କଙ୍ଗାରୁ କ୍ରିକେଟ୍‌ର ଘରକୁ କେମିତି ଫେରିବେ ? ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

Published By : Prameya-News7 Bureau | April 27, 2021 IST

ମେଲବର୍ଣ୍ଣ ୨୭।୦୪: ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଭାରତରେ ଆଇପିଏଲ୍‌ର ୧୪ଶ ସଂସ୍କରଣ ଆୟୋଜନ ହେଉଛି। ସ୍ଥିତି ଜଟିଳ ହେଉଥିବା ଦେଖି ଅନେକ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲକୁ ଅଧାରେ ଛାଡି ସ୍ଵଦେଶ ଫେରୁଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ମଙ୍ଗଳବାର କହିଛନ୍ତି, ଆଇପିଏଲ୍‌ ଖେଳୁଥିବା ତାଙ୍କ ଦେଶର କ୍ରିକେଟ୍‌ ଖେଳାଳିଙ୍କୁ ସ୍ଵଦେଶ ଫେରିବା ପାଇଁ ନିଜ ବ୍ୟବସ୍ଥା ନିଜେ କରିବାକୁ ପଡିବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ କରୋନା ଭାଇରସ୍‌ର ଘାତକ ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ସମସ୍ତ ଉଡାଣ ଉପରେ ମେ ୧୫ ଯାଏଁ କଟକଣା ଲଗାଇଛି।

ପ୍ରଧାନମନ୍ତ୍ରୀ ମରିସନ କହିଛନ୍ତି, ଖେଳାଳିମାନେ ବ୍ୟକ୍ତିଗତ ଯାତ୍ରାରେ ଭାରତ ଯାଇଛନ୍ତି। ଏହା କୌଣସି ଅଷ୍ଟ୍ରେଲିଆ ଗସ୍ତର ଅଂଶ ନୁହେଁ। ତେଣୁ ଖେଳାଳିଙ୍କୁ ନିଜ ବ୍ୟବସ୍ଥାରେ ନିଜେ ଘରକୁ ଫେରିବାକୁ ପଡିବ। ମୋତେ ବିଶ୍ଵାସ ଯେ, ସେମାନେ ନିଜ ବ୍ୟବସ୍ଥାରେ ଅଷ୍ଟ୍ରେଲିଆ ଫେରିବେ।

ଅଷ୍ଟ୍ରେଲିଆର ତିନି ଖେଳାଳି ଆଣ୍ଡ୍ର୍ୟୁ ଟାଇ, କେନ ରିଚାର୍ଡସନ ଓ ଆଡମ ଜାମ୍ପା ଭାରତରେ କରୋନା ଯୋଗୁଁ ବଢୁଥିବା ସ୍ଵାସ୍ଥ୍ୟ ସଙ୍କଟ କାରଣରୁ ଆଇପିଏଲ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ଭାରତରେ ଦୈନିକ ସଂକ୍ରମଣ ହାର ୩ ଲକ୍ଷରୁ ଅଧିକ ରହିଛି ଏବଂ ୨ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି।

ଅଷ୍ଟ୍ରେଲିଆର ୧୪ ଖେଳାଳି ଏବେ ମଧ୍ୟ ଲିଗ୍‌ରେ ଖେଳୁଛନ୍ତି। ଖେଳାଳିଙ୍କ ବ୍ୟତୀତ କୋଚ୍ ରିକି ପଣ୍ଟିଂ, ମାଇକି ହସି, ସାଇମନ କାଟିଚ୍, ଭାଷ୍ୟକାର ମେଥ୍ୟୁ  ହେଡେନ, ବ୍ରେଟ୍ ଲି, ମାଇକେଲ୍ ସ୍ଲେଟର ଓ ଲିଜା ଷ୍ଟାଲେକର ମଧ୍ୟ ଆଇପିଏଲ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.