ଚାଲିଛି ପିକନିକ୍ ଋତୁ, ଖୁସି ପାଇଁ ସୁରକ୍ଷା ଜରୁରୀ...କେମିତି ବୁଲିବେ?

Published By : Prameya-News7 Bureau | December 30, 2019 IST

ଭୁବନେଶ୍ବର୩୦/୧୨: ଏବେ ଚାଲିଛି ପିକ୍‌ନିକ୍ ଋତୁ । ବର୍ଷ ଶେଷ ପୂର୍ବରୁ ପିକନିକ୍ ବନାଇବା ପାଇଁ ଏବେ ରାଜ୍ୟର ସବୁ ପିକନିକ୍ ସ୍ପଟ୍‌ରେ ଲୋକଙ୍କର ଭିଡ଼ ଲାଗିଛି ।କିନ୍ତୁ ପିକନିକ୍‌ ବନାଇବାକୁ ଯାଉଥିବା ଲୋକେ ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।କେତେବେଳେ ଅସାବଧାନତାରୁ ଦୁର୍ଘଟଣା ଘଟି ଲୋକେ ମୃତାହତ ହୁଅନ୍ତି ତ ଆଉ କେତେବେଳେ ଅସାମାଜିକ ବ୍ୟକ୍ତିଙ୍କ ହାବୁଡ଼ରେ ପଡ଼ି ନାହିଁ ନଥିବା ହଇରାଣ ହୋଇଥାଆନ୍ତି ।ଏମିତି ସ୍ଥିତିରେ ପିକନିକ୍‌କୁ ଯିବା ବେଳେ କିଭଳି ସୁରକ୍ଷା ଅବଲମ୍ବନ କରିବେ ସେ ସଂପର୍କରେ ଜାଣିବା।

{"id":204766,"sizeSlug":"large"}

ଆସୁଛି ନ୍ୟୁ ଇୟର ।ନୂଆବର୍ଷ ପୂର୍ବରୁ ପିକନିକ୍‌ ସ୍ପଟ୍‌ରେ ପ୍ରବଳ ଗହଳି ଲାଗିଛି ।ପ୍ରାକୃତିକ ପରିବେଶ ଭିତରେ ଥିବା ପର୍ଯ୍ୟଟନସ୍ଥଳୀ ହେଉ କି ରାଜ୍ୟର ପ୍ରମୁଖ ମନ୍ଦିର ଓ ଧାର୍ମିକ ପୀଠସ୍ଥଳୀ କିମ୍ବା ସୁନ୍ଦର ଆକର୍ଷଣୀୟ ବେଳାଭୂମି, ସବୁଠି ଏବେ ପର୍ଯ୍ୟଟକଙ୍କର ଅସମ୍ଭବ ଭିଡ଼ ।ବର୍ଷ ଶେଷ ପୂର୍ବରୁ ଛୁଟି ମନାଇବାକୁ ଲୋକେ ଏ ସବୁ ଜାଗାରେ ବେଶ୍ ଭିଡ଼ ଜମାଇଛନ୍ତି ।ନିଜ ପରିବାର ଓ ବନ୍ଧୁଙ୍କ ସହ ପିକନିକ୍‌ ବନାଇବାର ନିଆରା ଅନୁଭୂତି ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ ।

{"id":204767,"sizeSlug":"large"}

ତେବେ ପିକନିକ୍‌କୁ ଯାଉଥିବା ଲୋକେ ଅନେକ ସମୟରେ ନିଜର ଅସାବଧାନତା ହେଉ କିମ୍ବା ଡ୍ରାଇଭରର ଭୁଲ୍‌ କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ।ସେହିପରି ଏକ ପର୍ଯ୍ୟଟନ ସ୍ଥଳ ହେଲା କେନ୍ଦୁଝର ଜିଲ୍ଲା ଭୀମକୁଣ୍ଡ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଠାରେ ପ୍ରତିବର୍ଷ ପର୍ଯ୍ୟଟକ ଦୁର୍ଘଟଣାରେ ଶିକାର ହୋଇ ମୃତାହତ ହୁଅନ୍ତି ।ଗତ ୨୫ ତାରିଖ ଖ୍ରୀଷ୍ଟମାସ୍‌ରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ।

{"id":204768,"sizeSlug":"large"}

ସେହିପରି ଗତବର୍ଷ କଟକ ମଧୁପାଟଣା ଅଞ୍ଚଳର ଜଣେ ଛାତ୍ର ବୁଡ଼ି ନିଖୋଜ ହୋଇଯାଇଥିଲେ ।୨୫ ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।କେନ୍ଦୁଝର ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବାକୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।

