ଲକ୍‌ଡାଉନ୍‌ରେ‌ ମିଡିଆ ସଂସ୍ଥା କର୍ମଚାରୀଙ୍କୁ ବିଦା କରୁଛନ୍ତି, ଦରମା କାଟୁଛନ୍ତି: କେନ୍ଦ୍ର ସରକାର ଓ ବିଭିନ୍ନ ସଂଗଠନକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ସୁପ୍ରିମକୋର୍ଟ ସୋମବାର ଅନେକ ମିଡିଆ ସଂସ୍ଥା ଦ୍ଵାରା କର୍ମଚାରୀଙ୍କୁ ଛଟେଇ କରିବା କିମ୍ବା ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବେତନ କାଟିବା ନିଷ୍ପତ୍ତି ବିରୋଧରେ ଦାୟର ଯାଚିକା ଉପରେ ନୋଟିସ୍ ଜାରି କରିଛନ୍ତି।

ଏହି ନୋଟିସ୍‌ ଜରିଆରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଇଣ୍ଡିଆ ନ୍ୟୁଜ୍ ପେପର ସୋସାଇଟି ଓ ନ୍ୟୁଜ୍ ବ୍ରାଡକାଷ୍ଟ ଆସୋସିଏସନଠୁ ଜବାବ ଲୋଡିଛନ୍ତି। ଜଷ୍ଟିସ ଏନ.ଭି, ରମନା, ଜଷ୍ଟିସ୍ ଏସ, କୌଲ ଓ ବି.ଆର, ଗଭଇଙ୍କ ସାମ୍ବିଧାନିକ ପୀଠ କହିଛନ୍ତି ଯେ, ନ୍ୟାସନାଲ ଏଲାୟନ୍ସ ଅଫ ଜର୍ଣ୍ଣାଲିଷ୍ଟ, ଦିଲ୍ଲୀ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓ ବୃହମୁମ୍ବାଇ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଦ୍ଵାର ଦାୟର ଯାଚିକାରେ କିଛି ଗମ୍ଭୀର ପ୍ରସଙ୍ଗ ଉଠାଇଛନ୍ତି, ଯାହା ଉପରେ ଶୁଣାଣି କରାଯିବାର ଆବଶ୍ୟକତା ରହିଛି।

ଅଦାଲତ କହିଛନ୍ତି ଯେ, ଅନ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏମିତି ଅଭିଯୋଗ ଆସିଛି। ପ୍ରଶ୍ନ ଏହା ଯେ, ଯଦି କାରବାର ଆରମ୍ଭ ନହୁଏ ତେବେ ଲୋକେ କେତେ ଦିନ ଏମିତି ରହିବେ।

କଣ ରହିଛି ଯାଚିକାରେ

ଯାଚିକାରେ କୁହାଯାଇଛି ଯେ, ମିଡିଆ ଇଣ୍ଡଷ୍ଟ୍ରି କର୍ମଚାରୀଙ୍କ ସହିତ ଅମାନବୀୟ ବ୍ୟବହାର କରୁଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ବିରୋଧକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ ଯେ, କୌଣସି ସଂସ୍ଥା ଲକ୍‌ଡାଉନ୍‌ ସମୟରେ ନିଜ କର୍ମଚାରୀଙ୍କୁ ଛଟେଇ କରିବେ ନାହିଁ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ ପରେ ବି ମିଡିଆ ଉଦ୍ୟୋଗରେ ଛଟେଇ କରାଯିବା ସହ କର୍ମଚାରୀଙ୍କ ବେତନ କଟାଯାଉଛି।

ବିନା କୌଣସି ଆଇନ ପ୍ରାବଧାନରେ, ବିନା ନୋଟିସ୍‌ରେ,  ବିନା ସମୟ ଦେଇ ପ୍ରକାଶନ ବନ୍ଦ କରାଯାଉଛି। କର୍ମଚାରୀଙ୍କୁ ବାହାର କରା୍ଯାଉଛି। ମିଡିଆ କମ୍ପାନୀ ଏବେ  ଏହି ଉପାୟ ସହିତ ଆଗକୁ ବଢୁଛନ୍ତି। ଏମିତି ଲକ୍‌ଡାଉନ୍‌ ସମୟରେ ଆଉ କଣ କରାଯାଇ ପାରିବ।

ଏହି ଯାଚିକାରେ ଛଅଟି ଉଦାହରଣ ଦିଆଯାଇଛି। ଇଣ୍ଡିଆନ ଏକ୍ସପ୍ରେସ୍‌ କର୍ମଚାରୀଙ୍କ ବେତନ କାଟିବାକୁ କହିଛି। ନ୍ୟୁଜ୍ ନେସନ୍ ନିଜର ଇଂରାଜୀ ଡିଜିଟାଲ ଟିମ୍‌ର ୧୬ କର୍ମଚାରୀଙ୍କୁ ଛଟେଇ କରିଛି। ଦ ଟାଇମ୍ସ ଅଫ ଇଣ୍ଡିଆ ନିଜର ରବିବାର ପତ୍ରିକାର ପୂରା ଟିମ୍‌କୁ ଛାଡି ଦେଇଛି। ଦ କୁଇଣ୍ଟ ୪୫ ସଦସ୍ୟଙ୍କୁ ବିନା ବେତନରେ ଛୁଟିରେ ଯିବାକୁ କହିଛି। ବ୍ଲୁମର୍ଗ ଏପ୍ରିଲ ମାସର ବେତନ କାଟିବାକୁ କର୍ମଚାରୀଙ୍କୁ ସଙ୍କେତ ଦେଇଛି।

ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ମିଡିଆ ହାଉସ୍‌ ଦ୍ଵାରା ଏହି ପରି ମନମୁଖୀ କାର୍ଯ୍ୟ ସାମ୍ବାଦିକଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଏହା ପୂରା ଗଣମାଧ୍ୟମ କ୍ଷେତ୍ରକୁ ପ୍ରଭାବିତ କରୁଛି। ତେଣୁ ଲକ୍‌ଡାଉନ୍ ପରେ ମିଡିଆ ହାଉସ୍ ଦ୍ଵାର କରାଯାଉଥିବା ଛଟେଇ, ବେତନ କାଟ ବା ବିନା ବେତନରେ ଛୁଟିରେ ଯିବା ନିର୍ଦ୍ଦେଶ ଏସବୁକୁ ତୁରନ୍ତ ସ୍ଥଗିତ ରଖିବାକୁ ଦାବି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.