Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍: ଇଂଲଣ୍ଡଠୁ ସିରିଜ୍ ହାରିଲେ ଫାଇନାଲରେ ପହଞ୍ଚି ପାରିବ ନାହିଁ ଟିମ୍ ଇଣ୍ଡିଆ !

21/01/2021 at 2:20 PM

ନୂଆଦିଲ୍ଲୀ ୨୧।୦୧: ବ୍ରିସବେନର ଗାବାରେ ଐତିହାସିକ ବିଜୟ କେବଳ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ଜିତାଇ ନାହିଁ ବରଂ ଦଳ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ ତାଲିକାରେ ଶୀର୍ଷରେ ମଧ୍ୟ ପହଞ୍ଚି ଯାଇଛି। ଦଳର ଜୁନ ମାସରେ ପ୍ରଥମ ଥର ହେବାକୁ ଥିବା ଟେଷ୍ଟ ଚାମ୍ପିଆନସିପ୍‌ର ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ବଢି ଯାଇଛି।

ବର୍ତ୍ତମାନର ସମୀକରଣ ଉପରେ ନଜର ପକାଇଲେ ଭାରତ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ ପାଇଁ ଦାବିଦାର ରହିଛନ୍ତି। ଏଥିସହ ଇଂଲଣ୍ଡ ପାଖରେ ମଧ୍ୟ ସୁଯୋଗ ରହିଛି।

ଆଇସିସି ବଦଳାଇଥିଲା ନିୟମ

ବର୍ତ୍ତମାନ କ୍ୟାଲେଣ୍ଡର କରୋନା ଭାଇରସ୍ ମହାମାରୀ କାରଣରୁ ବହୁତ କ୍ଷତି ଘଟିଛି। କିଛି କ୍ରିକେଟ୍ ସିରିଜ୍‌କୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି କାରଣରୁ ଆଇସିସି ଗତ ବର୍ଷ ଡବ୍ଲ୍ୟୁଟିସି ପଏଣ୍ଟ ସିଷ୍ଟମକୁ ପୁଣି ଥରେ ବଦଳାଇ ନୂତନ ଭାବେ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଥିଲା। ଏବେ ଦଳଗୁଡିକୁ କୌଣସି ସିରିଜ୍‌ରେ ମୋଟ୍ ପଏଣ୍ଟରୁ ଜିତୁଥିବା  ଅଙ୍କ ପ୍ରତିଶତ ଅନୁସାରେ ସ୍ଥାନ ଦିଆଯାଉଛି।

ଏବେ ଏମିତି ମିଳୁଛି ପଏଣ୍ଟ

କୌଣସି ବି ଟେଷ୍ଟ ସିରିଜ୍‌ରେ ମୋଟ୍ ପଏଣ୍ଟ ସଂଖ୍ୟା ୧୨୦ ରହିଛି। ଉଦାହରଣସ୍ଵରୂପ ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ରେ ଜିତିବା ପାଇଁ ୩୦ ପଏଣ୍ଟ, ଟାଇ ହେଲେ ୧୫ ପଏଣ୍ଟ ଏବଂ ଡ୍ର ହେଲେ ୧୦ ପଏଣ୍ଟ ରହିଛି। ଏହି ଆଧାରରେ ଦଳଗୁଡିକୁ ପଏଣ୍ଟ ମିଳୁଛି। ଯଦି ଦଳଗୁଡିକୁ ପଏଣ୍ଟ ପ୍ରତିଶତ ଆଧାରରେ ରଖାଯାଏ ତେବେ ରନ ପ୍ରତି ଓ୍ଵିକେଟ୍ ଅନୁପାତରେ ଗଣନା କରାଯାଏ।

କାହାକୁ ମିଳିଛି କେତେ ପଏଣ୍ଟ

ଭାରତ(୭୧.୭ ପ୍ରତିଶତ, ୪୩୦ ପଏଣ୍ଟ)

ବଳକା ମ୍ୟାଚ୍- ୪

ଭାରତ ଏବେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ସମ୍ଭାବିତ ୧୨୦ ପଏଣ୍ଟରୁ ଭାରତକୁ ଆଉ ୮୦ ପଏଣ୍ଟ ଦରକାର, ଯଦ୍ଵାରା ଦଳ ନ୍ୟୁଜିଲାଣ୍ଡଠୁ ଆଗରେ ରହି ପାରିବ। ଭାରତକୁ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିବା ପାଇଁ ଇଂଲଣ୍ଡକୁ ୨ ମ୍ୟାଚ୍‌ ବ୍ୟବଧାନରେ ହରାଇବାକୁ ପଡିବ। ଯଦି ଭାରତ ଗୋଟିଏ ଟେଷ୍ଟ ପରାଜିତ ହୁଏ ତେବେ ଦଳକୁ ବାକି ୩ଟି ମ୍ୟାଚ୍‌ ଜିତିବା ଜରୁରୀ ହୋଇ ପଡିବ। ତେଣୁ ଭାରତକୁ ୪-୦, ୩-୧, ୩-୦ କିମ୍ବା ୨-୦ରେ ସିରିଜ୍  ଜିତିବାକୁ ହେବ। ଯଦି ଭାରତ ୦-୩ କିମ୍ବା ୦-୪ରେ ପରାସ୍ତ  ହୁଏ ତେବେ ଫାଇନାଲରେ ପହଞ୍ଚି ପାରିବ ନାହିଁ।