{"id":204769,"sizeSlug":"large"}

ଏପଟେ ନୂଆବର୍ଷ ପାଇଁ ପୁରୀରେ ଜମିଛି ପର୍ଯ୍ୟଟକଙ୍କର ଭିଡ଼ ।ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଧାଇଁ ଆସୁଛନ୍ତି ଶ୍ରୀକ୍ଷେତ୍ର ।ସୁରକ୍ଷା ଦୃଷ୍ଟିରୁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ ଜଣ ଏସ୍‌ପି, ୧୦ ଜଣ ଅତିରିକ୍ତ ଏସ୍‌ପି, ୨୫ ଜଣ ଡିଏସ୍‌ପି, ୨୬୦ ଜଣ ପୋଲିସ ଅଫିସର, ୮୦୦ କନେଷ୍ଟବଳ ଓ ହୋମଗାର୍ଡ ମୁତୟନ ହେବେ ।ମାର୍କେଟ୍ ଛକ ଠାରୁ କୌଣସି ଗାଡ଼ି ସିଂହଦ୍ବାର ପର୍ଯ୍ୟନ୍ତ ଯିବାକୁ ଦିଆଯିବ ନାହିଁ ।ସେଠାରେ ଥିବା ୨ଟି ଷ୍ଟାଣ୍ଡରେ ଗାଡ଼ି ପାର୍କିଂ କରିବେ । ମାର୍କେଟ୍‌ ଛକ ନିକଟରେ ନିଶୁଳ୍କ ଜୋତା ଓ ମୋବାଇଲ୍‌ ଷ୍ଟାଣ୍ଡ ରହିଛି । ଅତ୍ୟାଧୁନିକ ସିସିଟିଭି ଲଗାଯିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବଡ଼ଦାଣ୍ଡରେ ଚାଲିଚାଲି ଯାଇ ଶ୍ରୀଜିଉଙ୍କର ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

{"id":204770,"sizeSlug":"large"}

ପିକନିକ୍‌ରେ ଯିବା ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ ସମସ୍ତଙ୍କ ମନରେ ବେଶ୍ ଆଗ୍ରହ ଥିଲେ ମଧ୍ୟ କୌଣସି ସ୍ଥାନ ବୁଲି ଯିବା ପୂର୍ବରୁ କେତେକ ସୁରକ୍ଷା ବ୍ୟବସ୍ଥା ଆପଣେଇବା ଆବଶ୍ୟକ ।ପ୍ରଥମତଃ ଯେଉଁ ଗାଡ଼ିରେ ଯାଉଛନ୍ତି ସେଥିରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ଲୋକ ବସିବା ଉଚିତ୍‌ ନୁହେଁ । ଗାଡ଼ିର ଡ୍ରାଇଭର ଯେପରି ଅଧିକ ହାଲିଆ କିମ୍ବା ମଦ୍ୟପାନ କରିନଥାନ୍ତି ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍। ଭୋରରୁ କିମ୍ବା ବିଳମ୍ବିତ ରାତିରେ ଘନ କୁହୁଡ଼ି ସମୟରେ ରାସ୍ତାରେ ଯିବା ଆସିବା କରନ୍ତୁ ନାହିଁ। ଜଙ୍ଗଲିଆ ସ୍ଥାନରେ ପିକନିକ୍‌ କରୁଥିଲେ ବନ୍ୟ ଜୀବଜନ୍ତୁ ଏବଂ ସାପ ପ୍ରତି ସତର୍କ ରୁହନ୍ତି ।

{"id":204771,"sizeSlug":"large"}

କୌଣସି ପାହାଡ଼ିଆ ସ୍ଥାନ, ଜଳ ପ୍ରପାତ କିମ୍ବା ନଦୀ, ପୋଖରୀ ବୁଲିବାକୁ ଯାଇଥିଲେ ଯେପରି ଉଚ୍ଚ ସ୍ଥାନରୁ ଖସି ନପଡ଼ନ୍ତି କିମ୍ବା ପାଣିରେ ବୁଡ଼ି ନ ଯାଆନ୍ତି ସେଥିପ୍ରତି ସତର୍କ ରୁହନ୍ତୁ ।ଯେଉଁ ସ୍ଥାନରେ ପ୍ରବେଶ ନିଷେଧ କରାଯାଇଛି ସେପରି ସ୍ଥାନକୁ ଯାଆନ୍ତୁ ନାହିଁ ।ସାଙ୍ଗରେ ଛୋଟ ପିଲା ଥିଲେ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।ପିକନିକ୍‌ ସ୍ପଟ୍‌ରେ ମଦ୍ୟପାନ କରନ୍ତୁ ନାହିଁ ।ଭିଡ଼ରେ ଯାଉଥିଲେ ନିଜ ପାଖରେ ଥିବା ଟଙ୍କା ପଇସା ଓ ସୁନା ଜିନିଷ ପ୍ରତି ସତର୍କ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.