ୍ଧିବାରେ ବେପରୁଆ ମନୋଭାବ ଆପଣେଇଛନ୍ତି। କେନ୍ଦ୍ର ସରକାର ଗୁରୁବାର ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟର ଖୁଲାସା କରି କହିଛନ୍ତି, ୫୦ ପ୍ରତିଶତ ଲୋକ ଏବେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି ଏବଂ ୬୪ ପ୍ରତିଶତ ଲୋକ ମାସ୍କ ପିନ୍ଧୁଛନ୍ତି କିନ୍ତୁ ସେମାନେ ନାକକୁ ଭଲ ଭାବେ ଘୋଡାଉ ନାହାନ୍ତି। କେବଳ ଲୋକ ଦେଖାଣିଆ ମାସ୍କ ବ୍ୟବହାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ସରକାରଙ୍କଠୁ ନେଇ ଡାକ୍ତର ଏବଂ ବିଶେଷଜ୍ଞ ଏହା ବାରମ୍ବାର କହି ଆସୁଛନ୍ତି ଯେ, କରୋନାରୁ ବଞ୍ଚିବାର ଏକ ମାତ୍ର ଉପାୟ ମାସ୍କକୁ ଠିକ୍ ଭାବେ ପିନ୍ଧନ୍ତୁ। କିନ୍ତୁ  ଲୋକଙ୍କ ଏମିତି ଆଭିମୁଖ୍ୟକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି ଯେ, ଆମେ କେମିତି କରୋନା ଲଢେଇ ଜିତିବା ?

ସ୍ଵାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି ଦୁଇ ସପ୍ତାହ ହେବ ଦେଶରେ କରୋନା ଭାଇରସ୍‌ର ନୂତନ କେସରେ ହ୍ରାସ ଦେଖିବାକୁ ମିଳିଛି। କିନ୍ତୁ ଏବେ ମଧ୍ୟ ମୃତ୍ୟୁ କେସ୍ ଚିନ୍ତା ବିଷୟ ସାଜିଛି। ଦେଶରେ ଗୁରୁବାର ୨,୭୬,୧୧୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୭,୭୨, ୪୪୦ରେ ପହଞ୍ଚିଛି। ସେହି ପରି ଆଜି କରୋନାରେ ୩୮୭୪  ଜଣଙ୍କ ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ଘଟିଛି। ଦେଶରେ ଚାରି ଦିନ ପରେ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ କମ ରହିଛି।

ଆଇସିଏମଆରର ମହାନିର୍ଦ୍ଦେଶକ ଡ ବଳରାମ ଭାର୍ଗବ କହିଛନ୍ତି, ଦେଶରେ ଅଧିକରୁ ଅଧିକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବା ଉଚିତ୍। ଯଦ୍ଵାରା ମହାମାରୀ ଉପରେ ନିୟନ୍ତ୍ରଣ କରାଯାଇ ପାରିବ। ଚଳିତ ମାସ ଶେଷ ସୁଦ୍ଧା ୨୫ ଲକ୍ଷ ଏବଂ ଜୁନ ମାସ ସୁଦ୍ଧା ୪୫ ଲକ୍ଷ ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.