ନ୍ୟୁଜିଲାଣ୍ଡ(୭୦ ପ୍ରତିଶତ, ୪୨୦ ପଏଣ୍ଟ)

ବଳକା ମ୍ୟାଚ୍‌- କିଛି ନାହିଁ

ନ୍ୟୁଜିଲାଣ୍ଡର ବାଂଲାଦେଶ ବିପକ୍ଷ ସିରିଜ୍‌ ଆୟୋଜନ ନିଶ୍ଚିତ ହୋଇ ନାହିଁ। ଏଥିପାଇଁ ଦଳକୁ ସମ୍ଭାବିତ ୬୦୦ ପଏଣ୍ଟରୁ ୪୨୦ ପଏଣ୍ଟରେ ରହିବାର  ସମ୍ଭାବନା ରହିଛି। ହେଲେ ଏହା ଅନ୍ୟ ଦଳର ଜୟ ଏବଂ ପରାଜୟର ପରିଣାମ ଉପରେ ନିର୍ଭର କରେ। ଏହା ପରେ ଯାଇ ସ୍ଥିର ହୋଇ ପାରିବ ଯେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରି ପାରିବ କି ନାହିଁ। ଯଦି ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୩-୦ କିମ୍ବା ୨-୦ ବ୍ୟବଧାନରେ ପରାସ୍ତ କରେ ଏବଂ ଇଂଲଣ୍ଡ ନିଜର ବାକି ସମସ୍ତ ମ୍ୟାଚ୍ ଜିତେ ତେବେ ନ୍ୟୁଜିଲାଣ୍ଡ ଫାଇନାଲ ଦୌଡରୁ ବାହାରି ଯିବ।

ଅଷ୍ଟ୍ରେଲିଆ(୬୯.୨ ପ୍ରତିଶତ, ୩୩୨ ପଏଣ୍ଟ)

ବଳକା ମ୍ୟାଚ୍- ଦକ୍ଷିଣ ଆଫ୍ରିକାରେ ୩ ଟେଷ୍ଟ

ଅଷ୍ଟ୍ରେଲିଆକୁ ଏମସିଜି ଟେଷ୍ଟରେ ଧିମା ଓଭର ହାର କାରଣରୁ ୪ ପଏଣ୍ଟ କ୍ଷତି ସହିବାକୁ ପଡିଛି। ଏବେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅତି କମରେ ୮୯ ପଏଣ୍ଟ ଦରକାର। ହେଲେ ଏହି ସିରିଜ୍‌ ଖେଳାଯିବ କି ନାହିଁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। ଅଷ୍ଟ୍ରେଲିଆକୁ ଉକ୍ତ ସିରିଜ୍‌ରେ ୩ ମ୍ୟାଚ୍‌ରୁ ଅତି କମରେ ୨ଟିରେ ଜିତିବାକୁ ପଡିବ ଏବଂ ଗୋଟିଏ ବି ମ୍ୟାଚ୍‌ରେ ପରାଜୟ ଏଡାଇବାକୁ ପଡିବ। ଯଦି ଦକ୍ଷିଣ ଆଫ୍ରିକା ଦଳ ନିଜର ଘରୋଇ ସିରିଜ୍ ଜିତି ନିଏ ତେବେ ଅଷ୍ଟ୍ରେଲିଆ ଦୌଡରୁ ବାଦ୍ ପଡିବ।,

ଇଂଲଣ୍ଡ(୬୫.୨ ପ୍ରତିଶତ, ୩୫୨ ପଏଣ୍ଟ)

ବଳକା ମ୍ୟାଚ୍‌- ଶ୍ରୀଲଙ୍କାରେ ୧ ଟେଷ୍ଟ, ଭାରତରେ ୪ ଟେଷ୍ଟ ମ୍ୟାଚ୍‌ର ସିରିଜ୍

ଇଂଲଣ୍ଡ ପାଖରେ ମଧ୍ୟ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ଦଳ ଜୋ ରୁଟ୍‌ଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏବେ ଦଳକୁ ଭାରତ ବିପକ୍ଷରେ ୩-୦ କିମ୍ବା ୪-୦ରେ ସିରିଜ୍ ଜିତିବାକୁ ପଡିବ, ଯଦି ଏମିତି ହୁଏ ତେବେ ଫାଇନାଲ ଦୌଡରେ ରହିବ। ଭାରତ ବିପକ୍ଷରେ ୨-୨ରେ ସିରିଜ୍ ଡ୍ର ରହିଲେ ମଧ୍ୟ ଇଂଲଣ୍ଡ ପାଇଁ ପର୍ଯ୍ୟାପ୍ତ  ହେବ ନାହିଁ।

ଦକ୍ଷିଣ ଆଫ୍ରିକା(୪୦ ପ୍ରତିଶତ) ପାଖରେ ସୁଯୋଗ ରହିଛି। ଯଦି ସେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ବିରୋଧରେ ଦୁଇ ସିରିଜ୍‌ରେ କ୍ଲିନ୍ ସୁଇପ୍ କରିବ। ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଓ୍ଵେଷ୍ଟଇଣ୍ଡିଜ୍ ଦୌଡରୁ ବାହାରି ସାରିଛନ୍ତି।

   Related Posts