ମୋଦୀ-ଶାହାଙ୍କ କାମରେ ଜନତା କେତେ ସନ୍ତୁଷ୍ଟ, ପେଟ୍ରୋଲ-ଡିଜେଲ୍ ବୃଦ୍ଧି ପାଇଁ କିଏ ଦାୟୀ ? ସର୍ଭେରୁ ମିଳିଲା ଜବାବ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରଙ୍କ ଦ୍ଵିତୀୟ ପାଳିକୁ ଦ୍ଵିତୀୟ ବର୍ଷ ପୂରିଛି। ମୋଦୀ ସରକାର ଏହି ଦୁଇ ବର୍ଷରେ ଅନେକ ଉତ୍‌ଥାନ ଓ ପତନ ଦେଖିଛନ୍ତି। ଏହି ଦୁଇ ବର୍ଷରେ ପାଖାପାଖି ଏକ ବର୍ଷରୁ ଅଧିକ ସମୟ କରୋନାରେ ଚାଲି ଯାଇଛି। କରୋନା ମୁକାବିଲା ପାଇଁ ଏବେ ମଧ୍ୟ ସଂଘର୍ଷ ଜାରି ରହିଛି। ଏମିତିରେ ଜାଣିବା ଜରୁରୀ ଯେ, ସରକାରଙ୍କୁ ନେଇ ଜନତା ମଧ୍ୟରେ କଣ ମାହୋଲ ଅଛି। ଜନତା ସରକାରଙ୍କ ଶାସନରେ ଖୁସି ଅଛନ୍ତି ନା ଅସନ୍ତୁଷ୍ଟ ଅଛନ୍ତି। ଏହାକୁ ନେଇ ଏବିପି ନ୍ୟୁଜ୍-ସି ଭୋଟର ସର୍ଭେ ସାମ୍ନାକୁ ଆସିଛି। ଏହି ସର୍ଭରେ ଅନେକ ପ୍ରଶ୍ନ ପଚରା ଯାଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଯୋଗ୍ୟ ବ୍ୟକ୍ତି ? ସବୁଠୁ ଅସନ୍ତୁଷ୍ଟ କେଉଁ ବର୍ଗ ଅଛନ୍ତି ? କଣ ପରିବର୍ତ୍ତନ କରିବାକୁ ଚାହାନ୍ତି ? ପେଟ୍ରୋଲ-ଡିଜେଲ୍ ବୃଦ୍ଧି ପାଇଁ କିଏ ଦାୟୀ ? ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ପାଇଁ କିଏ ଯୋଗ୍ୟ ?

ସର୍ଭେ ସମୟରେ ପଚରା ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ସବୁଠୁ ଯୋଗ୍ୟ ବ୍ୟକ୍ତି। ୪୨ ପ୍ରତିଶତ ଲୋକେ ନରେନ୍ଦ୍ର ମୋଦୀ ଯୋଗ୍ୟ ବୋଲି କହିଛନ୍ତି। ୧୨ ପ୍ରତିଶତ ଲୋକ ରାହୁଲ ଗାନ୍ଧି ଏବଂ ୪ ପ୍ରତିଶତ ଲୋକ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ରହିଛନ୍ତି। ଏହା ବ୍ୟତୀତ ୬ ପ୍ରତିଶତ ଲୋକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଯୋଗ୍ୟ ବ୍ୟକ୍ତି ମାନିଛନ୍ତି। ୨ ପ୍ରତିଶତ ସୋନିଆ ଗାନ୍ଧୀ ତ ୬ ପ୍ରତିଶତ ଲୋକ ମନମୋହନ ସିଂହଙ୍କ ନାମ ନେଇଛନ୍ତି।

କାହା ପ୍ରତି ଅଧିକ ଅସନ୍ତୁଷ୍ଟ ?

ସର୍ଭେରେ ଯେବେ ପ୍ରଶ୍ନ କରାଯାଇଥିଲା ଯେ, ସବୁଠୁ ଅଧିକ ଅସନ୍ତୁଷ୍ଟ କାହା ପ୍ରତି ? ଉତ୍ତରରେ ୫ ପ୍ରତିଶତ ଲୋକ ସ୍ଥାନୀୟ ବ୍ୟବସ୍ଥାକୁ ଦାୟୀ କରିଥିବା ବେଳେ ୧୭ ପ୍ରତିଶତ ରାଜ୍ୟ ସରକାରଙ୍କୁ ଏବଂ ୨୪ ପ୍ରତିଶତ ଲୋକ କେନ୍ଦ୍ର ପ୍ରତି ଅସନ୍ତୁଷ୍ଟ ଥିବା କହିଛନ୍ତି। ୫୪ ପ୍ରତିଶତ ଲୋକ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି।

ପେଟ୍ରୋଲ-ଡିଜେଲ୍ ବଢୁଥିବା ଦାମ ପାଇଁ କିଏ ଦାୟୀ ?

ପେଟ୍ରୋଲ-ଡିଜେଲ୍‌ର ବଢୁଥିବା ଦାମକୁ ନେଇ ୪୪ ପ୍ରତିଶତ ସହରାଞ୍ଚଳର ଲୋକ ଏବଂ ୪୮ ପ୍ରତିଶତ ଗ୍ରାମାଞ୍ଚଳ ଲୋକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ୧୯ ପ୍ରତିଶତ ସହରାଞ୍ଚଳ ଏବଂ ୨୨ ପ୍ରତିଶତ ଗ୍ରାମାଞ୍ଚଳ ଲୋକ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେହି ପରି  ୨୧ ପ୍ରତିଶତ ସହରାଞ୍ଚଳ ଓ ୧୭ ପ୍ରତିଶତ ଗ୍ରାମାଞ୍ଚଳ ଲୋକ ତେଲ କମ୍ପାନୀକୁ ଦାୟୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.