କିପରି କରାଯିବ କରୋନା ମୁକାବିଲା ? ମୋଦୀଙ୍କୁ ପରାମର୍ଶ ଦେଲେ ସୋନିଆ ଗାନ୍ଧୀ
7/04/2020 at 3:34 PM

ନୂଆଦିଲ୍ଲୀ, ୦୭|୦୪: କରୋନା ଭାଇରସ ବିରୋଧରେ ଏକଜୁଟ ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି ପରାମର୍ଶ ଦେଇଛନ୍ତି । କରୋନା ସଙ୍କଟକୁ ଦେଖି ସରକାର ନିଜର ଅନେକ ଖର୍ଚ୍ଚରେ ୩୦ ପ୍ରତିଶତ କମ କରିବା ସହ ଭିଷ୍ଟା ପରିଯୋଜନାକୁ ସ୍ଥଗିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସୋନିଆ କହିଛନ୍ତି ।
ସେ ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତରେ କାଣ୍ଟଛାଣ୍ଟ୍ କରାଯାଉ । ଏହାସହ ସରକାରୀ ବିଜ୍ଞାପନ ଉପରେ ମଧ୍ୟ ରୋକ ଲଗାଯାଉ । ଏହାସହ ସାଂସଦଙ୍କ ବେତନରେ ୩୦ ପ୍ରତିଶତ ହ୍ରାସକୁ ସେ ସମର୍ଥନ କରି ପିଏମ କେୟାର୍ସ କୋଷରେ ଜମା ହୋଇଥିବା ଅର୍ଥ ପ୍ରଧାନମନ୍ତୀ ରିଲିଫ୍ ପାଣ୍ଠିକୁ ସ୍ଥାନାନ୍ତରିତ କରାଯାଉ ବୋଲି ସେ କହିଛନ୍ତି ।

ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ କରୋନା ମୁକାବିଲା ପାଇଁ ପରାମର୍ଶ ଦେଇଥିଲେ । ମୋଦୀ ମଧ୍ୟ କରୋନା ମୁକାବିଲା ପାଇଁ ସୋନିଆଙ୍କ ସହ ଆଲୋଚନା କରିଥିଲେ । ମଙ୍ଗଳବାର ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ସମାଲୋଚନା କରିଥିଲେ । ସେ ଟ୍ୱିଟରେ କହିଥିଲେ ଯେ, ମିତ୍ରତାର ଅର୍ଥ କାର୍ଯ୍ୟାନୁଷ୍ଠାନ ନେବା କଥା ନୁହେଁ । ଭାରତ ଆବଶ୍ୟକ ହେଲେ ସମସ୍ତ ଦେଶକୁ ସାହାଯ୍ୟ କରିବ । କିନ୍ତୁ ଏହି ଔଷଧ ଭାରତୀୟ ନାଗରିକଙ୍କ ପାଇଁ ଅଧିକ ମାତ୍ରାରେ ଉପଲବ୍ଧ ହେବା ଜରୁରୀ ।